Home Administration ଧିମେଇଛି ଆତ୍ମ ନିର୍ଭର ଭାରତ

ଧିମେଇଛି ଆତ୍ମ ନିର୍ଭର ଭାରତ

ସଂଖ୍ୟାଧିକ ପୌରସଂସ୍ଥା ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଋଣ ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରୁନଥିବାରୁ ଆତ୍ମ ନିର୍ଭର ଭାରତ ଯୋଜନା ପ୍ରଭାବିତ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‍ ଯୋଜନା ପିଏମ୍‍ ଏସ୍‍ଭିଏ ନିଧି ଯୋଜନାରେ ଷ୍ଟ୍ରିଟ୍‍ ଭେଣ୍ଡରମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ କେନ୍ଦ୍ର ଆର୍ଥିକ ସେବା ବିଭାଗ ଚାପ ପକାଉଛି ।

କୋଭିଡ ମହାମାରୀ ସମୟରେ ଏହି ଯୋଜନା ଧିମେଇ ଯାଇଥିବାବେଳେ ପୌରସଂସ୍ଥାଗୁଡିକ ଅନାଗ୍ରହ ଯୋଗୁଁ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏହା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନଜରକୁ ଅଣାଯାଇଛି । ଇନ୍‍ଷ୍ଟିଟ୍ୟୁନାଲ ଫାଇନାନ୍ସର ନିର୍ଦ୍ଦେଶକ ମଧ୍ୟ ପିଏମ୍‍ ଏସ୍‍ଭିଏ ନିଧି ଯୋଜନାର ଦୁର୍ବଳ ପ୍ରଦର୍ଶନ ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତଦନୁଯାୟୀ ପ୍ରମୁଖ ସଚିବ ଜି.ମାଥି ଭାଥନନ ସମସ୍ତ ମ୍ୟୁନିସିପାଲ କମିଶନର ଏବଂ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଏନ୍‍ଏସି ଗୁଡିକୁ ସହରାଞ୍ଚଳ ଷ୍ଟ୍ରିଟ୍‍ ଭେଣ୍ଡରଙ୍କୁ ପିଏମ୍‍ ଏସ୍‍ଭିଏ ନିଧି ଯୋଜନାରେ ଋଣ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରମୁଖ ସଚିବ ଦର୍ଶାଇଛନ୍ତି ଯେ କୋଭିଡ ମହାମାରୀ ଜନିତ ଲକ୍‍ଡାଉନ୍‍ରେ ପ୍ରଭାବିତ ଷ୍ଟ୍ରିଟ ଭେଣ୍ଡରମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେବାକୁ ସଂଖ୍ୟାଧିକ ପୌରାଞ୍ଚଳ ଋଣ ଯୋଗାଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନାହାନ୍ତି । ଋଣ ପାଇଁ ଆବଦନ ପ୍ରକ୍ରିୟା ବହୁ ପଛରେ ପଡିଛି । ଅନୁଧ୍ୟାନ ପରେ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଅନୁମୋଦନ ପତ୍ର ଦେବାରେ ବହୁ ବିଳମ୍ବ ହେବାରୁ ସେମାନେ ଋଣ ପାଇପାରୁ ନାହାନ୍ତି ।

ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଏ ସଂକ୍ରାନ୍ତୀୟ ଅନୁଧ୍ୟାନରୁ ଜଣାଯାଇଛି ଯେ ଏଥିପାଇଁ ୩୪,୫୪୭ ଟି ଆବେଦନ ଗ୍ରହଣ କରାଯାଇଥିବାବେଳେ ୧୬,୪୧୨ଟି ମଞ୍ଜୁର ହୋଇଛି ଏବଂ ମାତ୍ର ୪୩୯୪ଜଣ ଷ୍ଟ୍ରିଟ ଭେଣ୍ଡରଙ୍କୁ ପୁଞ୍ଜି ଅର୍ଥ ଯୋଗାଇ ଦିଆଯାଇଛି । ୪୭.୫୧ ପ୍ରତିଶତ ଆବେଦନକୁ ମଞ୍ଜୁରୀ ମିଳିଥିବାବେଳେ ମାତ୍ର ୨୬.୭୭ ପ୍ରତିଶତଙ୍କୁ ଅର୍ଥ ଯୋଗାଇ ଦିଆଯାଇଛି । ଏଭଳି ସ୍ଥିତିରେ ତୁରନ୍ତ ଅନୁଧ୍ୟାନ କରି ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଅନୁମୋଦନ ପତ୍ର ଯୋଗାଇ ଦେବାକୁ ପୌର ଅଧିକାରୀମାନଙ୍କୁ କହିଛନ୍ତି ।

ପିଏମ୍‍ ଏସ୍‍ଭିଏ ନିଧି ଯୋଜନା ସଂକ୍ରାନ୍ତରେ ଷ୍ଟ୍ରିଟ ଭେଣ୍ଡର ଓ ସୋମନଙ୍କ ସଂଘ ଗୁଡିକୁ ସଚେତନ କରିବା ଆବଶ୍ୟକ ହୋଇପଡିଛି । ସହରାଞ୍ଚଳରେ ଥିବା ଜନ ସେବା କେନ୍ଦ୍ର ଗୁଡିକୁ ଷ୍ଟ୍ରିଟ ଭେଣ୍ଡରଙ୍କ ଆବେଦନପତ୍ର ସଂକ୍ରାନ୍ତରେ ସଚେତନ କରାଯାଉଛି । ପ୍ରତ୍ୟେକ ଷ୍ଟ୍ରିଟ ଭେଣ୍ଡରଙ୍କୁ ଡିଜିଟାଲ କାରବାର ସଂକ୍ରାନ୍ତରେ ତାଲିମ ଦିଆଯିବା ଜରୁରୀ ହୋଇଛି । ଜିଲ୍ଲା ପ୍ରଶାସନ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ବ୍ୟାଙ୍କ୍‍ ଓ ପୌର ଅଧିକାରୀମାନେ ପିଏମ୍‍ ଏସ୍‍ଭିଏ ନିଧି ଯୋଜନା ଆୟୋଜନ କଲେ ସେମାନଙ୍କ ମଧ୍ୟରେ ସମନ୍ୱୟ ରହିବା ସହିତ କେନ୍ଦ୍ରୀୟ ଯୋଜନା ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରିବ ବୋଲି ଅଧିକାରୀମାନେ କହିଛନ୍ତି ।