Home Covid ଦେଶରେ କମୁଛି ଓଡିଶାରେ ବଢୁଛି

ଦେଶରେ କମୁଛି ଓଡିଶାରେ ବଢୁଛି

ଭୁବନେଶ୍ୱର : ସମଗ୍ର ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସ ପାଉଥିବାବେଳେ ଓଡିଶାରେ ଏହା କିନ୍ତୁ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ଅଢେଇ ଲକ୍ଷ ଥିବାବେଳେ ମୃତ୍ୟୁ ସଂଖ୍ୟା ୪ହଜାର ତଳକୁ ଖସି ଆସିଛି । ଦେଶରେ ସର୍ବୋଚ୍ଚ ସଂକ୍ରମଣ ଦୈନିକ ୪ଲକ୍ଷକୁ ଟପିଥିବାବେଳେ ମୃତ୍ୟୁସଂଖ୍ୟା ବି ୪ହଜାର ଉପରେ ରହୁଥିଲା ।

ତେବେ ଓଡିଶାରେ କିନ୍ତୁ ସଂକ୍ରମଣ ଓ ମୃତ୍ୟୁ କମିବା ପରିବର୍ତ୍ତେ ବୃଦ୍ଧି ପାଇ ଦୈନିକ ନୂଆ ରେକର୍ଡ କରିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୨,୮୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ସର୍ବାଧିକ ୨୮ ରହିଛି । ଏହା ଫଳରେ ରାଜ୍ୟରେ ସଂକ୍ରମିତଙ୍କ ମୋଟ୍‍ ସଂଖ୍ୟା ୭ଲକ୍ଷ ନିକଟତର ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨୪୮୪ ରେ ପହଞ୍ଚିଛି ।

ସରକାରୀ ଭାବେ ଗୋଟିଏ ଦିନରେ ସର୍ବାଧିକ ୨୮ଜଣ କରୋନାରେ ମୃତ୍ୟୁବରଣ କରିଥିବାବେଳେ ଏମାନଙ୍କ ମଧ୍ୟରୁ ଖୋରଧାରୁ ସର୍ବାଧିକ ୫ଜଣ ରହିଛନ୍ତି । ସେହିଭଳି କଳାହାଣ୍ଡି ଓ ସୁନ୍ଦରଗଡରୁ ୪ଜଣ କରି ଥିବାବେଳେ ଅନୁଗୁଳ ଓ କେନ୍ଦ୍ରାପଡାରୁ ୩ଜଣ କରି, ପୁରୀ, ରାୟଗଡା ଓ ନବରଙ୍ଗପୁରରୁ ୨ଜଣ କରି ଏବଂ ନୂଆପଡା, ଗଞ୍ଜାମ ଓ ଗଜପତିରୁ ଜଣେ କରି ରହିଛନ୍ତି ।

ସେହିଭଳି ରେକର୍ଡ ସଂଖ୍ୟା ୧୨,୮୫୨ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୯୦୯ ଓ କଟକରୁ ୧୦୭୩ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ହଜାରେ ତଳକୁ ଥିବାବେଳେ ସବୁଠାରୁ କମ୍‍ ୫୫ଜଣ ରହିଛି ସୋନପୁର ଜିଲ୍ଲାରେ । ନୂଆପଡାରେ ୭୦ଜଣ ଚିହ୍ନଟ ହୋଇଥିବାବେଳେ ଗଜପତିରେ ଏହି ସଂଖ୍ୟା ୭୭ ରହିଛି ।

ରାଜ୍ୟରେ ଆଜି ସୁଦ୍ଧା ୧,୧୩,୦୫,୫୬୪ ଟି କରୋନା ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୬.୧୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦିନକୁ ଦିନ ସକ୍ରିୟଙ୍କ ତୁଳନାରେ ସୁସ୍ଥହାର କମ୍‍ ରହୁଥିବାରୁ ରାଜ୍ୟରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୧୧ହଜାରକୁ ଟପିଯାଇଛି ।