Home Education ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍‌’

ଦେଶରେ ଉଦାହରଣ ସୃଷ୍ଟିକରିଛି ‘ମୋ ସ୍କୁଲ୍‌’

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୭ ମସିହାରେ ଆରମ୍ଭ ହୋଇଥିବା ମୋ ସ୍କୁଲ୍‌ ଅଭିଯାନ ଆଜି ସମଗ୍ର ଭାରତବର୍ଷରେ ପ୍ରଶଂସିତ ହେଉଛି । ଅତୀତକୁ ବର୍ତ୍ତମାନ ସହ ଯୋଡ଼ìଥିବା ଏହି ଅଭିଯାନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ବରଦାନ ସଦୃଶ ହୋଇଛି ।

ଏହା କେବଳ ଏକ ପ୍ଲାଟ୍‌ଫର୍ମ ନୁହେଁ, ନିଜେ ପଢିଥିବା ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହେବାପାଇଁ ଏକ ସୁଯୋଗ ବୋଲି କହିଛନ୍ତି ଉଚ୍ଚଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ କୁମାର
ସାହୁ । ସୋମବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ସମ୍ମିଳନୀ କକ୍ଷରେ ମୋ ସ୍କୁଲ୍‌ ଅଭିଯାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ପକ୍ଷରୁ ଆୟୋଜିତ ଏକ ଏମ୍‌ଓୟୁ ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେଇ ଡ. ସାହୁ କହିଥିଲେ, ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଆର୍ଥିକ ସହଯୋଗ ନେବା ଆମର ଲକ୍ଷ୍ୟ ନୁହେଁ ।

ନିଜେ ପଢିଥିବା ବିଦ୍ୟାଳୟ ସହ ଭାବଗତ ସମ୍ପର୍କ ରଖିବା ଓ ଶିକ୍ଷାଦାନ ପ୍ରକ୍ରିୟାରେ ସହଯୋଗର ହାତ ବଢାଇବାକୁ ଆମେ ଉତ୍ସାହିତ କରୁଛୁ । ମୋ ସ୍କୁଲ୍‌ ଅଭିଯାନ ଆରମ୍ଭ ହେବାପରେ ସରାକାରୀ ବିଦ୍ୟାଳୟର ରୂପ ପରିବର୍ତ୍ତନ ହୋଇଛି । ଶିକ୍ଷା ସହ କ୍ରୀଡ଼ା ଓ ଅନ୍ୟାନ୍ୟ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ମୋ ସ୍କୁଲ୍‌ ଏକ ଆନ୍ଦୋଳନରେ ପରିଣତ ହୋଇଥିବା ସେ ମତ ଦେଇଥିଲେ ।

ସେ ଆହୁରି କହିଥିଲେ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଆଜି ଯେଉଁମାନେ ସହଯୋଗର ହାତ ବଢାଉଛନ୍ତି, ସେମାନେ ଦେଶ ଓ ରାଜ୍ୟ ପାଇଁ ମହତ୍‌ କାର୍ଯ୍ୟ କରୁଛନ୍ତି । ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଶିକ୍ଷାର ବିକାଶ ପାଇଁ ସହଯୋଗର ହାତ ବଢାଇ ଅନ୍ୟ ବ୍ୟାଙ୍କ୍‌ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ସେ କହିଥିଲେ ।

ମୋ ସ୍କୁଲ୍‌ ଅଭିଯାନ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମଧ୍ୟରେ ସ୍ୱାକ୍ଷର ହୋଇଥିବା ଏହି ଏମ୍‌ଓୟୁ ଦ୍ୱାରା ନୟାଗଡ଼ ଜିଲ୍ଲାର ୩ଟି ଉଚ୍ଚ ବିଦ୍ୟାଳୟ ଏବଂ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଦିଗରେ ପଦକ୍ଷେପ ନିଆଯିବ । ସେଗୁଡ଼ିକ ହେଲା ମଧ୍ୟଖଣ୍ଡ ନୋଡାଲ ହାଇସ୍କୁଲ୍‌, କେ.ସି. ନୋଡାଲ ବିଦ୍ୟାପୀଠ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାସଙ୍ଗ ଏବଂ ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ । ଭିତ୍ତିଭୂମି ବିକାଶ ସହ ସ୍କୁଲ୍‌ରେ ଶୈକ୍ଷିକ ପରିବେଶର ବିକାଶକୁ ପ୍ରାଥମିକତା ଦେବା ପ୍ରମୁଖ ଲକ୍ଷ୍ୟ ରହିବ ।

ଏହି ୪ଟି ଯାକ ବିଦ୍ୟାଳୟରେ ମନ୍ତ୍ରୀ ଡ. ସାହୁ ନିଜେ ପାଠ ପଢିଥିବା ବେଳେ ସ୍କୁଲ୍‌ଗୁଡ଼ିକର ବିକାଶ ପାଇଁ ସେ ଏକାଧିକ ପଦକ୍ଷେପ ନେଇଛନ୍ତି । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମୋ ସ୍କୁଲ୍‌ ଅଭିଯାନ ସଫଳତାର ଶୀର୍ଷରେ ପହଞ୍ଚିଥିବା କହିଥିଲେ । ମୋ ସ୍କୁଲ୍‌ ସହ ୭ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ଏବଂ ବଦାନ୍ୟ ବ୍ୟକ୍ତିବିଶେଷ ଯୋଡ଼ିହୋଇ ସ୍କୁଲ୍‌ର ବିକାଶ ପାଇଁ ଆର୍ଥିକ ଏବଂ ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିଛନ୍ତି । ଶିକ୍ଷାର ବିକାଶ ଦିଗରେ ସାହାଯ୍ୟ ଓ ସହଯୋଗ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲ୍‌ ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଓଡ଼ିଶା ଶାଖା ଡେପୁଟି ଭାଇସ୍‌ ପ୍ରେସିଡେଣ୍ଟ୍‌ ଶ୍ରୀ ଅଜିତ କୁମାର ପାଢୀ ଉପସ୍ଥିତ ରହି ଏହି ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ । ଆଗାମୀ ଦିନରେ ଏଚ୍‌ଡିଏଫ୍‌ସି ପକ୍ଷରୁ ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ଏକାଧିକ ପଦକ୍ଷେପ ନିଆଯିବ ଏବଂ ମୋ ସ୍କୁଲ୍‌ ଅଭିଯାନ ସହ ମିଶି ବ୍ୟାଙ୍କ୍‌ ଆହୁରି ଅଧିକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଓଡ଼ିଶା ଶାଖା ଭାଇସ୍‌ ପ୍ରେସିଡେଣ୍ଟ୍‌ ଶ୍ରୀ ଅନିମେଶ ବିଶ୍ୱାଳ କହିଥିଲେ। କାର୍ଯ୍ୟକ୍ରମକୁ ମୋ ସ୍କୁଲ୍‌ ସଦସ୍ୟ ସଚିବ ଶ୍ରୀ ଅନୁପମ ସାହା ପରିଚାଳନା କରିଥିବାବେଳେ ମୋ ସ୍କୁଲ୍‌ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅମରଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।