Home Health ନକଲି ଖାଦ୍ୟ ସାମଗ୍ରୀ ଯୋଗୁଁ ବଢ଼ୁଛି ରୋଗବ୍ୟାଧି

ନକଲି ଖାଦ୍ୟ ସାମଗ୍ରୀ ଯୋଗୁଁ ବଢ଼ୁଛି ରୋଗବ୍ୟାଧି

ଭୁବନେଶ୍ୱର : ଖୋଦ୍‍ ରାଜଧାନୀ ଭୁବନେଶ୍ୱରରେ ଖୋଲା ବଜାରରେ ବ୍ୟାପକ ପରିମାଣର ଅପମିଶ୍ରିତ ଓ ବିଷାକ୍ତ ଖାଦ୍ୟ ପଦାର୍ଥ ସାଙ୍ଗକୁ ମାରାତ୍ମକ ନିଶା କାରବାର ବଢ଼ିବାରେ ଲାଗିଛି । ମଝିରେ ମଝିରେ କାଁ ଭାଁ ବ୍ରାଉନସୁଗାର, ଗଞ୍ଜେଇ ସାଙ୍ଗକୁ କିଛି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରି କର୍ତ୍ତୃପକ୍ଷ ବାହାଦୁରୀ ନେଉଥିବା ବେଳେ ବାସ୍ତବରେ କିନ୍ତୁ ଏଥିଯୋଗୁଁ ସାଧାରଣ ଖାଉଟିଙ୍କର ଜୀବନ ବିପଦସଂକୁଳ ହୋଇପଡୁଛି ।

କଲିକତାରୁ ଅଣାଯାଉଥିବା ସିନ୍ଥେଟିକ୍‍ ପନିର୍‍ ଅତୀତରେ ଭୁବନେଶ୍ୱର ଓ କଟକରେ ଧରାଯାଇଥିଲା । ଏବେବି ଓଡ଼ିଶା ବାହାରୁ ଭୁବନେଶ୍ୱରକୁ ଏଭଳି ନକଲି ପନିର୍‍ ଆସୁଛି । କେବଳ ସେତିକି ନୁହେଁ, ଭୁବନେଶ୍ୱର, କଟକ ସମେତ ଏହାର ଆଖପାଖ ଅଞ୍ଚଳରେ ବି ନକଲି ଦୁଗ୍ଧ, ଛେନା, ପନିର୍‍ ଓ ଘିଅ ଉପଲବ୍ଧ ହେଉଛି ।

ଏହି ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଥିବା ଅନେକ ବ୍ୟକ୍ତି ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥ ଡିଟରଜେଣ୍ଟ ପାଉଡର, ସାଧାରଣ ଖାଇବା ତେଲ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମିଶାଇ ନକଲି ଦୁଗ୍ଧ, ଛେନା, ପନିର୍‍ ଆଦି ତିଆରି କରୁଥିବା ବେଳେ ଅନୁରୂପ ଭାବେ ବି ନକଲି ଘିଅ ପ୍ରସ୍ତୁତକରି ଖାଉଟିମାନଙ୍କୁ ଯୋଗାଉଛନ୍ତି । ଏହି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀଗୁଡିକର ଗୁଣବତ୍ତା ନିୟମିତ ଭାବେ ଯାଞ୍ଚ କରାଯାଉନାହିଁ ।

ଏବେ କେତେକ ବ୍ୟକ୍ତି ଛୋଟ ବଡ ଟ୍ୟାଙ୍କରକୁ ମିଲ୍‍କ ଏଟିଏମ୍‍ ନାମରେ ନାମିତ କରି ଭୁବନେଶ୍ୱର ଓ କଟକର ବହୁ ସ୍ଥାନରେ ଦୁଗ୍ଧ ବିକୁଛନ୍ତି । ସେହିପରି ସହର ଭିତରେ ଓ ଆଖପାଖ ଅଞ୍ଚଳରେ ଗାଈ, ମଇଁଷୀ ଆଦି ରଖି ଯେଉଁମାନେ ଦୁଗ୍ଧ ବ୍ୟବସାୟ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏଭଳି ନକଲି ସାମଗ୍ରୀ ତିଆରି କରିବାରେ ବିଶେଷଜ୍ଞ ବନିଗଲେଣି ।

ଭୁବନେଶ୍ୱର, କଟକ କମିଶନରେଟ ପୋଲିସ ଅଞ୍ଚଳରେ ରାସ୍ତା କଡରେ ଓ ଛୋଟବଡ ହୋଟେଲରେ ଫାଷ୍ଟଫୁଡ, ଦହିବରା, ଗୁପଚୁପ୍‍ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ମିଳୁଛି । ଏଗୁଡିକର ଗୁଣବତ୍ତା ମଧ୍ୟ କେହି ପରୀକ୍ଷା କରୁନାହାନ୍ତି । ହାଟବଜାରରେ ମଲା କୁକୁଡା, ପଚା ଆଳୁ ଓ ଅନ୍ୟ ପରିବା ଯେଉଁମାନେ ବିପୁଳ ପରିମାଣରେ କିଣୁଛନ୍ତି, ସେମାନେ ଏଗୁଡିକୁ ଖାଦ୍ୟ ସାମଗ୍ରୀ ଭାବେ ପ୍ରସ୍ତୁତକରି ଲୋକଙ୍କୁ ଯୋଗାଉଛନ୍ତି । ପାଟି ସୁଆଦ ପାଇଁ ଏଥିରେ ବିଭିନ୍ନ ମସଲା ମିଶାଇ ଦିଆଯାଉଛି । ଏହାଛଡା ଏହି ଦୁଇ ମହାନଗରୀ ଉପକଣ୍ଠରେ ସସ୍‍, ମୃଦୁପାନୀୟ, ନୁଡୁଲ୍ସ ଆଦି ଖାଦ୍ୟ ଉପଯୋଗୀ ନଥିବା ସାମଗ୍ରୀରେ ପ୍ରସ୍ତୁତ ହେଉଥିବା ଘେନି ବାରମ୍ବାର ଚଢ଼ାଉ ବେଳେ ଜଣାପଡୁଛି ।

ଏହାଛଡା ରାଜ୍ୟର ଏହି ଦୁଇ ପ୍ରମୁଖ ସହର ଓ ତାହାର ଆଖପାଖ ଅଞ୍ଚଳରେ ଉଭୟ ସରକାରୀ ଲାଇସେନ୍ସପ୍ରାପ୍ତ ଓ ଚୋରା ନିଶା ବେପାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିବା ଫଳରେ ନିଷିଦ୍ଧ ହୋଇଥିବା ଗୁଟ୍‍ଖା, ଖଇନି, ପାନମସଲାଠାରୁ ଗଞ୍ଜେଇ, ବ୍ରାଉନସୁଗାର, କୋକେନ, ମଦ, ନିଶା ବଟିକା ଆଦି ବିପୁଳ ପରିମାଣରେ ଉପଲବ୍ଧ ହେଉଛି । ଏହାଫଳରେ ଅପରାଧ ବୃଦ୍ଧି ପାଇବା ସହିତ ଲୋକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେଉଛି । ନିଶାଡିମାନଙ୍କ ଯୋଗୁଁ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ମଧ୍ୟ ନଷ୍ଟ ହେଉଛି ।

ବିଶେଷକରି ଅପମିଶ୍ରିତ ଓ ନିଷିଦ୍ଧ ଖାଦ୍ୟ ସାମଗ୍ରୀ, ମୃଦୁପାନୀୟ ଓ ଅନ୍ୟାନ୍ୟ ନିଶା ଯୋଗୁଁ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷ ଓ ପୋଲିସ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ସହ କଡା ଦଣ୍ଡବିଧାନ ବ୍ୟବସ୍ଥା ରହିଲେ ଏ ସମସ୍ୟା ସହଜରେ ସୁଧୁରି ଯାଇପାରନ୍ତା । ଏଠାରେ ଉଲ୍ଲେଖନୀୟ ଯେ ଦୁଗ୍‍ଧରେ ପାଣି ମିଶାଉଥିବା ଲୋକଙ୍କୁ ଚୀନ୍‍ରେ ଫାଶୀ ଦଣ୍ଡ ଦିଆଯାଉଥିବା ବେଳେ ଆମ ଦେଶରେ ଅପମିଶ୍ରିତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ଏକ ପ୍ରଥାରେ ପଡିଯାଇଛି । (ତଥ୍ୟ)