Home Agriculture ଧାନ ସଂଗ୍ରହ ୫୦ଲକ୍ଷ ଟନ୍‍ ଟପିଲା

ଧାନ ସଂଗ୍ରହ ୫୦ଲକ୍ଷ ଟନ୍‍ ଟପିଲା

ଭୁବନେଶ୍ୱର : ଆଜି ସୁଦ୍ଧା ରାଜ୍ୟରେ ଧାନ ସଂଗ୍ରହ ପରିମାଣ ୫୦ଲକ୍ଷ ମେଟ୍ରିକ ଟନ୍‍ ଟପିଥିବାବେଳେ ବରଗଡ ଜିଲ୍ଲାରୁ ସର୍ବାଧିକ ୭ଲକ୍ଷ ୧୮ହଜାର ଟନ୍‍ ଧାନ ସଂଗ୍ରହ ହୋଇଛି । ସେହିଭଳି ଧାନ ସଂଗ୍ରହ ବାବଦରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୯ହଜାର କୋଟି ଟଙ୍କା ଦିଆଯାଇ ସାରିଲାଣି ।

ତେବେ ଆଜି ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରୁ ଯେତିକି ଧାନ ସଂଗ୍ରହ କରିଛନ୍ତି ତାହା ଗତବର୍ଷ ତୁଳନାରେ ପ୍ରାୟ ୮ଲକ୍ଷ ମେଟ୍ରିକ ଟନ୍‍ ଅଧିକ ରହିଛି । ଗତବର୍ଷ ଖରିଫ ଋତୁରେ ଫେବୃୟାରୀ ୯ ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୧,୬୩,୮୬୮ ମେଟ୍ରିକ ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତବର୍ଷ ଏହି ପରିମାଣ ୫୦,୩୭,୨୪୭ ମେଟ୍ରିକ ଟନ୍‍ରେ ପହଞ୍ଚିଛି ।

ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ବରଗଡ ଜିଲ୍ଲାରୁ ସର୍ବାଧିକ ୭ଲକ୍ଷ ୧୮ହଜାର ଟନ୍‍ ଧାନ ସଂଗ୍ରହ ହୋଇଥିବାବେଳେ କଳାହାଣ୍ଡିରୁ ୪ଲକ୍ଷ ୮୩ହଜାର, ବଲାଙ୍ଗିରରୁ ୩ଲକ୍ଷ ୫୪ହଜାର, ସମ୍ବଲପୁରରୁ ୩ଲକ୍ଷ ୪୧ହଜାର, ସୁବର୍ଣ୍ଣପୁରରୁ ୩ଲକ୍ଷ ୩୯ହଜାର, ଗଞ୍ଜାମରୁ ୩ଲକ୍ଷ ୮ହଜାର, କୋରାପୁଟରୁ ୨ଲକ୍ଷ ୭୮ହଜାର ଟନ୍‍ ଧାନ ସଂଗ୍ରହ ହୋଇଛି ।

ଅନ୍ୟାନ୍ୟ ଜିଲ୍ଲା ଗୁଡିକରେ ଧାନ ସଂଗ୍ରହ ପରିମାଣ ୨ଲକ୍ଷ ଟନ୍‍ରୁ କମ୍‍ ରହିଥିବାବେଳେ ସବୁଠାରୁ କମ୍‍ ୭୮୦୯ ଟନ୍‍ ଧାନ କନ୍ଧମାଳ ଜିଲ୍ଲାରୁ ସଂଗୃହୀତ ହୋଇଛି । ଉପକୂଳ ଜିଲ୍ଲାଗୁଡିକ ମଧ୍ୟରେ କଟକରୁ ୯୨ହଜାର ଟନ୍‍, ଜଗତ୍‍ସିଂହପୁରରୁ ୬୦,୬୫୫ ଟନ୍‍, ପୁରୀରୁ ୬୧,୦୭୬ ଟନ୍‍, କେନ୍ଦ୍ରାପଡାରୁ ୬୧,୨୬୯ ଟନ୍‍ ଓ ଭଦ୍ରକ ଜିଲ୍ଲାରୁ ୧,୫୭,୭୫୩ ଟନ୍‍ ଧାନ ସଂଗ୍ରହ ହୋଇ ସାରିଲାଣି । ତେବେ ଉପକୂଳ ଜିଲ୍ଲା ଗୁଡିକରେ ବିଳମ୍ବରେ ଧାନ ସଂଗ୍ରହ ହୋଇଥିବାବେଳେ ପୂରା ଦମ୍‍ରେ ଖରିଦ ପ୍ରକ୍ରିୟା ଜାରି ରହିଛି । ରାଜ୍ୟ ସରକାର ଚଳିତବର୍ଷ ୭୦ଲକ୍ଷ ଟନ୍‍ରୁ ଅଧିକ ଧାନ ସଂଗ୍ରହପାଇଁ ଲକ୍ଷ୍ୟ ରଖିଥିବାବେଳେ ଚାଷୀଙ୍କର ସମସ୍ତ ଧାନ ଖରିଦ କରାଯିବ ବୋଲି ରାଜ୍ୟ ସରକାର ବାରମ୍ବାର ଆଶ୍ୱାସନା ଦେଉଛନ୍ତି ।

ଧାନ ସଂଗ୍ରହ ବାବଦରେ ଚାଷୀଙ୍କୁ ପ୍ରାୟ ୯ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ଏଥିରୁ ସର୍ବାଧିକ ୧୩୩୭କୋଟି ଟଙ୍କା ବରଗଡ ଜିଲ୍ଲାର ଚାଷୀମାନେ ପାଇଛନ୍ତି । କଳାହାଣ୍ଡିର ଚାଷୀ ୮୮୫କୋଟି ଟଙ୍କା ପାଇଥିବାବେଳେ ସମ୍ବଲପୁରରେ ୬୩୫କୋଟି, ସୁବର୍ଣ୍ଣପୁରରେ ୬୨୭କୋଟି, ଗଞ୍ଜାମରେ ୫୩୯କୋଟି, କୋରାପୁଟରେ ୫୧୦ କୋଟି ଟଙ୍କା ଚାଷୀମାନେ ଧାନ ବିକ୍ରି ବାବଦରେ ନେଇ ସାରିଲେଣି । ତେବେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ଅନେକ ଚାଷୀ ଏବେ ବି ରାଜ୍ୟର ବିଭିନ୍ନ ମଣ୍ଡିରେ ଅପେକ୍ଷାରତ ଥିବାବେଳେ ଏହାକୁ ନେଇ ରାଜ୍ୟରେ ରାଜନୀତି ବି ଜୋର ଧରିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here