Home Covid ଦୈନିକ ଛଅ ହଜାର ଟ୍ରେଣ୍ଡ ଜାରି

ଦୈନିକ ଛଅ ହଜାର ଟ୍ରେଣ୍ଡ ଜାରି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ଟ୍ରେଣ୍ଡ ଲଗାତାର ଭାବେ ୩ଦିନ ଧରି ୬ହଜାର ଉପରେ ରହିଥିବାବେଳେ ଗତ ୨୪ଘଣ୍ଟାରେ ରେକର୍ଡ ସଂଖ୍ୟା ୬୬୪୭ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଭଳି ଏହି ସମୟ ମଧ୍ୟରେ ଖୋରଧା ଜିଲ୍ଲା ପ୍ରଥମ ସ୍ଥାନରେ ରହିବା ସହିତ ଗୋଟିଏ ଦିନରେ ସର୍ବାଧିକ ୧୧୮୯ରେ ପହଞ୍ଚିଛି ।

କରୋନାର ଦ୍ୱିତୀୟ ଲହର ସଂକ୍ରମଣ ତୀବ୍ର ହେବା ଫଳରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୪ଲକ୍ଷ ଅତିକ୍ରମ କରି ୪,୦୧,୩୪୧ରେ ପହଞ୍ଚିଛି । ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ବି ୪୩ହଜାରକୁ ଅତିକ୍ରମ କରିଛି ।

ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୧୮୯ଜଣ ଥିବାବେଳେ ସୁନ୍ଦରଗଡରୁ ୭୮୮, ନୂଆପଡାରୁ ୫୫୯, ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡାରୁ ୩୪୩, କଟକରୁ ୩୩୬ ରହିଛି ।

ସେହିଭଳି ୨ଶହରୁ ୩ଶହ ମଧ୍ୟରେ ସଂକ୍ରମିତ ତାଲିକାରେ ଥିବା ଜିଲ୍ଲା ମଧ୍ୟରେ ବରଗଡରୁ ୨୯୦, ବଲାଙ୍ଗିରରୁ ୨୩୪, ନବରଙ୍ଗପୁରରୁ ୨୨୪ ରହିଛି । ଦୁଇ ଶହରୁ କମ୍‍ ସଂକ୍ରମିତ ତାଲିକାରେ ଥିବା ଜିଲ୍ଲା ମଧ୍ୟରେ କେନ୍ଦୁଝରରୁ ୧୮୩, ସମ୍ବଲପୁରରୁ ୧୭୫, ଗଞ୍ଜାମରୁ ୧୬୧, ଅନୁଗୁଳରୁ ୧୪୧, ଯାଜପୁରରୁ ୧୩୩, ମୟୁରଭଞ୍ଜରୁ ୧୨୨, ରାୟଗଡାରୁ ୧୧୬ ରହିଛି । ସବୁଠାରୁ କମ୍‍ ସଂକ୍ରମଣ ମାତ୍ର ୨ଜଣ ସୋନପୁର ଜିଲ୍ଲାରୁ ବାହାରିଥିବାବେଳେ ମାଲକାନଗିରିରୁ ୧୭ଜଣ ଚିହ୍ନଟ ହୋଇଛନ୍ତି ।

ଗତ ୨୪ଘଣ୍ଟାରେ କରୋନା ରାଜ୍ୟରେ ଆଉ ୮ମୁଣ୍ଡ ନେଇଛି । ଏଥି ସହିତ ମୃତ୍ୟୁସଂଖ୍ୟା ୧୯୮୧ ରେ ପହଞ୍ଚିଛି । ନୂଆ ମୃତକଙ୍କ ମଧ୍ୟରେ ସୁନ୍ଦରଗଡରୁ ୨ଜଣ ଥିବାବେଳେ ନୂଆପଡା, କଟକ, ବଲାଙ୍ଗିର, ଭଦ୍ରକ, ବରଗଡ ଓ ବାଲେଶ୍ୱରରୁ ଜଣେ କରି ଅଛନ୍ତି । ବାଲେଶ୍ୱରରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ବୟସ ୨୯ବର୍ଷ ଥିବାବେଳେ ଭଦ୍ରକରେ ମୃତ ଯୁବକଙ୍କ ବୟସ ୩୮ବର୍ଷ ଥିବା ଜଣାଯାଇଛି ।

କରୋନା ନମୂନା ପରୀକ୍ଷା ଗତ ଚବିଶ ଘଣ୍ଟାରେ ୪୧ହଜାର ହେବା ସହିତ ମୋଟ ନମୂନା ପରୀକ୍ଷା ସଂଖ୍ୟା ୯୮ଲକ୍ଷକୁ ଅତିକ୍ରମ କରିଛି । ହୋଇଥିବା ମୋଟ୍‍ ପରୀକ୍ଷା ମଧ୍ୟରେ ଚିହ୍ନଟ ପଜିଟିଭଙ୍କ ସଂଖ୍ୟା ୪.୦୮ ପ୍ରତିଶତରେ ପହଞ୍ଚିଥିବା ଜଣାଯାଇଛି ।