Home General ଦ୍ରୌପଦୀ ହେଲେ ଭାରତର ୧୫ତମ ରାଷ୍ଟ୍ରପତି

ଦ୍ରୌପଦୀ ହେଲେ ଭାରତର ୧୫ତମ ରାଷ୍ଟ୍ରପତି

ନୂଆଦିଲ୍ଲୀ: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ନେତ୍ରୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନର କେନ୍ଦ୍ରୀୟ ହଲରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ।

ସର୍ବୋଚ୍ଚ ପଦବୀରେ ର୍ନିବାଚିତ ହୋଇଥିବା ଶ୍ରୀମତୀ ମୁର୍ମୁ ହେଉଛନ୍ତି ପ୍ରଥମ ଆଦିବାସୀ ଏବଂ ଦ୍ୱିତୀୟ ମହିଳା । ସେ ଦେଶର ପ୍ରଥମ ରାଷ୍ଟ୍ର୍ରପତି ଯିଏକି ସ୍ୱାଧୀନ ଭାରତରେ ଜନ୍ମଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ଲୋକସଭା ବାଚସ୍ପତି ଓମ ର୍ବିଲା, ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ସମେତ ଭାରତର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଭାରତର ପ୍ରଧାନ ବିଚାରପତି ଏନ.ଭି. ରମନ୍ନା ଶପଥ ଗ୍ରହଣ କରାଇଛନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୂଟନୈତିକ ମିଶନର ମୁଖ୍ୟ, ସଂସଦର ସଦସ୍ୟ, ସାମରିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭାରତର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଶ୍ରୀମତୀ ମୁର୍ମୁ ନେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଜୁହାର! ନମସ୍କାର!

ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି । ଏହି ପବିତ୍ର ସଂସଦରୁ ମୁଁ ବିନମ୍ରତାର ସହ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ଏହି ସଂସଦ ଆଶା, ଆକାଂକ୍ଷା ଓ ଭାରତର ନାଗରିକମାନଙ୍କ ଅଧିକାରର ପ୍ରତୀକ ।

ଆପଣମାନଙ୍କ ସ୍ନେହ, ଆସ୍ଥା ଓ ସମର୍ଥନ ମୋର କାର୍ଯ୍ୟ ଓ ଦାୟୀତ୍ୱ ନିର୍ବାହ କାଳରେ ବିରାଟ ଶକ୍ତି ଭାବେ କାର୍ଯ୍ୟ କରିବ । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ତଥା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ମତେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛି । ଆଜିଠାରୁ ଆଉ ଅଳ୍ପଦିନ ମଧ୍ୟରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବ ।ଏହା ଏକ ଅପୂର୍ବ ସଂଯୋଗ ଯେ ଦେଶ ଯେତେବେଳେ ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ପାଳନ କରୁଥିଲା ସେତେବେଳେ ମୋର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା ।

ଆଉ ଆଜି ସ୍ୱାଧୀନତାର ୭୫ ବର୍ଷରେ ମୋତେ ନୂତନ ଦାୟୀତ୍ୱ ନିର୍ବାହ କରିବାକୁ ସୁଯୋଗ ମିଳିଛି । ମୋର ସୌଭାଗ୍ୟ ଯେ ଏପରି ଏକ ଐତିହାସିକ କ୍ଷଣ ଯେତେବେଳେ ଭାରତ ଆଗାମୀ ୨୫ ବର୍ଷରେ ଏହାର ଲକ୍ଷ୍ୟ ସାଧନ ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛି, ସେତେବେଳେ ମତେ ଏହି ଦାୟୀତ୍ୱ ମିଳିଛି ।
ମୁଁ ମଧ୍ୟ ସ୍ୱାଧୀନ ଭାରତରେ ଜନ୍ମିତ ପ୍ରଥମ ରାଷ୍ଟ୍ରପତି ।

ଆସନ୍ତା କାଲି ଅର୍ଥାତ ଜୁଲାଇ ୨୬ ତାରିଖ ଦିନ ଆମେ କାରଗୀଲ ବିଜୟ ଦିବସ ପାଳନ କରିବୁ । ଏହା ଭାରତୀୟ ସଶସ୍ତ୍ର ସେନାର ଉଭୟ ଶୌର୍ଯ୍ୟ ଓ ସଂଯମର ପ୍ରତୀକ । ଆଜି ମୁଁ ମୋର ଆଗୁଆ ଶୁଭେଚ୍ଛା ଦେଶର ସଶସ୍ତ୍ର ସେନା ଓ ସମସ୍ତ ନାଗରିକମାନଙ୍କୁ ଜଣାଉଛି । ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ ଦେଶର ପୂର୍ବଭାଗ ଓଡ଼ିଶାର ଏକ ଛୋଟ ଆଦିବାସୀ ଗ୍ରାମରୁ ମୁଁ ମୋ ଜୀବନ ଯାତ୍ରା ଆରମ୍ଭ କରିଥିଲି । ଯେଉଁ ପୃଷ୍ଠଭୂମିରୁ ମୁଁ ଆସିଛି ସେଠାରେ ପ୍ରାଥମିକ ଶିକ୍ଷାଲାଭ କରିବା ଏକ ସ୍ୱପ୍ନଭଳି । ମାତ୍ର ସମସ୍ତ ବାଧାବିଘ୍ନ ସତ୍ତ୍ୱେ ମୋ ସଂକଳ୍ପ ଦୃଢ଼ ଥିଲା ଓ ମୁଁ ଆମ ଗ୍ରାମର ପ୍ରଥମ ଝିଅ ଭାବେ କଲେଜରେ ପ୍ରବେଶ କଲି ।

ମୁଁ ଏକ ଆଦିବାସୀ ସମାଜରୁ ଆସିଛି । ମୁଁ ଜଣେ ୱାର୍ଡ କାଉନସିଲରରୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛି । ଗଣତନ୍ତ୍ରର ଜନନୀ ଭାରତ ବର୍ଷର ଏହାହିଁ ହେଉଛି ମହାନତା । ଆମ ଗଣତନ୍ତ୍ରର ଶକ୍ତି ପ୍ରତି ଏହା ହେଉଛି ଶ୍ରଦ୍ଧାଞ୍ଜଳି ଯେ ଗରୀବ ଘରେ ତଥା ଦୁର୍ଗମ ଆଦିବାସୀ ଅଞ୍ଚଳରେ ଜନ୍ମ ହୋଇଥିବା ଜଣେ ଝିଅ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିପାରିଛି । ମୁଁ ରାଷ୍ଟ୍ରପତି ପଦରେ ଆସୀନ ହେବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ଭାରତର ପ୍ରତ୍ୟେକ ଗରିବ ବ୍ୟକ୍ତିର ସଫଳତା ।

ମୋ ଆଗରେ ଭାରତର ରାଷ୍ଟ୍ରପତିତ୍ୱର ଏପରି ଏକ ମହାନ ପ୍ରତିଷ୍ଠା ରହିଛି ଯାହା ନିରବିଚ୍ଛିନ୍ନ ଭାବେ ବିଶ୍ୱରେ ଭାରତୀୟ ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବାରେ ଲାଗିଛି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରୁ ଆରମ୍ଭ କରି ଶ୍ରୀ ରାମନାଥ କୋବିନ୍ଦଜୀଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିମାନେ ଏହି ପଦରେ ଆସୀନ ହୋଇଛନ୍ତି । ଏହି ପଦବୀ ସହ ଦେଶର ପରମ୍ପରାର ମଧ୍ୟ ପ୍ରତିନିଧିତ୍ୱ କରିବା ପାଇଁ ମତେ ଦାୟୀତ୍ୱ ମିଳିଛି ।
ସମ୍ବିଧାନ ଅନୁସାରେ ମୁଁ ସର୍ବୋଚ୍ଚ କର୍ମନିଷ୍ଠା ସହ ମୋର ଦାୟୀତ୍ୱ ନିର୍ବାହ କରିବି । ମୋ ପାଇଁ ଭାରତର ଗଣତାନ୍ତ୍ରିକ, ସାଂସ୍କୃତିକ ଆଦର୍ଶ ଓ ସମସ୍ତ ନାଗରିକ ଶକ୍ତିର ଉତ୍ସ ହୋଇ ରହିବେ ।

ମୁଁ ଖୁସୀ ଯେ ଦେଶବ୍ୟାପୀ ସ୍ୱାଧୀନତା ସଂଗ୍ରାମ ପାଇଁ ଉତ୍ସର୍ଗୀକୃତ ଅନେକ ଆଦିବାସୀ ଗୋଷ୍ଠୀର ବୀରମାନଙ୍କ ସଂଗ୍ରହାଳୟମାନ ସ୍ଥାପିତ ହେଉଛି । ୭୫ବର୍ଷର ସଂସଦୀୟ ଗଣତନ୍ତ୍ର ଭାବେ ଭାରତ ବିକାଶର ସଂକଳ୍ପକୁ ଭାଗିଦାରୀତା ଓ ସହମତି ଭିତ୍ତିରେ ଆଗେଇ ନେଇଛି । ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ଆମେ ଅନେକ ଭାଷା, ଧର୍ମ, ସମ୍ପ୍ରଦାୟ, ଖାଦ୍ୟ ଓ ଜୀବନଶୈଳୀ ଏବଂ ପ୍ରଥା ଇତ୍ୟାଦିକୁ ଗ୍ରହଣ କରି ଏକ ଭାରତ, ଶ୍ରେଷ୍ଠ ଭାରତ ନିର୍ମାଣରେ ଲାଗି ପଡିଛୁ ।

ଏକ ଦଶନ୍ଧି ଆଗରୁ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମତେ ଜଣେ ଶିକ୍ଷକ ହିସାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଥିଲା । ଅଳ୍ପକିଛି ଦିନ ପରେ ଆମେ ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରିବା । ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ମତେ ଉତ୍ସାହିତ କରିଛି । ଶିକ୍ଷା ଅନୁଷ୍ଠାନ ଗୁଡିକ ସହ ମୋର ସକ୍ରିୟ ସହଯୋଗ ରହିଛି । ବିଭିନ୍ନ ପଦପଦବୀରେ ଜନ ପ୍ରତିନିଧି ଭାବେ ଓ ପରେ ରାଜ୍ୟପାଳ ଭାବେ ଶିକ୍ଷାନୁଷ୍ଠାନ ଗୁଡ଼ିକ ସହ କାର୍ଯ୍ୟ କରିଛି ।

ମୁଁ ଆମ ଦେଶର ଯୁବପୀଢ଼ିକୁ କହିବାକୁ ଚାହେଁ ଯେ ତୁମେମାନେ କେବଳ ନିଜର ଭବିଷ୍ୟତ ଗଠନ କରୁନାହଁ, ବରଂ ଦେଶ ଭବିଷ୍ୟତ ଗଠନର ମୂଳଦୂଆ ସ୍ଥାପନ କରୁଛି । ଦେଶର ରାଷ୍ଟ୍ରପତି ଭାବେ ମୁଁ ସଦାସର୍ବଦା ଆପଣମାନଙ୍କୁ ସହଯୋଗ କରିବି ।

ଆଜି ପର୍ଯ୍ୟନ୍ତ ମୁଁ ମୋ ଜୀବନରେ ଜୀବନକୁ ଜନସେବା ମାଧ୍ୟମରେ ଜାଣିଛି । ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ପ୍ରସିଦ୍ଧ କବି ଭୀମଭୋଇଙ୍କ ଏକ କବିତା ଅଛି “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ ।” ନିଜ ସ୍ୱାର୍ଥଠାରୁ ଜଗତ କଲ୍ୟାଣ କାହିଁ କେତେ ଗୁଣରେ ମହାନ । ବିଶ୍ୱ କଲ୍ୟାଣର ଏହି ଉତ୍ସାହ ସହ ମୁଁ ଆପଣମାନଙ୍କ ଆସ୍ଥା ଭାଜନ ହୋଇ ସମ୍ପୂର୍ଣ୍ଣ ଉତ୍ସାହୀ ଓ କର୍ତ୍ତବ୍ୟ ପରାୟଣ ହୋଇ କାର୍ଯ୍ୟ କରିବି ।