Home News in Odia ଦ୍ୱିତୀୟ ଥର ପାଇଁ ପିପିଲି ଉପନିର୍ବାଚନ ସ୍ଥଗିତ

ଦ୍ୱିତୀୟ ଥର ପାଇଁ ପିପିଲି ଉପନିର୍ବାଚନ ସ୍ଥଗିତ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଆଜି ଦ୍ୱିତୀୟଥର ପାଇଁ ସ୍ଥଗିତ ରହିଛି । କରୋନାର ଭୟାବହତା ଦୃଷ୍ଟିରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁପାରିଶ୍‍ ଆଧାରରେ ଭାରତର ନିର୍ବାଚନ କମିଶନ ସ୍ଥଗିତ ଘୋଷଣା କରିଛନ୍ତି । ପ୍ରଥମଥର କଂଗ୍ରେସ ପ୍ରାର୍ଥୀଙ୍କ ଅକାଳନ ମୃତ୍ୟୁପାଇଁ ର୍ନିବାଚନ ସ୍ଥଗିତ ରହିଥିଲା ।

ପିପିଲି ଉପନିର୍ବାଚନ ଆଜି ସ୍ଥଗିତ ଘୋଷଣା ପରେ ଆସନ୍ତା ୧୬ ତାରିଖରେ ହେବାକୁ ଥିବା ମତଦାନ ପ୍ରକ୍ରିୟା ବାତିଲ ହୋଇଯାଇଛି । ଏହି ଉପନିର୍ବାଚନ ନେଇ ପୁଣିଥରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବ ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ପିପିଲିରେ ଉପନିର୍ବାଚନ ପ୍ରକ୍ରିୟା ଚାଲିଥିଲା । ପ୍ରଥମେ ଏପ୍ରିଲ୍‍ ୧୭ତାରିଖରେ ମତଦାନ ପାଇଁ ସ୍ଥିର ହେବା ସହିତ ନାମାଙ୍କନପତ୍ର ଦାଖଲ ଓ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିଲା । ବିଜେଡି ପ୍ରାର୍ଥୀ ଭାବେ ସ୍ୱର୍ଗତ ମହାରଥୀଙ୍କ ପୁତ୍ର ରୁଥ୍ର ମହାରଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ବିଜେପି ପ୍ରାର୍ଥୀଭାବେ ଆଶ୍ରିତ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବେ ଅଜିତ ମଙ୍ଗରାଜଙ୍କ ସମେତ ଆଉ କିଛି ପ୍ରାର୍ଥୀ ମଧ୍ୟ ମଇଦାନରେ ଥିଲେ ।

ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଭୋଟ ଗ୍ରହଣର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆଖିବୁଜିଥିଲେ । ଫଳରେ ବିଧି ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ କମିଶନ ତୁରନ୍ତ ନିର୍ବାଚନ ପକ୍ରିୟାକୁ ସ୍ଥଗିତ ରଖିଥିଲେ ।

ଏହାପରେ ମଇ ୧୩ତାରିଖରେ ଭୋଟ ଗ୍ରହଣ ପାଇଁ ଦିନଧାର୍ଯ୍ୟ ସହିତ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କଂଗ୍ରେସ ପ୍ରାର୍ଥୀଭାବେ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନାମାଙ୍କନପତ୍ର ଦାଖଲ କରିଥିଲେ । ଏହାପରେ ରମ୍‍ଜାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମତଦାନକୁ ଆଉ ୩ଦିନ ଅର୍ଥାତ୍‍ ମଇ ୧୬କୁ ଘୁଞ୍ଚାଇ ଦେଇଥିଲେ ।

ତେବେ ରାଜ୍ୟରେ କରୋନାର ପ୍ରକୋପ ବିଶେଷକରି ପୁରୀ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଥିବା ଦୃଷ୍ଟିରୁ ଉପନିର୍ବାଚନ ବାତିଲ ପାଇଁ କଂଗ୍ରେସ ଦାବିକରି ଆସୁଥିଲା । ଏ ନେଇ ହାଇକୋର୍ଟରେ ମାମଲା ରୁଜୁ ପରେ ଆସନ୍ତା ୭ତାରିଖକୁ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିଲା ।

ତେବେ ଆଜି ନିର୍ବାଚନ କମିଶନ ଉପନିର୍ବାଚନ ସ୍ଥଗିତ ନେଇ ଘୋଷଣା କରିବାପରେ ଏହା ପୁଣିଥରେ କେବେ ତାହା ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନରେ ପ୍ରଚାର ଚଳାଇଥିବା ବିଭିନ୍ନ ଦଳର ବହୁ ନେତା କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି ।