Home Judiciary ଦୁର୍ନୀତି ନିବାରଣ ମାମଲାରେ ଦଣ୍ଡବିଧାନ ଅଧିକ

ଦୁର୍ନୀତି ନିବାରଣ ମାମଲାରେ ଦଣ୍ଡବିଧାନ ଅଧିକ

ଦୁର୍ନୀତି ନିବାରଣ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଜାତୀୟ ହାରଠାରୁ ଅଧିକ । ସଦ୍ୟ ପ୍ରକାଶିତ ଭାରତ ସରକାରଙ୍କ ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ତଥ୍ୟରୁ ଏହା ଜଣାପଡ଼ିଛି ।

ଦୁର୍ନୀତି ନିବାରଣ ଆଇନ୍‍ ଆଧାରରେ ରୁଜୁ ହୋଇଥିବା ମାମଲାଗୁଡ଼ିକ ମଧ୍ୟରୁ ୨୦୧୯ ବର୍ଷରେ ସର୍ବଭାରତୀୟ ସ୍ତରରେ ଦଣ୍ଡବିଧାନ ହାର ୪୪.୩ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୪୮.୬ ପ୍ରତିଶତ ରେକର୍ଡ କରାଯାଇଛି । ଏ କ୍ଷେତ୍ରରେ ଓଡ଼ିଶା ଆସାମ, ବିହାର, ଗୁଜରାଟ, ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଭଳି ଅନେକ ରାଜ୍ୟକୁ ପଛରେ ପକାଇଛି ।

୨୦୧୯ ମସିହାରେ ସମଗ୍ର ଦେଶରେ ୨୭,୦୧୭ଟି ଦୁର୍ନୀତି ନିବାରଣ ମାମଲା ବିଭିନ୍ନ ରାଜ୍ୟରେ ବିଚାର ପ୍ରତୀକ୍ଷାରେ ଥିଲା । ଏଥିମଧ୍ୟରୁ ୯୨୮ଟିରେ ଦଣ୍ଡବିଧାନ ହୋଇଥିବା ବେଳେ ୧୧୨୧ଟିରେ ଅଭିଯୁକ୍ତମାନେ ଖସି ଯାଇଥିଲେ । ମୋଟ୍‍ ମାମଲା ମଧ୍ୟରୁ ୮.୪ ପ୍ରତିଶତ ଫଇସଲା ହେବା ପରେ ୨୦୨୦ ଆରମ୍ଭ ବେଳକୁ ୨୪,୭୪୦ ମାମଲା ବିଚାର ପାଇଁ ରହିଥିଲା । କେବଳ ଗତବର୍ଷ ଦେଶରେ ୨୬୯୯ଟି ଦୁର୍ନୀତି ମାମଲା ବିଚାର ପାଇଁ ଆସିଥିଲା ।

ଓଡ଼ିଶା ପ୍ରସଙ୍ଗରେ ଏନ୍‍ସିଆର୍‍ବି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୧୮ ଶେଷ ସୁଦ୍ଧା ରାଜ୍ୟରେ ୩୩୫୨ଟି ଦୁର୍ନୀତି ନିବାରଣ ମାମଲା ବିଚାର ପାଇଁ ଥିବା ବେଳେ ଗତବର୍ଷ ଆଉ ୧୬୭ଟି ମାମଲା ବିଚାର ପାଇଁ ଆସିଥିଲା । ମୋଟାମୋଟି ଭାବେ ୨୦୧୯ରେ ଓଡ଼ିଶାରେ ୩୫୧୯ଟି ଦୁର୍ନୀତି ନିବାରଣ ମାମଲା ବିଚାର ପାଇଁ ଥିଲା । ଏଥିରୁ ୨୫ଟି ମାମଲା ବିନା ବିଚାରରେ ଫଇସଲା ହୋଇଥିବା ବେଳେ ୧୩୮ଟି ମାମଲାର ବିଚାର ଶେଷ ହୋଇଥିଲା । ଏଥିମଧ୍ୟରୁ ୬୭ଟିରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅଦାଲତ ୭୧ଟି ମାମଲାରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି ।

ତେବେ ୨୦୨୦ ଆରମ୍ଭ ବେଳକୁ ଓଡ଼ିଶାରେ ୩୩୫୬ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ରହିଛି । ରାଜ୍ୟରେ ଦଣ୍ଡବିଧାନ ହାର ୪୮.୬ ପ୍ରତିଶତ ହୋଇଥିବା ବେଳେ ମୋଟ୍‍ ମାମଲା ୪.୬ ପ୍ରତିଶତ କିନ୍ତୁ ଫଇସଲା ହୋଇଛି । ଗତବର୍ଷ ଓଡ଼ିଶା ସରକାର ଦୁର୍ନୀତି ଅଭିଯୋଗରେ ଦୋଷୀସାବ୍ୟସ୍ତ କେତେକ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଅନ୍ତତଃପକ୍ଷେ କାରାଦଣ୍ଡାଦେଶ ପାଇଥିବା ୮୦ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ଗ୍ରହଣ କରିଥିବା ଏହି ରିପୋର୍ଟରୁ ଜଣାପଡ଼ିଛି ।