Home News in Odia ଦେବାଶିଷ ଓ ଶୁଭାଶିଷଙ୍କୁ ରାଜ୍ୟସଭା ଟିକଟ

ଦେବାଶିଷ ଓ ଶୁଭାଶିଷଙ୍କୁ ରାଜ୍ୟସଭା ଟିକଟ

ଭୁବନେଶ୍ୱର: ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ର ଦୁଇ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କ ନାମ ଘୋଷଣା କରାଯାଇଛି।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ନେତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି।

ଦେବାଶିଷ ସାମନ୍ତରାୟ ପୂର୍ବତନ ବିଧାୟକ ଥିବାବେଳେ ଆସନ୍ତା ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ଟିକଟରେ ଲଢିବାପାଇଁ ଆଶାୟୀ ଥିଲେ । ଗତ ନିର୍ବାଚନରେ ଦେବାଶିଷ ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମଙ୍କ ଠାରୁ ହାରି ଯାଇଥିଲେ ।

ସେହିଭଳି ବିଜୁ ଯୁବ ଜନତାଦଳର ଉପସଭାପତି ଥିବା ଶୁଭାଶିଷ ଖୁଣ୍ଟିଆ ଓରଫ ଲକି ଖୁଣ୍ଟିଆ ପୁରୀ ବିଧାନସଭା ଆସନରୁ ଲଢିବାପାଇଁ ଜୋରଦାର ସାଂଗଠନିକ କାର୍ଯ୍ୟ ଚଳାଇଥିଲେ ।

ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରି ୨୭ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ରାଜ୍ୟ ବିଧାନସଭା ପରିସରରେ ମତଦାନ ହେବ ଏବଂ ସେହିଦିନ ଅପରାହ୍ନ ୫ଟାରେ ଭୋଟ୍ ଗଣତି ହେବ। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଫେବ୍ରୁଆରି ୧୫ ରହିଛି।

ବିଜେଡିର ଦୁଇ ଜଣ ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ବର୍ଷ ଏପ୍ରିଲରେ ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ କରିବେ।

୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ୨ଟି ଆସନ ପାଇଁ ପ୍ରାର୍ଥୀ କରିଛି।