Home Agriculture ଧାନ ବିହନ ଟଙ୍କା ମିଳୁନି

ଧାନ ବିହନ ଟଙ୍କା ମିଳୁନି

ଭୁବନେଶ୍ୱର : ସରକାରଙ୍କୁ ଧାନ ବିକ୍ରି କରୁଥିବା ଚାଷୀଟିଏ ୭ଦିନ ମଧ୍ୟରେ ତାହାର ପ୍ରାପ୍ୟ ପାଇ ଯାଉଥିବାବେଳେ ଧାନବିହନ ଉତ୍ପାଦନ କରୁଥିବା ଚାଷୀ କିନ୍ତୁ ୪ମାସ ହେଲା ପଇସାକୁ ଚାହିଁ ବସିଛନ୍ତି । ଏଭଳି ସ୍ଥିତି ଉପୁଜିଲେ ଆଗାମୀ ଦିନରେ ସେମାନେ ଆଉ ବିହନ ଚାଷ କରିବେ ନାହିଁ ବୋଲି ମତ ଦେଲେଣି ।

ଚଳିତବର୍ଷ ରାଜ୍ୟର ପ୍ରାୟ ୫ହଜାର ବିହନ ଚାଷୀ ଗତ ଡିସେମ୍ବର ମାସରୁ ସରକାରଙ୍କୁ ବିହନ ବିକ୍ରି କରିଥିଲେ ମଧ୍ୟ ପ୍ରାପ୍ୟ ପାଇପାରୁ ନାହାନ୍ତି । ୨୦୧୨ରେ ରାଜ୍ୟ ବିହନ ନିଗମ କରିଥିବା ସଙ୍କଳ୍ପ ଅନୁଯାୟୀ ସରକାର ସଂଗ୍ରହ କରୁଥିବା ଧାନ ବିହନ ପ୍ରକ୍ରିୟାକରଣ ହେବାର ୧୫ଦିନ ମଧ୍ୟରେ ଚାଷୀଙ୍କୁ ପ୍ରାରମ୍ଭିକ ଅର୍ଥ ମିଳିଯାଉଥିଲା । ଏହାପରେ ବିହନକୁ ସଫଳତା ପ୍ରମାଣପତ୍ର ମିଳିବାର ପ୍ରାୟ ମାସକ ମଧ୍ୟରେ ସମସ୍ତ ଅର୍ଥ ଦିଆଯାଉଥିଲା । ଚାଷୀମାନେ କିଭଳି ସେମାନଙ୍କ ବିହନ ବାବଦୀୟ ପ୍ରାପ୍ୟ ଠିକଣା ସମୟରେ ପାଇପାରିବେ ସେଥିପାଇଁ ରାଜ୍ୟ ସରକାର ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବି ବ୍ୟବସ୍ଥା କରିଛନ୍ତି ।

ହେଲେ ଚଳିତବର୍ଷ ରାଜ୍ୟ ବିହନ ନିଗମ ପୂର୍ବର ସଙ୍କଳ୍ପକୁ ପାଳନ ନକରିବା ଫଳରେ ଚାଷୀଙ୍କୁ ପ୍ରାରମ୍ଭିକ ଅର୍ଥ ମିଳିପାରି ନାହିଁ । ବିହନକୁ ସଫଳତା ସାର୍ଟିଫିକେଟ ବି ୪ମାସ ହେଲା ମିଳୁନାହିଁ । ତେଣୁ ସରକାରଙ୍କୁ ବିହନ ବିକ୍ରି କରୁଥିବା ଚାଷୀମାନେ ପଇସାଟିଏ ପାଇପାରୁ ନାହାନ୍ତି । ଚାଷୀଙ୍କ କହିବାକଥା ଯେ ଧାନ ବିହନ ଚାଷ ପାଇଁ ଯେତିକି ଖର୍ଚ୍ଚ ହୁଏ ତାହା ସାଧାରଣ ଧାନ ଚାଷର ଖର୍ଚ୍ଚଠାରୁ ଅଧିକ । ଏଥି ସହିତ ପିଣ୍ଡ ବିହନ ଆଣିବା ଠାରୁ ଆରମ୍ଭ କରି ବିହନ ବିକ୍ରି ପର୍ଯ୍ୟନ୍ତ ସରକାରୀ ଦପ୍ତର ଠାରୁ ଆରମ୍ଭ କରି ସରକାରୀ ମନୋନୀତ ବ୍ୟାଙ୍କ ଶାଖାକୁ ଦଉଡିବାକୁ ପଡେ ।

ଅଧିକାଂଶ ବିହନ ଚାଷୀ ବ୍ୟାଙ୍କରୁ ଋଣ ଆଣି ଚାଷ କରିଛନ୍ତି । ବିହନ ବିକ୍ରି ଟଙ୍କା ମିଳିବାରେ ବିଳମ୍ବ ହେଉଥିବାରୁ ବ୍ୟାଙ୍କ୍‍ରେ ସେମାନଙ୍କ ସୁଧ ପରିମାଣ ବଢିବାରେ ଲାଗିଛି । ତେଣୁ ବିହନ ଧାନ ବାବଦରେ ସେମାନେ ଯେତିକି ଅଧିକ ଅର୍ଥ ପାଇବେ ତାହା ସୁଧ ଆକାରରେ ଚାଲିଯିବ । ଏପରିକି ଧାନ ବିହନ ପାଇଁ ଆଣିଥିବା ଋଣ ସୁଝିପାରୁ ନଥିବାରୁ ସେମାନଙ୍କ ରବି ଫସଲ ପାଇଁ ବି ବ୍ୟାଙ୍କ୍‍ ଋଣ ଦେଉନାହାନ୍ତି ।

ଯେଉଁ ଚାଷୀମାନେ ସାଧାରଣ ଧାନ ଉତ୍ପାଦନ କରି ତାହାକୁ ସୋସାଇଟି ଜରିଆରେ ବିକ୍ରି କରିଛନ୍ତି ସେମାନେ ଧାନ ଦେବାର ୭ଦିନ ମଧ୍ୟରେ ଅର୍ଥ ପାଇଯାଉଛନ୍ତି । ହେଲେ ଯେଉଁଚାଷୀମାନେ ଧାନ ଚାଷ ପାଇଁ ଉନ୍ନତମାନର ବିହନ ଯୋଗାଣ କରୁଛନ୍ତି ସେମାନେ କିନ୍ତୁ ଏବେ ମୁଣ୍ଡରେ ହାତଦେଇ ବସୁଛନ୍ତି । ଏଥିପାଇଁ କିଛି ଚାଷୀ ବିହନ ନିଗମକୁ ଦାୟୀ କରୁଥିବାବେଳେ ଆଉ କିଛି ଚାଷୀ ଆଉ ବିହନ ଉତ୍ପାଦନ କରିବେ ନାହିଁ ବୋଲି କହିଲେଣି ।

ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ବିହନ ସଂଗ୍ରହ ପାଇଁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ବ୍ୟବସ୍ଥା ସହିତ ଧାନ ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଦେବାପରେ ଓଡିଶା କିଛି ବର୍ଷ ହେଲା ଧାନ ବିହନରେ ଆତ୍ମନିର୍ଭରଶୀଳ ହୋଇପାରିଛି । ତେବେ ଚଳିତବର୍ଷ ଯେଭଳି ଭାବେ ବିହନ ଉତ୍ପାଦନ କରୁଥିବା ଚାଷୀମାନେ ହଟହଟା ହେବା ଆରମ୍ଭ କଲେଣି ତାହା ଆଗାମୀ ଦିନରେ ରାଜ୍ୟରେ ଧାନ ବିହନ ଉତ୍ପାଦନ ଉପରେ ପ୍ରଭାବ ପକାଇବ ବୋଲି ଚାଷୀମାନେ ଖୋଲାଖୋଲି କହୁଛନ୍ତି । (ତଥ୍ୟ)