Home News in Odia ଦୁର୍ନୀତି ଧରପଗଡ ଯୋଗୁଁ ଅଧିକାରୀ ଛାନିଆଁ

ଦୁର୍ନୀତି ଧରପଗଡ ଯୋଗୁଁ ଅଧିକାରୀ ଛାନିଆଁ

ଭୁବନେଶ୍ୱର : କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ପରେ ଜଣେ ଯନ୍ତ୍ରୀ ଓ ଅନ୍ୟ ସରକାରୀ ଅଧିକାରୀ ଧରାପଡିବା ଘଟଣା ଲାଞ୍ଚଖୋର୍‍ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ନିକଟରେ ଜଣେ ଯନ୍ତ୍ରୀଙ୍କ ଘରୁ ପାଖାପାଖି ୪୨ ଲକ୍ଷ ଟଙ୍କାର ନଗଦ ଅର୍ଥ ଜବତ ସହ ୨କୋଟି ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଠୁଳ ଘଟଣା ଚର୍ଚ୍ଚାରେ ଥିବାବେଳେ ତାହା ପୂର୍ବରୁ ଅନ୍ୟଜଣେ ଯନ୍ତ୍ରୀଙ୍କ ଘରୁ ନଗଦ ୩୮ ଲକ୍ଷ ଟଙ୍କା ଜବତ ସଂଗେ ସଂଗେ ବହୁ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଦୁର୍ନୀତି ନିବାରଣ ବିଭାଗ ଠାବ କରିଛି ।

କେବଳ ଯନ୍ତ୍ରୀ ନୁହନ୍ତି, ଷ୍ଟାଫ୍‍ ସିଲେକ୍ସନ କମିଶନରେ କାର୍ଯ୍ୟରତ ଜଣେ ବ୍ୟକ୍ତିଗତ ସହାୟକଙ୍କ ଆୟବହିର୍ଭୂତ ସମ୍ପତ୍ତି ଦେଖି ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଆବାକାବା ହୋଇଥିବା ବେଳେ ସାରା ରାଜ୍ୟରେ ବି ନିଯୁକ୍ତି ଦୁର୍ନୀତି ଘେନି ସନ୍ଦେହ ପ୍ରକାଶ ପାଇଛି । ରାଜଧାନୀ ଭୁବନେଶ୍ୱରରୁ ମୟୂରଭଞ୍ଜ, ମାଲକାନଗିରି ପର୍ଯ୍ୟନ୍ତ ଯେଉଁଠି ବି କୌଣସି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହେଉଛି ସେଠୁ ପୁଳା ପୁଳା ଟଙ୍କା ସହ ବିପୁଳ ଆୟବହିର୍ଭୂତ ସମ୍ପତ୍ତିର ସୂଚନା ମିଳୁଛି । ଏମିତିକି ପୋଲିସ ଅଧିକାରୀମାନେ ବି ଏଥିରୁ ବାଦ୍‍ ପଡୁନାହାନ୍ତି ।

ରାଜ୍ୟରେ ଏବେ ପାଖାପାଖି ୨୩ ହଜାର ଆର୍ଥିକ ଅପରାଧ ମାମଲା ବିଭିନ୍ନ ଆଇନ ଅଦାଲତରେ ବିଚାର ପ୍ରତୀକ୍ଷାରେ ରହିଛି । ଆର୍ଥିକ ଅପରାଧ ମାମଲାରେ ଗତବର୍ଷ ଜାତୀୟସ୍ତରରେ ଦଣ୍ଡବିଧାନ ହାର ୩୩.୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୪୭ ପ୍ରତିଶତ ଥିଲା । ତେବେ ଏହି ବର୍ଷରେ ରାଜ୍ୟରେ ବିଚାର ପ୍ରତୀକ୍ଷାରେ ଥିବା ୨୨,୬୯୦ଟି ଆର୍ଥିକ ଅପରାଧ ମାମଲା ଭିତରୁ ମାତ୍ର ୧୩୨ଟିର ଫଏସଲା ହୋଇଥିଲା, ଯେଉଁଥିରେ ମୋଟେ ୬୨ଟିରେ ଦଣ୍ଡବିଧାନ କରାଯାଇଥିଲା । ଅବଶ୍ୟ ଏହି ଦଣ୍ଡବିଧାନ ଆଦେଶ ବିରୋଧରେ ହାଇକୋର୍ଟରେ ଅନେକଗୁଡିଏ ଅପିଲ ହୋଇଛି ।

ଦୁର୍ନୀତି ମାମଲାରେ ଜେଲ୍‍ ଜୋରିମାନା ଦଣ୍ଡରେ ଦଣ୍ଡିତ ଅନେକ ଯନ୍ତ୍ରୀ ଓ ଅମଲାତନ୍ତ୍ରୀ ଅପିଲ ମାଧ୍ୟମରେ ବର୍ଷ ବର୍ଷ ଧରି ମାମଲା ଗଡାଇ ଚାଲିବାରେ ସେମାନଙ୍କ ଅବସର ଏମିତିକି ମୃତ୍ୟୁ ପର୍ଯ୍ୟନ୍ତ ବି କିଛି ମାମଲା ସରୁନାହିଁ । ଫଳରେ ବହୁ କ୍ଷେତ୍ରରେ ଦୁର୍ନୀତି ମାମଲା ଅପ୍ରାସଙ୍ଗିକ ହୋଇପଡୁଛି ।

କିଛିବର୍ଷ ତଳେ ମାତ୍ର ୩ଶହ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ପୋଲିସ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ ମଧ୍ୟ ପରେ ତାଙ୍କର ପଦୋନ୍ନତି ହୋଇ ସେ ଯାଜପୁର ଜିଲ୍ଲାରୁ ଅବସର ଗ୍ରହଣ କଲେ । ସଂପୃକ୍ତ କର୍ମଚାରୀଙ୍କୁ ଅଦାଲତ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଅଥଚ ସେ ଦଣ୍ଡଭୋଗ ନ କରି ଅବସର ଗ୍ରହଣ କରିନେଲେ ଏବଂ ଇତିମଧ୍ୟରେ ତାଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ ପରିବାର ପେନସନ ଆଦି ପାଉଛନ୍ତି । ଏଭଳି ଘଟଣା କିପରି ଘଟିଲା ସେଥିଘେନି ଏବେ ଖୋଳତାଡ ଚାଲିଛି ।

ସରକାରୀ କର୍ମଚାରୀ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ସମ୍ପତ୍ତି ତାଲିକା ଦେବାର ବ୍ୟବସ୍ଥା ରହିଛି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପତ୍ତି ତାଲିକା ନ ଦେଲେ ଏବଂ ଦାଖଲ କରିଥିବା ତାଲିକାରେ ତ୍ରୁଟି ଥିଲେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଦଣ୍ଡବିଧାନର ବ୍ୟବସ୍ଥା ଅଛି । ତେବେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ଠୁଳ ଅଭିଯୋଗରେ ଦୁର୍ନୀତି ନିବାରଣ ବିଭାଗ ଯେଉଁ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଧରୁଛନ୍ତି ସେମାନଙ୍କ ଦାଖଲ ସମ୍ପତ୍ତି ତାଲିକାରେ ଏହି ସମ୍ପତ୍ତିର ପୂର୍ଣ୍ଣାଙ୍ଗ ବିବରଣୀ ନଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି କାର୍ଯ୍ୟାନୁଷ୍ଠାନ ଆଗରୁ ନେଲେ ନାହିଁ ସେଥିଘେନି ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଦୁର୍ନୀତି ଯୋଗୁଁ ଦାରିଦ୍ର‌୍ୟ ଦୂରୀକରଣ, ସାମାଜିକ ନିରାପତ୍ତା ଏବଂ ବିକାଶ କାର୍ଯ୍ୟ ବହୁ ମାତ୍ରାର ବାଧାପ୍ରାପ୍ତ ହେଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ଗୁରୁତ୍ୱାରୋପ କରୁଥିଲେ ମଧ୍ୟ ତଳୁ ଉପର ପର୍ଯ୍ୟନ୍ତ ଦୁର୍ନୀତି କମିବା ପରିବର୍ତ୍ତେ ବଢ଼ି ଚାଲୁଛି । (ତଥ୍ୟ)