Home Culture ଦୃଷ୍ଟି ଆକର୍ଷଣ କଲା ନିର୍ମଳାଙ୍କ ଓଡିଶା ପାଟଶାଢୀ

ଦୃଷ୍ଟି ଆକର୍ଷଣ କଲା ନିର୍ମଳାଙ୍କ ଓଡିଶା ପାଟଶାଢୀ

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚତୁର୍ଥଥର ପାଇଁ କେନ୍ଦ୍ର ବଜେଟ୍‍ ଉପସ୍ଥାପନ କରିଥିବାବେଳେ ସେ ପିନ୍ଧିଥିବା ଓଡିଶା ପ୍ରସ୍ତୁତ ହାଲକା ଧଳା ପାହାଡି ଥିବା ବାଇଗିଣି ରଙ୍ଗର ବୋମକେଇ ପାଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ମୁଣ୍ଡ ଉପରେ ଉତ୍ତରପ୍ରଦେଶ ନିର୍ବାଚନ ଥିଲେ ମଧ୍ୟ ନିର୍ମଳା ବନାରସୀ ଶାଢୀ ବଦଳରେ ବୋମକେଇ ପାଟକୁ ପସନ୍ଦ କରିଛନ୍ତି ।

ଏଥିରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କର ଓଡିଶା ପ୍ରତି ଥିବା ଭଲ ପାଇବା ପ୍ରଦର୍ଶିତ ହୋଇଛି । ନିର୍ମଳା ପିନ୍ଧିଥିବା ବୋମକେଇ ପାଟ ସାଧାରଣତଃ ପଶ୍ଚିମଓଡିଶାର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ପାରମ୍ପରିକ ସିଲ୍ପ ଶାଢୀ ଯାହାକି ସୋନପୁରୀ ଶାଢୀ ନାମରେ ଜଣାଶୁଣା ତାହା ପଶ୍ଚିମଓଡିଶାରେ ପ୍ରସ୍ତୁତି ପାଇଁ ବେଶ୍‍ ଖ୍ୟାତ । ପାରମ୍ପରିକ ପଦ୍ଧତିରେ ଉନ୍ନତମାନର ସିଲ୍କ ସୂତାରେ କାରିଗରମାନେ ଏହାକୁ ପ୍ରସ୍ତୁତ କରିଥାନ୍ତି ।

ବଜେଟ୍‍ ଉପସ୍ଥାପନ ସମୟରେ ସଂସଦରେ ଶ୍ରୀମତୀ ସୀତାରମଣ ବୋମକେଇ ପାଟ ସହିତ ଧଳା ଶାଲ୍‍ ପକାଇଥିଲେ । ଏଥି ସହିତ ସେ ମୁଣ୍ଡରେ ନାଲି ବିନ୍ଦି ଲଗାଇବା ସହ ଛୋଟ କାନଫୁଲ ଓ ସୁନା ଚେନ୍‍ ଓ ସୁନା ଚୁଡି ପିନ୍ଧିଥିବା ଲକ୍ଷ୍ୟ କରାଯାଇଥିଲା । ୨୦୨୧ ବଜେଟ୍‍ ଉପସ୍ଥାପନ ସମୟରେ ଶ୍ରୀମତୀ ସୀତାରମଣ ନାଲି ଏବଂ ଈଷତ୍‍ ଧଳାରଙ୍ଗ ଥିବା ପୋଚାମପାଲି ସିଲ୍କ ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେତେବେଳେ ମଧ୍ୟ ସେ ସୁନା ଚେନ୍‍, ଚୁଡି ଓ ସୁନାର ଛୋଟ କାନଫୁଲ ପିନ୍ଧିଥିଲେ । ଏହା ପୂର୍ବରୁ ୨୦୨୦-୨୧ ବଜେଟ୍‍ ଅଧିବେଶନ ସମୟରେ ନିର୍ମଳା ଗୃହରେ ହଳଦିଆ-ସୁନେଲି ରଙ୍ଗ ଥିବା ଶାଢୀ ପିନ୍ଧି ଆସିଥିଲେ ।

ହସ୍ତତନ୍ତ ଶାଢୀର ପ୍ରୋତ୍ସାହନ ପାଇଁ ୨୦୧୯ରେ ନିର୍ମଳା ଟୁଇଟ୍‍ କରି କହିଥିଲେ ଯେ ‘ସିଲ୍କ ହେଉ କିମ୍ବା ସୂତା, ଓଡିଶାର ହସ୍ତତନ୍ତ ଶାଢୀ ହେଉଛି ମୋର ଭାରି ପସନ୍ଦ, ଏହାର ବୁଣାଶୈଳୀ ଓ ମାନ ବହୁତ ଭଲ ।’ ସେହିଭଳି କେନ୍ଦ୍ର ବଜେଟ୍‍ ପ୍ରସ୍ତୁତ ପଛରେ ମଧ୍ୟ ଓଡିଶାର ଆଉ ଦୁଇଟି ମୁଣ୍ଡ ଖଟାଯାଇଥିବା ସୂଚନା ମିଳିଛି ।

ଏହି ଦୁଇ ଜଣ ହେଲେ କେନ୍ଦ୍ର ଅର୍ଥ ସେବା ବିଭାଗର ସଚିବ ଥିବା ଓଡିଆ ପୁଅ ଦେବାଶିଷ୍‍ ପଣ୍ଡା ଏବଂ ଡିଆଇପିଏଏମ୍‍ର ସଚିବ ଥିବା ଓଡିଶା କ୍ୟାଡର ଆଇଏଏସ୍‍ ଅଫିସର ତୁହିନକାନ୍ତ ପାଣ୍ଡେ । ଆର୍ଥିକ ସେବା ବିଭାଗର ସଚିବ ପଦରୁ ଶ୍ରୀ ପଣ୍ଡା ଜାନୁୟାରୀ ୩୧ ତାରିଖରେ ଅବସର ଗ୍ରହଣ କରିଥିବାବେଳେ କେନ୍ଦ୍ରର ମୋଦି ସରକାର ଓଡିଶା କ୍ୟାଡରର ଆଉ ଜଣେ ଦକ୍ଷ ଆଇଏଏସ୍‍ ଅଫିସର ରାଜେଶ ବର୍ମାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । (ତଥ୍ୟ)