Home Administration ଦୋକାନ ଖୋଲିବ : ଗହଳି କରନ୍ତୁନି

ଦୋକାନ ଖୋଲିବ : ଗହଳି କରନ୍ତୁନି

ଭୁବନେଶ୍ୱର : ଲକ୍‍ଡାଉନ୍‍ ସମୟରେ ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସାମଗ୍ରୀ କିଣିବାପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ତେଣୁ ଲୋକମାନେ ଲକ୍‍ଡାଉନ୍‍ ପୂର୍ବରୁ ହାଟ ବଜାରରେ ଗହଳି ନକରିବାପାଇଁ ଅନୁରୋଧ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।

ଶ୍ରୀ ଜେନା ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି କହିଛନ୍ତି ଯେ ବୁଧବାର ସକାଳୁ ଲାଗୁ ହେବାକୁ ଥିବା ଲକ୍‍ଡାଉନ୍‍ ପୂର୍ବରୁ ଅର୍ଥାତ୍‍ ସୋମବାର ଦିନ ବହୁ ସଂଖ୍ୟାରେ ଲୋକେ ତେଜେରାତି ଦୋକାନ ଆଗରେ ଗହଳି କରୁଛନ୍ତି । ଏହାଦ୍ୱାରା ସେମାନେ ସାମଗ୍ରୀ ଖରିଦ ସହିତ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏପରିକି ସାମଗ୍ରୀ କିଣିବା ସହିତ ନିଜ ନିଜର ପିଲାଙ୍କୁ ଓ ଘର ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରନ୍ତି ।

ଲକ୍‍ଡାଉନ୍‍ ସମୟରେ ଗାଁ ଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ତେଜେରାତି, ମାଛ, ମାଂସ, ଅଣ୍ଡା, ପନିପରିବା ଆଦି ଦୋକାନ ଖୋଲିବ । ଲୋକେ ନିଜ ନିଜ ଘର ପାଖରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ତେଣୁ ଲକ୍‍ଡାଉନ୍‍ ପୂର୍ବରୁ ଭୟାତୁର ହୋଇ ବଜାରରେ ଗହଳି କରିବା ଉଚିତ୍‍ ନୁହେଁ ।

ସେହିଭଳି ଲକ୍‍ଡାଉନ୍‍ ସହିତ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍‍ଡାଉନ୍‍ ମଧ୍ୟ ଜାରି ରହିବ । ତେବେ ଏହି ସମୟରେ ଟିକାଗ୍ରହଣ, ଚିକିତ୍ସା, ବିମାନବନ୍ଦର ଓ ରେଳଷ୍ଟେସନକୁ ଜରୁରୀ କାମରେ ଲୋକେ ଯାଇପାରିବେ । ହେଲେ ଏଠାକୁ ଯିବା ସମୟରେ କୋଭିଡ ମାର୍ଗଦର୍ଶିକା ପାଳନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ।