Home Agriculture ଦୁଗ୍ଧ ପାଇଁ ସମସ୍ତେ ହନ୍ତସନ୍ତ

ଦୁଗ୍ଧ ପାଇଁ ସମସ୍ତେ ହନ୍ତସନ୍ତ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ନିଜ ଉତ୍ପାଦିତ ଦୁଗ୍ଧ ବିକ୍ରି କରିନପାରି ଗାଁ ଗହଳର ଚାଷୀମାନେ ହନ୍ତସନ୍ତ ହେଉଥିବାବେଳେ ସହରରେ ବି ଲୋକେ ଓମଫେଡ୍‍ କ୍ଷୀରଟିକେ ପାଇବାକୁ ଡହଳ ବିକଳ ହେଉଛନ୍ତି । କ୍ଷୀର ବିକ୍ରି କରିବାପାଇଁ ଓମଫେଡ୍‍ ନିଜସ୍ୱ କୌଣସି ବ୍ୟବସ୍ଥା କରିନଥିବାବେଳେ ସ୍ୱିଗୀ ଦ୍ୱାରା ଏହାର ସାମଗ୍ରୀ ଉପଲବ୍ଧ ହେବବୋଲି ବିଜ୍ଞାପନ ଦେଇଥିଲେ ମଧ୍ୟ ଏଥିରେ ଓମଫେଡ୍‍ ପ୍ରସ୍ତୁତ ସାମଗ୍ରୀ କିଣିବା ସମ୍ଭବପର ହେଉନାହିଁ ।

ଚଳିତମାସ ୫ ତାରିଖରୁ ରାଜ୍ୟରେ ଲକ୍‍ଡାଉନ୍‍ ଜାରି ପରେ ଓମଫେଡ ନିଜର ପଞ୍ଜିକୃତ ଚାଷୀଙ୍କ ଠାରୁ ନିୟମିତ ଭାବେ ଦୁଗ୍ଧ ସଂଗ୍ରହ କରୁନାହିଁ । ଦିନେ ଦୁଇ ଦିନରେ ଥରେ ଅଳ୍ପ ପରିମାଣରେ ଦୁଗ୍ଧ ସଂଗ୍ରହ କରୁଥିବାରୁ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଗାଁ ଗହଳରେ ଦୋକାନ ବଜାର ବନ୍ଦ ଥିବାରୁ ବଳକା କ୍ଷୀର ବି ବିକ୍ରି ହୋଇପାରୁ ନାହିଁ । କେତେକ ଚାଷୀ ଘରେ ଘରେ ନେଇ ଅଧା ଦାମରେ କ୍ଷୀର ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ତେବେ ଦୁଗ୍ଧ ସଂଗ୍ରହ ହ୍ରାସ ନେଇ ଓମଫେଡ୍‍ର ଯୁକ୍ତି ହେଉଛି ଲକ୍‍ଡାଉନ୍‍ ଓ ସପ୍ତାହନ୍ତ ସଟ୍‍ଡାଉନ୍‍ ଯୋଗୁଁ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ବିକ୍ରି ବହୁ ପରିମାଣରେ ହ୍ରାସ ପାଇଛି । ଦୈନିକ କ୍ଷୀର ବିକ୍ରି ପରିମାଣ ୩ଲକ୍ଷ ଲିଟରରୁ ୨ଲକ୍ଷ ଲିଟର ତଳକୁ ଖସିଆସିଛି । ଅନ୍ୟ ପକ୍ଷରେ ଓମ୍‍ଫେଡ୍‍ର ଦୁଗ୍ଧ ଗଚ୍ଛିତ ପରିମାଣ ମାତ୍ର ୯ଲକ୍ଷ ଲିଟର ହୋଇଥିବାରୁ ଚାଷୀଙ୍କ ସମସ୍ତ ଦୁଗ୍ଧ ସଂଗ୍ରହ କରିବା ସମ୍ଭବପର ନୁହେଁ ।

ହେଲେ ଏଭଳି କଟକଣା ସମୟରେ ଅନ୍ୟ ଘରୋଇ କମ୍ପାନୀମାନେ ସେମାନଙ୍କର ସାମଗ୍ରୀକୁ ବେଶ୍‍ ଭଲ ଭାବେ ବିକ୍ରି କରୁଥିବାବେଳେ ଓମଫେଡ ଏ ଦିଗରେ ଆଗ୍ରହ ପ୍ରକାଶ କରୁନାହିଁ । ଅନ୍ୟ କମ୍ପାନୀମାନେ ନିଜସ୍ୱ ଆପ୍‍ ଜରିଆରେ ବେପାର କରୁଥିବାବେଳେ ଓମଫେଡ୍‍ ନିଜ ୱେବସାଇଟ୍‍ରେ ସ୍ୱଗୀର ବିଜ୍ଞାପନ ଦେଇ ଚୁପ୍‍ଚାପ୍‍ ବସିଛି ବୋଲି ଅଭିଯୋଗ କରିଛନ୍ତି ଦୁଗ୍ଧଚାଷୀ ମହାସଂଘର ସଭାପତି ରବି ବେହେରା ।

ଏପରିକି ଗତବର୍ଷ କରୋନା ସମୟରେ ନିଜର ସାମଗ୍ରୀ ବିକ୍ରି କରିବାପାଇଁ ଓମଫେଡ୍‍ ପ୍ରସ୍ତୁତ କରିଥିବା ମିଲ୍କକାର୍ଟ କୁଆଡେ ଗଲାବୋଲି ସେ ପ୍ରଶ୍ନ କରିଛନ୍ତି । ସମଗ୍ର ରାଜ୍ୟରେ ଅନ୍‍ଲାଇନ୍‍ରେ ମଦ ସୁରୁଖୁରୁରେ ଘରେ ପହଞ୍ଚି ଯାଉଥିବାବେଳେ ଓମଫେଡ୍‍ ନିଜର ସାମଗ୍ରୀ ବିକ୍ରି କରିନପାରିବା ଅତ୍ୟନ୍ତ ପରିତାପର ବିଷୟ ଓ ସଂସ୍ଥା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅପାରଗତା ବୋଲି ସେ କହିଛନ୍ତି ।

ଓମଫେଡ୍‍ର ଏଭଳି ଅବସ୍ଥା ଯୋଗୁଁ ଗାଁ ଗହଳର ଦୁଗ୍ଧଚାଷୀମାନେ ଏବେ ଅନ୍ୟ ଘରୋଇ କମ୍ପାନୀ ମୁହାଁ ହୋଇଛନ୍ତି । ଯଦିଓ ସେମାନେ ନିଜର ସମସ୍ତ କ୍ଷୀର ବିକ୍ରି କରିପାରୁନାହାନ୍ତି ତଥାପି ଗାଈଙ୍କ ମୁହଁରେ ଦାନା ଦେବା ସହିତ ପରିବାର ପୋଷିବା ପାଇଁ ଅନ୍ୟ ସଂସ୍ଥା କର୍ମଚାରୀଙ୍କ ହାତ ଗୋଡ ଧରି କିଛି ପରିମାଣରେ କ୍ଷୀର ବିକ୍ରି କରୁଛନ୍ତି । ଏଭଳି ଅବସ୍ଥା ଲାଗି ରହିଲେ କରୋନା କଟକଣା ପରେ ସେମାନେ ଓମଫେଡକୁ ଫେରିବା ଆଶା କ୍ଷୀଣ ବୋଲି ଅନେକ ଚାଷୀ ମତପ୍ରକାଶ କରିଛନ୍ତି । (ତଥ)