Home Covid ଦୁଇ ସପ୍ତାହରେ ବିଗିଡିପାରେ କରୋନା ସଂକ୍ରମଣ

ଦୁଇ ସପ୍ତାହରେ ବିଗିଡିପାରେ କରୋନା ସଂକ୍ରମଣ

ଭୁବନେଶ୍ୱର : କରୋନା କଟକଣାର ଯେଭଳି ଖୋଲା ଉଲ୍ଲଙ୍ଘନ ହେଉଛି ତାହା ଅବ୍ୟାହତ ରହିଲେ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ସଂକ୍ରମଣ ସ୍ଥିତି ଢେର ବଢିଯିବ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । କଟକଣା ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ତୁହାକୁ ତୁହା ଘୋଷଣା କରାଯାଉଥିବାବେଳେ ଏହାର ଠିକଣା ଅନୁପାଳନ ହେଉନାହିଁ ।

୨୦୨୦ ମାର୍ଚ୍ଚ ମାସରେ କରୋନା ନିୟନ୍ତ୍ରଣ ପାଇଁ ଜାରି କରାଯାଇଥିବା କର୍ଫ୍ୟୁ, ଲକଡାଉନ୍‍, ସଟ୍‍ଡାଉନ ଆଦି ବେଳେ ପୁଲିସ୍‍ ବେଶ୍‍ ସକ୍ରିୟ ଥିଲା । ରାସ୍ତାଘାଟକୁ ବାହାରୁଥିବା ଲୋକଙ୍କୁ ଧରି ଜୋରିମାନା କରିବା ସଂଗେ ସଂଗେ ସେମାନଙ୍କ ଗାଡି ବି ଜବତ କରୁଥିଲା । ଏମିତିକି ରାଜନେତାମାନେ ବି ସେତେବେଳେ ଏଥିରୁ ବାଦ୍‍ ପଡୁନଥିଲେ । ଯେଉଁ ଅମାନିଆମାନେ ଅତି ବାହାଦୂରୀ ଦେଖାଉଥିଲେ ସେମାନଙ୍କୁ ସ୍ଥଳ ବିଶେଷରେ ବି ପୁଲିସ୍‍ ସାବାଡ କରିବାକୁ ବାଧ୍ୟ ହେଉଥିଲା ।

ତେବେ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଲହର ବେଳେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ କମ୍‍ ରହିବାରୁ କଟକଣାର ଖୋଲା ଉଲ୍ଲଙ୍ଘନ ହେଲା ଏବଂ ସେଥିଯୋଗୁଁ ଅନେକ ଧନଜୀବନ ନଷ୍ଟହେଲା । ଏବେ କରୋନାର ନୂଆ ପ୍ରଜାତି ଓମିକ୍ରନ ସହ ସବୁଠାରୁ ଭୟଙ୍କର ଦେଶୀୟ ଡେଲ୍‍ଟା ଭୂତାଣୁ ଯୋଗୁଁ ସଂକ୍ରମଣ ବଢିବାରେ ଲାଗିଛି । ମାସକ ଭିତରେ ଆମେରିକାରେ ସ୍ଥିତି ଏଭଳି ହୋଇଛି ଯେ ଏବେ ସେଠାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୧ଲକ୍ଷ ରହୁଛି ଯେଉଁଥିରୁ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ ବୋଲି କୁହାଯାଉଛି ।

୩୨କୋଟି ଜନସଂଖ୍ୟା ବିଶିଷ୍ଟ ଆମେରିକାରେ କରୋନା ଏଭଳି ଭାବେ ବଢି ଚାଲିଥିବାବେଳେ ୧୪୦କୋଟି ଜନସଂଖ୍ୟା ବିଶିଷ୍ଟ ଆମ ଦେଶରେ ଢିଲାପଣ ଅବ୍ୟାହତ ରହିଲେ ଅବସ୍ଥା ସାଂଘାତିକ ହୋଇପାରେ ବୋଲି ବୈଜ୍ଞାନିକମାନେ ତୁହାକୁ ତୁହା ଚେତାବନୀ ଦେଉଛନ୍ତି ।

କରୋନା ପରିଚାଳନାରେ ଅତୀତରେ ଓଡିଶାର ପ୍ରଦର୍ଶନ ବେଶ୍‍ ଭଲ ଥିଲା । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ବି ବେଶ୍‍ ସନ୍ତୋଷଜନକ ଭାବେ ଚାଲିଛି । କିନ୍ତୁ ୧୫ବର୍ଷରୁ କମ୍‍ ବୟସର ପିଲାଙ୍କୁ ଏଯାବତ୍‍ ଟିକାକରଣ କରାଯାଇନାହିଁ ଏବଂ ୬ମାସ ତଳେ ଟିକା ନେଇ ସାରିଥିବା ଲୋକଙ୍କୁ ବୁଷ୍ଟର ଡୋଜ୍‍ ଦିଆଯାଇ ନାହିଁ । ଏହି ଦୃଷ୍ଟିରୁ ସଂକ୍ରମଣ ରୋକିବାଲାଗି ଲୋକେ ସଚେତନ ନହେଲେ ଅବସ୍ଥା ଅସମ୍ଭାଳ ହୋଇପାରେ ।

ଏଠାରେ ଉଲ୍ଲେଖନୀୟ ଯେ ଗତ ୨ତାରିଖରେ ରାଜ୍ୟରେ ମାତ୍ର ୪୨୮ଜଣ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ୫ତାରିଖରେ ଏହି ସଂଖ୍ୟା ୧୮୯୭ରେ ପହଞ୍ଚିଛି । କେବଳ ସେତିକି ନୁହେଁ, ଦେଶରେ ପ୍ରଥମ ଓମିକ୍ରନ ମୃତ୍ୟୁ ରାଜସ୍ଥାନରେ ହୋଇଥିବାବେଳେ ଦ୍ୱିତୀୟ ଘଟଣା ଓଡିଶାରେ ହୋଇଛି । କରୋନାର ଓମିକ୍ରନ ପ୍ରଜାତି ସଂକ୍ରମଣ ମଧ୍ୟ ରାଜ୍ୟରେ ବଢିବାରେ ଲାଗିଛି । ଏବେ ବିଭିନ୍ନ ଜିଲ୍ଲାରୁ କରୋନା ସଂକ୍ରମଣ ବୃଦ୍ଧି ଖବର ଆସୁଛି । ଏମିତିକି କେତେକ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ସରକାରୀ ଦପ୍ତରରେ କରୋନା ସଂକ୍ରମିତ ଚିହ୍ନିତ ହେବାରୁ ସେଗୁଡିକୁ ମଧ୍ୟ ସିଲ୍‍ କରାଯାଇଛି ।

ଏସବୁଥିରୁ କେହି କିଛି ଶିଖିବା ଭଳି ମନେ ହେଉନାହିଁ । ସାମାଜିକ, ଧାର୍ମିକ, ସାଂସ୍କୃତି କାର୍ଯ୍ୟକ୍ରମ ଉପରେ ଲଗାଯାଇଥିବା କଟକଣାର କଡାକଡି ଅନୁପାଳନ ନହେଲେ ଏବଂ ହାଟବଜାର ଓ ଦପ୍ତରଗୁଡିକରେ ଭିଡ ନକମିଲେ କରୋନା ପ୍ରକୋପ ଅଧିକ ମାତ୍ରାରେ ବୃଦ୍ଧିପାଇବ ବୋଲି ଆଶଙ୍କା କରାଗଲାଣି । (ତଥ୍ୟ)