Home Agriculture ଧାନ ବିହନ ସଂରକ୍ଷଣରେ ପ୍ରଥମ

ଧାନ ବିହନ ସଂରକ୍ଷଣରେ ପ୍ରଥମ

ଭୁବନେଶ୍ୱର : ପାରମ୍ପରିକ ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସଂରକ୍ଷଣ ହୋଇଥିବା ହଜାରେରୁ ଅଧିକ କିସମର ପାରମ୍ପରିକ ଧାନ ବିହନ ମଧ୍ୟରୁ ୭୫୦ରୁ ଅଧିକ କିସମର ବିହନକୁ ଚାଷୀଙ୍କ ସମ୍ପଦ ଭାବେ କେନ୍ଦ୍ର ସରକାର ପଞ୍ଜିକରଣ କରିସାରିଛନ୍ତି ।

ପାରମ୍ପରିକ ଧାନ ବିହନର ରୋଗ ପ୍ରତିରୋଧଶକ୍ତି ଅଧିକ ରହିବା ସହିତ ଓଡିଶାର ଜଳବାୟୁ ପାଇଁ ଅନୁକୂଳ ହୋଇଥିବାରୁ ଏହାର ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଦିନକୁ ଦିନ ଚାଷୀମାନେ ପାରମ୍ପରିକ ବିହନ ବଦଳରେ ଅଧିକ ଉତ୍ପାଦନ ପାଇଁ ହାଇବ୍ରିଡ କିସମର ବିହନ ଉପରେ ଅଧିକ ଜୋର ଦେଉଛନ୍ତି । ଫଳରେ ଗାଁ ଗହଳର ଚାଷୀଙ୍କ ପାଖରେ ଦିନକୁ ଦିନ ପାରମ୍ପରିକ ଧାନ ବିହନ ଲୋପ ପାଇବାକୁ ବସିଛି ।

ଏଭଳି ସ୍ଥିତିକୁ ଆଖିରେ ରଖି ୨୦୧୧ ମସିହାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଥିବା କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପାରମ୍ପରିକ ଧାନ ବିହନ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା ୧୦୭୮ ପ୍ରକାରର ଧାନ ବିହନ ରାଜ୍ୟର ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପ୍ରତିଷ୍ଠା ହୋଇଥିବା ୨ଟି ଜିନ୍‍ ବ୍ୟାଙ୍କ୍‍ରେ ଏହାକୁ ସଂରକ୍ଷଣ କରାଯାଇଛି । ଭୁବନେଶ୍ୱର ଠାରେ ଥିବା ରାଜ୍ୟ ବିହନ ପରୀକ୍ଷାଗାରରେ ପ୍ରତିଷ୍ଠା କରାଯାଇଥିବା ଜିନ୍‍ ବ୍ୟାଙ୍କ୍‍ ମଧ୍ୟରୁ ଗୋଟିକରେ ମଧ୍ୟବର୍ତ୍ତୀକାଳୀନ ଓ ଅନ୍ୟଟିରେ ଦୀର୍ଘକାଳୀନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଦୀର୍ଘକାଳୀନ ବ୍ୟବସ୍ଥାରେ ବିହନକୁ ୪୦ରୁ ୫୦ ବର୍ଷ ସଂରକ୍ଷିତ ରଖାଯାଇ ପାରିବ ।

ସଂରକ୍ଷିତ ବିହନରୁ ୭୫୦ ପ୍ରକାର ବିହନକୁ କେନ୍ଦ୍ର ସରକାର ଚାଷୀଙ୍କ ସମ୍ପଦ ଭାବେ ପଞ୍ଜିକରଣ କରିସାରିଛନ୍ତି । ଏହି ଦେଶୀ ବିହନ ମଧ୍ୟରୁ କଳାଚମ୍ପା ନାମକ ଧାନ ବିହନକୁ ୨୦୧୫ ମସିହାରେ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ୨୦୧୭ ରୁ ଓଡିଶା ରାଜ୍ୟ ବିହନ ନିଗମ ମାଧ୍ୟମରେ କଳାଚମ୍ପା କିସମର ବିହନ ଚାଷୀମାନଙ୍କୁ ପ୍ରାମାଣିକ ବିହନ ଆକାରରେ ଯୋଗାଇ ଦିଆଯାଉଛି । ଏହି ବିହନରୁ ଅଧିକ ଅମଳକ୍ଷମ ବିହନ ବିକଶିତ ପାଇଁ ଗବେଷଣା ଜାରି ଥିବାବେଳେ ଏଥିରୁ ସେତକ-ବି, ଗୋତ୍ର-ବି, ମୟୁରକଣ୍ଠ, ଝିଲ୍ଲୀ ଏବଂ ହଳଦୀଚୁଡି ଆଦିର ପ୍ରମାଣୀକରଣ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ତେବେ ରାଜ୍ୟରେ ଗୋଟିଏ କିସମର ଧାନ ବିହନକୁ ଅଧିକ ଦିନ ଚାଷ କରିବା ସପକ୍ଷରେ କିନ୍ତୁ କେନ୍ଦ୍ର ସରକାର ନାହାନ୍ତି । ବିଶେଷକରି ୧୦ବର୍ଷରୁ ଅଧିକ ସମୟ ଧରି ଚାଷ ହେଉଥିବା ଧାନ ବିହନ ଉପରେ କେନ୍ଦ୍ର ସରକାର ସବ୍‍ସିଡ୍‍ ଦେବାକୁ ମନାକରି ଦେଇଛନ୍ତି । ଏହାର କାରଣ ହେଉଛି ଅଧିକ ବର୍ଷ ଗୋଟିଏ ବିହନ ବ୍ୟବହାର ହେଲେ ଏହାର ରୋଗପ୍ରତିରୋଧ ଶକ୍ତି ସହିତ ଅମଳକ୍ଷମତା ମଧ୍ୟ ହ୍ରାସ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here