Home General ଧ୍ୱସ୍ତ ବିଧ୍ୱସ୍ତ ସେବା ଘର

ଧ୍ୱସ୍ତ ବିଧ୍ୱସ୍ତ ସେବା ଘର

609
0

ଭୁବନେଶ୍ୱର : ଏକଦା ସ୍ୱାଧୀନତା ସଂଗ୍ରାମୀ ଓ ରଚନାତ୍ମକ କର୍ମୀ ତିଆରି କାରଖାନା ଭାବେ ଖ୍ୟାତି ଅର୍ଜନ କରିଥିବା ବରିର ସେବାଘର ଏବେ ଧ୍ୱସ୍ତ ବିଧ୍ୱସ୍ତ ଅବସ୍ଥାରେ । ମା’ ରମାଦେବୀ ଓ ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ବରିରେ ୧୯୩୪ ମସିହାରେ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନର ନାମ ନିଜେ ମହାତ୍ମାଗାନ୍ଧୀ “ସେବାଘର’ ବୋଲି ରଖିଥିଲେ ଏବଂ ଆଚାର୍ଯ୍ୟ ହରିହର ଏଡାର ଶୁଭ ଦେଇଥିବାବେଳେ ହରେକୃଷ୍ଣ ମହତାବ ଓ ସୁଭଦ୍ରା ମହତାବ ଏଠାରେ ଖୁଣ୍ଟି ପୋତିଥିଲେ ଏବଂ ଗୋପବନ୍ଧୁ ଚୌଧୁରୀ, ରମାଦେବୀଙ୍କ ସମେତ ବହୁ ସଂଗ୍ରାମୀଙ୍କ ଶ୍ରମ ଦାନରେ ସେବାଘର ପ୍ରତିଷ୍ଠିତ ହୋଇଥିଲା

କେବଳ ଓଡିଶା ନୁହେଁ, ଦେଶର କୋଣ ଅନୁକୋଣରୁ ବହୁ ସ୍ୱାଧୀନତା ସଂଗ୍ରାମୀ ଓ ରଚନାତ୍ମ କର୍ମୀ ସେବାଘରକୁ ଆସି ତାଲିମ ନେଉଥିଲେ । ବିନୋଦ କାନୁନ୍‍ଗୋ, ଗୋଦାବରୀ ଦେବୀ, ପାର୍ବତି ଗିରି, କିରଣଲେଖା ମହାନ୍ତି, ଶକୁନ୍ତଳା ଦାଶ, ଅନ୍ନପୂର୍ଣ୍ଣା ମହାରଣା, ସରସ୍ୱତୀ ସେବୀ, ନୀଳମଣି ସାମଲ, ବୃନ୍ଦାବନ ତ୍ରିପାଠୀ, ଶରତ ଚନ୍ଦ୍ର ମହାରଣା, ମଧୁସୂଦନ ନନ୍ଦ, ବିଶ୍ୱନାଥ ପଟ୍ଟନାୟକଙ୍କ ଭଳି ବହୁ ସଙ୍କଳ୍ପବଦ୍ଧ ସାଧକ ସାଧିକା ଏହି ଆଶ୍ରମରୁ ସୃଷ୍ଟି ହୋଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ବରି ଅଞ୍ଚଳର ବନ୍ୟା ବିତ୍ପତ୍ତି ସେତେବେଳର ଡେପୁଟୀ ମାଜିଷ୍ଟ୍ରେଟ ଗୋପବନ୍ଧୁ ଚୌଧୁରୀଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ମର୍ଯ୍ୟାଦାଜନକ ସରକାରୀ ଚାକିରି ଛାଡି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଗାନ୍ଧୀ ଗୋପବନ୍ଧୁ ଦାସଙ୍କ ସହ କାମ କରି ସପିରିବାର ବାରମ୍ବାର କାରାବରଣ କରିଥିଲେ । ଯେତେବେଳେ ବରିକୁ ଯାତାୟତର ସୁବିଧା ନଥିଲା ସେହି ସମୟରେ ୧୯୩୪ରେ ବରିରେ ରହି କାମ କରିବାପାଇଁ ମା’ ରମାଦେବୀ ଓ ଗୋପବନ୍ଧୁ ଚୌଧୁରୀ ସପରିବାର ଯାଇଥିଲେ । ସେଠି ବାମନ ଚରଣ ଦାସ ନାମକ ଜଣେ ବିଶିଷ୍ଟ ବ୍ୟକ୍ତି ଆଶ୍ରମ ପାଇଁ ଜମି ଦେଇଥିଲେ ।

ଏହି ଆଶ୍ରମ ଘର ତିଆରି ପାଇଁ ଆଦୌ ଲୁହା ସିମେଣ୍ଟ ବ୍ୟବହାର ହୋଇନଥିଲା ଏବଂ ସେବା ଘରେ ତାଲା ତ ଦୂରରକଥା ଶିକୁଳି ପଡିବାର ବି ବ୍ୟବସ୍ଥା ନଥିଲା । ଗୋଟିଏ ସମୟରେ ବନ୍ୟାରେ ସେବାଘର ଭାଙ୍ଗିଯିବା ପରେ ଏହାର ପୁନଃ ନିର୍ମାଣ ହୋଇଥିଲା । ଏହି ସେବାଘରକୁ କେନ୍ଦ୍ରକରି ସ୍ୱାଧୀନତା ଆନ୍ଦୋଳନ ଏତେ ବ୍ୟାପକ ହୋଇଥିଲା ଯେ ନିକଟବର୍ତ୍ତୀ କାଇପଡା-କଳାମାଟିଆ ଠାରେ ୧୯୪୨ରେ ୪ଜଣ ଶହୀଦ ହୋଇଥିଲେ ଏବଂ ଏଠୁ ତାଲିମ ନେଇଥିବା କର୍ମୀମାନେ ସାରା ରାଜ୍ୟରେ ସ୍ୱାଧୀନତା ଆନ୍ଦୋଳନକୁ ବ୍ୟାପକ କରିବା ସହ ଗାଁଲୋକମାନଙ୍କ ଉନ୍ନତିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଥିଲେ । ଏହାଛଡା ନିକଟବର୍ତ୍ତୀ ରାମଚନ୍ଦ୍ରପୁର ଠାରେ ମଧ୍ୟ ମୌଳିକ ଶିକ୍ଷାର ପ୍ରୟୋଗଶାଳା ଖୋଲାଯାଇଥିଲା । ଏହି ମୌଳିକ ଶିକ୍ଷାକେନ୍ଦ୍ର ସତ୍ତା ହରାଇଥିଲେ ମଧ୍ୟ ସେଠାରେ ଏବେ ଗୋପବନ୍ଧୁ ଚୌଧୁରୀ କଲେଜ ଚାଲିଛି ।

ସେବାଘରେ କସ୍ତୁରବାଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକନିଧିର ଏକ ଶାଖା ବହୁବର୍ଷ ଧରି ଚାଲିଛି । ସେବାଘର ଟି ଝାଟିମାଟିରେ ତିଆରି ଚାଳଛପର ଘର । ବରିର ବର୍ତ୍ତମାନର ବିଧାୟିକା ସୁନନ୍ଦା ଦାସଙ୍କର ଏହି ସେବାଘର ସହ ବାଲ୍ୟସ୍ମୃତି ଜଡିତ ଥିବାରୁ ଏହାର ସଂରକ୍ଷଣ ଲାଗି ସେ କାର୍ଯ୍ୟ ଆରମ୍ଭ କରି ୬ଟି କଂକ୍ରିଟ ଖୁଣ୍ଟ ଓ ବିମ୍‍ ପକାଇବାର ବ୍ୟବସ୍ଥା କରିଛନ୍ତି । ତେବେ ଯେଉଁ ସେବାଘରକୁ ବ୍ରିଟିଶ ପ୍ରଶାସନ ଭାଙ୍ଗିପାରି ନଥିଲା ତାହା ଏବେ ବ୍ଲକ ପ୍ରଶାସନର ଲୁହା କଂକ୍ରିଟ ମାଡରେ ଭାଙ୍ଗିରୁଜି ଛାରଖାର ହୋଇଯିବା ଘଟଣା ଗାନ୍ଧୀପ୍ରେମୀମାନଙ୍କୁ ଆହତ କରିଛି ।

LEAVE A REPLY

Please enter your comment!
Please enter your name here