Home Agriculture ଦୁଗ୍ଧ ଉତ୍ପାଦନରେ ଜଗତ୍‍ସିଂହପୁର ଏକ ନମ୍ବର

ଦୁଗ୍ଧ ଉତ୍ପାଦନରେ ଜଗତ୍‍ସିଂହପୁର ଏକ ନମ୍ବର

ଭୁବନେଶ୍ୱର : ଓମ୍‍ଫେଡ୍‍ର ଦୁଗ୍ଧ ସଂଗ୍ରହ କ୍ଷେତ୍ରରେ ଜଗତ୍‍ସିଂହପୁର ଜିଲ୍ଲା ସବୁଠାରୁ ଆଗରେ ରହିଛି । ଏହି ଜିଲ୍ଲାରୁ ଦୈନିକ ପାଖାପାଖି ୮୦ହଜାର ଲିଟର ଦୁଗ୍ଧ ସଂଗ୍ରହ ହେଉଥିବାବେଳେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଶୁସମ୍ପଦ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓମଫେଡ ଦୈନିକ ୪,୨୫,୯୭୯ ଲିଟର ଦୁଗ୍ଧ ସଂଗ୍ରହ କରୁଥିବାବେଳେ ଜଗତ୍‍ସିଂହପୁରରୁ ସର୍ବାଧିକ ୭୯,୯୪୮ ଦୁଗ୍ଧ ମିଳୁଛି । ଏହା ପଛକୁ କଟକ ଜିଲ୍ଲାରୁ ୫୪,୭୦୪ ଲିଟର ଦୁଗ୍ଧ ସଂଗ୍ରହ ହେଉଥିବାବେଳେ ପୁରୀରୁ ତୃତୀୟ ସର୍ବାଧିକ ୪୨,୬୯୦ ଲିଟର ଦୁଗ୍ଧ ମିଳୁଛି ।

ସେହିଭଳି ଓମଫେଡ୍‍ ବାଲେଶ୍ୱର ଜିଲ୍ଲାରୁ ଦୈନିକ ୩୩,୪୪୧ ଲିଟର ଦୁଗ୍ଧ ସଂଗ୍ରହ କରୁଥିବାବେଳେ ବରଗଡରୁ ୩୩,୨୦୯, ବଲାଙ୍ଗିରରୁ ୩୨,୩୨୬, କେନ୍ଦ୍ରାପଡାରୁ ୩୦,୦୫୭, ଭଦ୍ରକରୁ ୧୮,୫୬୦, କେନ୍ଦୁଝରରୁ ୧୪,୩୮୮, କଳାହାଣ୍ଡିରୁ ୧୨,୧୫୧, ନବରଙ୍ଗପୁରରୁ ୧୧,୧୪୦, ସୋନପୁରରୁ ୧୦,୮୦୦ ଲିଟର ଦୁଗ୍ଧ ସଂଗ୍ରହ କରୁଛି । ସବୁଠାରୁ ମାତ୍ର ୭୧ ଲିଟର ଦୁଗ୍ଧ ଦେବଗଡ ଜିଲ୍ଲାରୁ ମିଳୁଛି ।

ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୦-୨୧ ବର୍ଷରେ ରାଜ୍ୟରେ ମୋଟ୍‍ ୨୩୬କୋଟି ୮୦ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ ହୋଇଥିବାବେଳେ ଏଥିରେ ମଇଁଷି ଦୁଗ୍ଧର ପରିମାଣ ଥିଲା ୪୯ଲକ୍ଷ ଲିଟରରୁ ସାମାନ୍ୟ ଅଧିକ । ମଇଁଷି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରାୟଗଡା ଜିଲ୍ଲା ସବୁଠାରୁ ଆଗରେ ଥିବାବେଳେ ଏହା ପଛକୁ କେନ୍ଦ୍ରାପଡା, ପୁରୀ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲା ରହିଥିଲା । ସେହିବର୍ଷ ଗାଈ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ କଟକ ଜିଲ୍ଲା ପ୍ରଥମ ସ୍ଥାନରେ ଥିବାବେଳେ ପୁରୀ ଦ୍ୱିତୀୟ ଓ ଜଗତ୍‍ସିଂହପୁର ତୃତୀୟ ସ୍ଥାନରେ ରହିଥିଲା । (ତଥ୍ୟ)