Home News in Odia ଧରାପଡିଲା ହାଇଦର

ଧରାପଡିଲା ହାଇଦର

ଭୁବନେଶ୍ୱର : କଟକ ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ସମସ୍ତଙ୍କୁ ଚକ୍‍ମା ଦେଇ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟାର ହାଇଦରକୁ ଆଜି କମିଶନରେଟ ପୁଲିସ୍‍ ଧରିଛି । ତେଲେଙ୍ଗାନା ପୁଲିସ୍‍ ସହାୟତାରେ ତାକୁ ସିଙ୍ଗାରେଡି ଗିରଫ କରାଯାଇଥିବା ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ଯେ ହାଇଦର ଫେରାର ହେବାପରେ ତାକୁ ଧରିବା ଥିଲା ସବୁଠାରୁ ବଡ କାର୍ଯ୍ୟ । ଏଥିପାଇଁ ଆମେ ଗୁଇନ୍ଦା ବ୍ୟବସ୍ଥାକୁ ବ୍ୟବହାର କରିବା ସହିତ ଦୁଇଟି ଟିମ୍‍ ନେଇ ତାହାର ପିଛା କରିଥିଲୁ । ତେବେ ହାଇଦର ତେଲେଙ୍ଗାନାର ସିଙ୍ଗାରେଡି ଜିଲ୍ଲାରେ ଥିବା ନିର୍ଭର ସୂଚନା ମିଳିବାପରେ ସେହି ରାଜ୍ୟର ପୁଲିସ୍‍ର ସହାୟତାରେ ତାକୁ ଗିରଫ କରାଯାଇଛି ।

ଖୁବ୍‍ଶୀଘ୍ର ତାକୁ ଓଡିଶା ଅଣାଯାଇ ଅଦାଲତରେ ହାଜର କରାଯିବ ବୋଲି ସିପି ସୂଚନା ଦେଇଛନ୍ତି । ତେବେ ହାଇଦର ଫେରାର ହେବାପରେ ସିଏ ବାଙ୍ଗଲାଦେଶ ପଳାଇଛି ବୋଲି କିଏ ପ୍ରଚାର କରିଥିଲା ସେ ସଂକ୍ରାନ୍ତରେ ପୁଲିସ୍‍ ଜାଣିନଥିବା ସେ କହିଛନ୍ତି । ସେହିଭଳି ଏହି ଘଟଣା ପଛରେ ଷଡଯନ୍ତ୍ର ରହିଛି କି ନାହିଁ ସେ ସଂକ୍ରାନ୍ତରେ ମଧ୍ୟ ତଦନ୍ତ ହେବ ।

ଉଲ୍ଲେଖନୀୟ ଯେ ସମ୍ବଲପୁର ଜେଲ୍‍ରେ ଆଜୀବନ ସଜା କାଟୁଥିବା ହାଇଦର ଚିକିତ୍ସାପାଇଁ କଟକ ବଡମେଡିକାଲ ଆସିଥିବାବେଳେ ଗତ ୧୦ତାରିଖ ଦିନ ସର୍ଜରୀ ୱାର୍ଡରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ୍‍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି ।