Home General ଧରାପଡିଲେ ୬୨ଗାଡି ଡିଲର

ଧରାପଡିଲେ ୬୨ଗାଡି ଡିଲର

ଭୁବନେଶ୍ୱର : ଗାଡି ବିକ୍ରି ସମୟରେ ଡିଲରମାନଙ୍କୁ ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜପତ୍ର ଯାଞ୍ଚ ଦାୟିତ୍ୱ ମିଳିବା ପରେ ୬୨ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିଛି । ଏମାନେ ବିନା ପଞ୍ଜିକରଣରେ ଗାଡିଗୁଡିକୁ ରାସ୍ତାରେ ଚାଲିବା ପାଇଁ ଛାଡି ଦେଉଛନ୍ତି ।

ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗାଡି ବିକ୍ରି କରୁଥିବା ଡିଲରମାନଙ୍କୁ ପଞ୍ଜିକରଣ ନିମନ୍ତେ ଆବଶ୍ୟକ କାଗଜପତ୍ର ସହିତ ଅନ୍ୟାନ୍ୟ ବିବରଣୀ ଅନଲାଇନରେ ଅପଲୋଡ କରିଥାନ୍ତି । ପରେ ସଂପୃକ୍ତ ଆରଟିଓଙ୍କ ଅନୁମୋଦନ ମିଳିଲେ ଗାଡିରେ ପଞ୍ଜିକୃତ ନମ୍ବର ସ୍ୱୟଂକ୍ରିୟ ଭାବେ ମିଳିଥାଏ । ଏହାପରେ ଗାଡି ଡେଲିଭରି ଦିଆଯାଇଥାଏ ।

ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା ପରଠାରୁ ୧୨ଟି ଆରଟିଓଙ୍କ ଅଧୀନରେ ଥିବା ୬୨ଜଣ ଡିଲରଙ୍କ ବିରୋଧରେ ବିନା ପଞ୍ଜିକରଣରେ ରାସ୍ତାକୁ ଗାଡି ଛାଡିବାର ଅଭିଯୋଗ ଆସିଛି । ଏହି ଡିଲରମାନେ ଝାରସୁଗୁଡା, ସୁନ୍ଦରଗଡ, ଭୁବନେଶ୍ୱର, ମୟୂରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୁଳ, ବରଗଡ, ପୁରୀ, ଦେବଗଡ, ସମ୍ବଲପୁର ଓ ରାଉରକେଲା ଆରଟିଓ ଅଧୀନରେ ରହିଛନ୍ତି ।

ଏମାନଙ୍କଠାରୁ ଜୋରିମାନା ବାବଦରେ ୬,୯୭,୮୮୦ ଟଙ୍କା ଆଦାୟ ହୋଇଛି । ବରଗଡ ଜିଲ୍ଲାର ମହେଶ ମୋଟର୍ସ ଓ ଅଭିଷେକ ମୋଟର୍ସ, ଦେବଗଡ ଜିଲ୍ଲାର ଅରବିଟ୍‍ ମୋଟର୍ସ, ଶ୍ରୀଗୁରୁ ମୋଟର୍ସ ଓ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‍ କର୍ପୋରେସନର ଟ୍ରେଡ୍‍ ସାର୍ଟିଫିକେଟ୍‍ ସସପେଣ୍ଡ କରାଯାଇଛି । ସଂଖ୍ୟାଧିକ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି ହୋଇଥିବା ବେଳେ ପରିବହନ କମିଶନର ୪ରୁ ୩୦ଦିନ ପର୍ଯ୍ୟନ୍ତ କେତେକ ଡିଲରଙ୍କ ଟ୍ରେଡ୍‍ ସାର୍ଟିଫିକେଟ ରଦ୍ଦ କରିଛନ୍ତି । (ତଥ୍ୟ)