Home Environment ନକଲି ଖାଦ୍ୟ ସାମଗ୍ରୀ ହାଉଜାଉ

ନକଲି ଖାଦ୍ୟ ସାମଗ୍ରୀ ହାଉଜାଉ

ରାଜ୍ୟରେ ଯେଭଳି ବିପୁଳ ପରିମାଣର ନକଲି ଔଷଧ, ନକଲି ମଦ, ଅପମିଶ୍ରିତ ଖାଦ୍ୟ ସାମଗ୍ରୀ, ବିଷାକ୍ତ ମସଲା ସମେତ ବ୍ୟାପକ ପରିମାଣର ଜାଲିଆତି ଖାଉଟି ସାମଗ୍ରୀ କାରବାର ହେଉଛି ତାହା ସମ୍ପୂର୍ଣର୍ ଭାବେ ନିୟନ୍ତ୍ରିତ ହୋଇପାରୁ ନାହିଁ । ଏହା ଫଳରେ ସାଧାରଣ ଲୋକେ ଠକେଇର ଶିକାର ହେବା ସହିତ ନକଲି ସାମଗ୍ରୀ ମାଧ୍ୟମରେ ଦୁରାରୋଗ୍ୟ ବ୍ୟାଧି କିଣୁଥିବାବେଳେ ଏହାର ନିୟନ୍ତ୍ରଣ ପାଇଁ ଥିବା ସଂସ୍ଥାଗୁଡିକରେ ବ୍ୟାପକ ପଦ ପଦବୀ ଖାଲିପଡିଛି ।

ଏବେ କଟକ, ଜଗତ୍‍ପୁର ସମେତ ଆଉ କେତେକ ସ୍ଥାନରେ ଚଢାଉବେଳେ ନାମୀ ଦାମୀ କମ୍ପାନୀ ବ୍ରାଣ୍ଡ୍‍ରେ ପ୍ରସ୍ତୁତ କରାଯାଉଥିବା ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ ସମେତ ଅନ୍ୟାନ୍ୟ ମସଲା ସାମଗ୍ରୀ ଜବତ କରାଯାଇଛି । ଅଧିକାରୀମାନେ କହୁଛନ୍ତି ଯେ ଏହି ଗୁଣ୍ଡ ମସଲା ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବିପଦଜନକ ରସାୟନିକ ସାମଗ୍ରୀ କର୍କଟ ରୋଗ ଠାରୁ ଆରମ୍ଭକରି ଲିଭର, କିଡ୍‍ନୀ ପର୍ଯ୍ୟନ୍ତ ଅନେକ ମାରାତ୍ମକ ରୋଗ ସୃଷ୍ଟି କରିବାରେ ସହାୟକ ହୋଇଥାଏ ।

ନିକଟରେ ନକଲି ଘିଅ ଓ ତେଲ କାରଖାନାର ସନ୍ଧାନ ବି ମିଳିଛି । ସଦ୍ୟ ସମାପ୍ତ ଦୀପାବଳୀରେ ଖୋଲା ବଜାରରେ ପୋଡା ମୋବିଲରୁ ପ୍ରସ୍ତୁତ ତେଲ ଓ ଘିଅ ବ୍ୟାପକ ପରିମାଣରେ ବିକ୍ରୟ ହୋଇଛି । ବିଶେଷକରି ଧର୍ମାନୁଷ୍ଠାନ ଓ ଘରୋଇ ପୂଜା ଲାଗି ବ୍ୟବହାର କରାଯାଉଥିବା ଘିଅଗୁଡିକ ଗାଈ କିମ୍ବା ମଇଁଷି କ୍ଷୀରରୁ ପ୍ରସ୍ତୁତ ହେବା ପରିବର୍ତ୍ତେ ପୋଡା ମୋବିଲ ଓ ଅନ୍ୟ ରସାୟନିକ ପଦାର୍ଥରୁ ତିଆରି ହେଉଥିବା ଜଣାଶୁଣା କଥା ।

ସେହିଭଳି ନକଲି ମଦ ଠାରୁ ଆରମ୍ଭକରି ଗୁଟ୍‍ଖା, ପାନମସଲା, ଗଞ୍ଜେଇ ସିଗାରେଟ, ବ୍ରାଉନସୁଗାର ଆଦି ରାଜଧାନୀରୁ ମାଲକାନଗିରି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କଳାବଜାରରେ ଉପଲବ୍ଧ ହେଉଛି । ଏହାର ବିପଦଜନକ ଦିଗ ପ୍ରତି ଆଖିବୁଜି ଦିଆଯାଉଛି । ବିଶ୍ୱବାସୀ କରୋନା ଟୀକାକୁ ଚାତକ ଭଳି ଅନାଇ ରହିଥିବାବେଳେ ନିକଟରେ ବରଗଡ ଜିଲ୍ଲାରେ ବିପୁଳ ପରିମାଣର ନକଲି କରୋନା ଟୀକା ଜବତ ହୋଇଛି । ଏହାଛଡା ନାମୀ ଦାମୀ କମ୍ପାନୀ ନାମରେ ବି ବ୍ୟାପକ ନକଲି ଔଷଧ ବଜାରକୁ ଆସୁଛି । ଅପପୁଷ୍ଟି ଓ ରକ୍ତହୀନତା ଓଡିଶାର ପ୍ରମୁଖ ସମସ୍ୟା ହୋଇଥିବାବେଳେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଯୋଗୁଁ ଲୋକଙ୍କ ଦୁରବସ୍ଥା ବଢିବାରେ ଲାଗିଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ସାଢେ ୩କୋଟି ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଓଡିଶାରେ ବ୍ୟବସ୍ଥା ହୋଇଛି । ନବେ ଲକ୍ଷରୁ ଅଧିକ ପରିବାର ଏଥିରେ ଉପକୃତ ହେବାକଥା । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୮ହଜାର କୋଟି ଟଙ୍କା ରିହାତି ଦେଉଛନ୍ତି । ଅଥଚ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ଖାଲି ପଡିଥିବା ସଦସ୍ୟ ପଦବୀ ପାଇଁ ବିଜ୍ଞାପନ ବାହାରୁଥିଲେ ବି ଏହା ପୂରଣ ହେଉନାହିଁ । ବସ୍ତୁତଃ ଏହି ସଂସ୍ଥାରେ ଅବସରପ୍ରାପ୍ତ ଅଧିକାରୀ ଓ ରାଜନେତାଙ୍କୁ ନିଯୁକ୍ତି ଦିଆଯାଉଛି ।

ରାଜ୍ୟ ଖାଉଟି ସୁରକ୍ଷା ମଞ୍ଚ ଓ ତାହାର ଜିଲ୍ଲା ଶାଖାଗୁଡିକରେ ବି ନିଯୁକ୍ତି ସମସ୍ୟା ଲାଗି ରହିଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ବି ତଦାରଖ କରିବାପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପଦବୀ ନାହିଁ ଓ ଯେତିକି ବି ପଦବୀ ଅଛି ତାହା ବି ପୂରଣ ହେଉନି । ଫଳରେ ଖାଦ୍ୟର ମାନ ଯାଞ୍ଚ କରିବା ଓ ଅପମିଶ୍ରଣ ସଂକ୍ରାନ୍ତରେ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବା କାଠିକରପାଠ ହେଉଛି ବୋଲି ବିଭାଗୀୟ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।