Home News in Odia ନକଲି ବିଦେଶୀ ମଦ ଉପରେ ବେପାରୀଙ୍କ ନଜର

ନକଲି ବିଦେଶୀ ମଦ ଉପରେ ବେପାରୀଙ୍କ ନଜର

ଭୁବନେଶ୍ୱର : ନିଶା ବେପାରୀଙ୍କ ନଜର ଏବେ ନକଲି ବିଦେଶୀ ମଦ କାରବାର ଉପରେ । ଅନ୍ୟାନ୍ୟ ନିଶା ସାମଗ୍ରୀ ଅପେକ୍ଷା ଏହା ସହଜରେ ବିକ୍ରି ହେଉଥିବାରୁ ସାରା ରାଜ୍ୟରେ ଏବେ ନକଲି ବିଦେଶୀ ମଦ ର ପସରା ଖୋଲିଛନ୍ତି ।

ରାଜ୍ୟରେ ନକଲି ବିଦେଶୀ ମଦ କିଭଳି ପ୍ରସ୍ତୁତ ଓ କାରବାର ହେଉଛି ତାହା ଅବକାରୀ ବିଭାଗର ଚଢଉରୁ ଜଳ ଜଳ ହୋଇ ଦିଶୁଛି । ୨୦୨୦-୨୧ ବର୍ଷରେ ଅବକାରୀ ବିଭାଗ ସମଗ୍ର ରାଜ୍ୟରେ ଆଠ ମାସରେ ୧୧୭ ଲିଟର ନକଲି ବିଦେଶୀ ମଦ ଜବତ କରିଥିବାବେଳେ ଚଳିତ ବର୍ଷ ଜବତ ନକଲି ବିଦେଶୀ ମଦ ପରିମାଣ ଆଠମାସରେ ୪୧୫୦ ଲିଟରରେ ପହଞ୍ଚିଛି । ଅବକାରୀ ବିଭାଗର ପଞ୍ଝା ବାହାରେ ବି ଏହାର କିଛି କାରବାର ହେଉଛି ।

ତେବେ ସବୁଠାରୁ ବଡ କଥା ହେଉଛି ନିଶା ବେପାରୀମାନେ ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡର ମଦକୁ ୧୮୦ ମିଲିଲିଟର ବୋତଲରେ ପୁରାଇ ବଜାରକୁ ଛାଡୁଛନ୍ତି । ଏହା ସହଜରେ ବିକ୍ରି ହେଉଥିବାବେଳେ ଏହାକୁ ଖରିଦ କରୁଥିବା ଗ୍ରାହକମାନେ ବି ଏହା ନକଲି ନାହିଁ ସହଜରେ ଜାଣିପାରୁ ନାହାନ୍ତି । ଏହି ମଦ ପ୍ରସ୍ତୁତ ପୂର୍ବରୁ ବ୍ୟାପକ ସଂଖ୍ୟାରେ ବିଭିନ୍ନ ବ୍ରାଣ୍ଡ୍‍ର ବିଦେଶୀ ମଦର ଲେବୁଲ, ବୋତଲର ଠିପି ଓ ମଦ ବୋତଲ ଉପରେ ଲାଗୁଥିବା ଓଡିଶା ସରକାରଙ୍କ ହୋଲୋଗ୍ରାମ ଭଳି ଅବିକଳ ସାମଗ୍ରୀ ଯୋଗାଡ ହେଉଛି ।

ମଦ ବୋତଲଗୁଡିକ ସହଜରେ କବାଡିଆଙ୍କ ନିକଟରୁ ମିଳି ଯାଉଥିବାବେଳେ ମଦ କମ୍ପାନୀର ଲେବୁଲ, ଠିପି ଓ ଓଡିଶା ସରକାର ଲେଖାଥିବା ହୋଲୋଗ୍ରାମ ତିଆରି କରିବାକୁ ପଡୁଛି । ଏହାପରେ ବଜାରରେ ମିଳୁଥିବା ସ୍ପରିଟ ବ୍ୟବହାର କରି ଏହି ନକଲି ମଦ ପ୍ରସ୍ତୁତ ହେଉଛି । ଯଦିଓ ଏହା ଅସଲି ମଦ ଦରରେ ବିକ୍ରି ହେଉଛି, କିନ୍ତୁ ଏହାର ପ୍ରସ୍ତୁତି ପାଇଁ ମଦ ମୂଲ୍ୟର ଦଶ ଭାଗେରୁ ଭାଗେ ବି ଖର୍ଚ୍ଚ ହେଉଛି ।

ଏହି ନକଲି ବିଦେଶୀ ମଦ ବେପାରୀମାନେ ଏବେ ସହରାଞ୍ଚଳ ମୁହାଁ ହୋଇଛନ୍ତି । ଚଳିତମାସରେ ଖୋରଧା ବସଷ୍ଟାଣ୍ଡରୁ ଅବକାରୀ ବିଭାଗ ଧରିଥିବା ବିପୁଳ ପରିମାଣର ନକଲି ବିଦେଶୀ ମଦ ହେଉଛି ଏହାର ଏକ ଉଦାହରଣ । ଏଠାରେ ଜବତ ହୋଇଥିବା ୧୨୨୪ ବୋତଲ ନକଲି ବିଦେଶୀ ମଦ ବୋତଲରେ ରମ୍‍, ହୁସ୍କି ଆଦି ରୟାଲଷ୍ଟାଗ, ଇମ୍ପେରିଆଲ ବ୍ଲୁ ଭଳି ନାମୀ ଦାମୀ କମ୍ପାନୀର ଲେବୁଲ ଲଗାଯାଇଥିଲା । ସମସ୍ତ ମଦବୋତଲ ୧୮୦ ମିଲିଗ୍ରାମର ଥିବାବେଳେ ଏଗୁଡିକ ବ୍ରହ୍ମପୁରରୁ ଭୁବନେଶ୍ୱର ଆସୁଥିବା ଜଣାଯାଇଛି ।

ରାଜ୍ୟରେ ଗଞ୍ଜେଇ ଓ ବ୍ରାଉନସୁଗାର ଭଳି ନିଶା ନିୟନ୍ତ୍ରଣ ପାଇଁ ଅବକାରୀ ବିଭାଗ ଲାଗି ପଡିଥିବାବେଳେ ଏବେ ନକଲି ବିଦେଶୀ ମଦ ଉପରେ ବି ନଜର ରଖିବାକୁ ପଡୁଛି । ତେବେ ନକଲି ବିଦେଶୀ ମଦ ବୋତଲଗୁଡିକ ଏଭଳି ଅସଲି ରୂପରେ ବଜାରକୁ ଆସୁଛି ଯେ ତାହାକୁ ସହଜରେ ଚିହ୍ନିବା କଷ୍ଟକର । ତେଣୁ ଅବକାରୀ ବିଭାଗ ଏହାର ପ୍ରସ୍ତୁତକର୍ତ୍ତା ଓ ବିକ୍ରେତାଙ୍କ ଉପରେ ନଜର ରଖି ବିପୁଳ ପରିମାଣରେ ଜବତ କରିବାରେ ଲାଗିଛି ।

ତେବେ ଏହି କାରବାର ଚେର ଓଡିଶା ବାହାରକୁ ଲମ୍ବିଥିବା ଓ ରାଜ୍ୟ ବାହାରର କିଛି ନିଶାବେପାରୀ ଏହାକୁ ପ୍ରସ୍ତୁତିରେ ସହଯୋଗ କରୁଥିବା ସୂଚନା ମିଳିବାପରେ ସେମାନଙ୍କୁ ବାନ୍ଧିବାପାଇଁ ଅବକାରୀ ବିଭାଗ ତତ୍ପର ହୋଇ ଉଠିଥିବା ଜଣାଯାଇଛି । ଯଦି ଏଭଳି ନକଲି ବିଦେଶୀ ମଦ ବ୍ୟବସାୟୀଙ୍କ ବିରୁଦ୍ଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଆଗାମୀ ଦିନରେ ବିଷାକ୍ତ ମଦମୃତ୍ୟୁ ଭଳି ଘଟଣାକୁ ଏଡାଇ ହେବନାହିଁ ବୋଲି ନିଶା ନିବାରଣ ବିରୁଦ୍ଧରେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)