Home Administration ଦୁଇ ମହାନଗରୀ ପାଇଁ କଟକଣା କଠୋର

ଦୁଇ ମହାନଗରୀ ପାଇଁ କଟକଣା କଠୋର

ଭୁବନେଶ୍ୱର : ପାର୍ବଣ ସମୟରେ କରୋନା ସଂକ୍ରମଣକୁ ରୋକିବାପାଇଁ ରାଜ୍ୟ ସରକାର ଆଜି କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପାଇଁ କଟକଣାକୁ କଠୋର କରିଛନ୍ତି । ଅକ୍ଟୋବର ୧୧ ରୁ ୨୦ ତାରିଖ ପର୍ଯ୍ୟନ୍ତ ଦୁଇ ମହାନଗର ନିଗମରେ ରାତ୍ରୀକାଳୀନ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ଏହି ଦଶ ଦିନ ରାତ୍ରୀ ୧୦ଟା ପରିବର୍ତ୍ତେ ସଂଧ୍ୟା ୮ରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି । ଏଥି ସହିତ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ପୂର୍ବରୁ ଏହା ସୀମିତ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିଲା ।

ଏଥି ସହିତ ପୂର୍ବରୁ ଲାଗୁ ହୋଇଥିବା ସମସ୍ତ କୋଭିଡ କଟକଣା ବଳବତ୍ତର ରହିଛି । ଅକ୍ଟୋବର ମାସରେ ଦଶହରା ସହିତ ଅନ୍ୟାନ୍ୟ ପର୍ବପର୍ବାଣୀ ପଡୁଥିବାରୁ ଏଥିପାଇଁ ଜାରି ହୋଇଥିବା ସ୍ୱତନ୍ତ୍ର କଟକଣା ବି ବଳବତ୍ତର ରହିବ ।

ଦଶହରା ସମୟରେ ସରକାରଙ୍କ ନିୟମ ମୁତାବକ ଯେଭଳି ମୂର୍ତ୍ତିର ଉଚ୍ଚତା କମ୍‍ ରହିବ, ପୂଜା ମଣ୍ଡପକୁ ସମ୍ପୂର୍ଣ୍ଣ କପଡା ଆଚ୍ଛାଦିତ କରାଯିବ ଏବଂ କୌଣସି ପ୍ରକାର ସାଜ ସଜ୍ଜା କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ନହେବ ତାହା ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । କାରଣ ଏହା କରାଗଲେ ଜନଗହଳି ହେବ ଏବଂ କରୋନା ସଂକ୍ରମଣର ଭୟ ରହିଛି ।

ଶ୍ରୀ ଜେନା କହିଛନ୍ତି ଯେ କେରଳରେ ଓନାମ ପର୍ବ ପାଳନ ଯୋଗୁଁ ଯେଭଳି ସେହି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଲା ତାହାକୁ ଅଣଦେଖା କରାଯାଇ ପାରିବନାହିଁ । ଏବେ ବି ଆମ ରାଜ୍ୟରେ କରୋନା ସଂକ୍ରମଣ ରହିଛି । ୧୮ଟି ଜିଲ୍ଲାରେ ସଂକ୍ରମଣ ୫ରୁ ୧୦ ପ୍ରତିଶତ ଭିତରେ ରହୁଛି । ତେଣୁ ପାର୍ବଣ ଋତୁରେ ଆମକୁ ବିଶେଷ ସତର୍କ ହୋଇ ରହିବାକୁ ପଡିବ ।

ପାର୍ବଣ ସମୟରେ କଟକ ଓ ଭୁବନେଶ୍ୱରରେ ବ୍ୟାପକ ଜନଗହଳି ଆଶଙ୍କା ଥିବାରୁ ୧୦ଦିନ ପାଇଁ ଏଭଳି କଟକଣା ଲଗାଯାଇଥିବାବେଳେ ପରିସ୍ଥିତିକୁ ଦେଖି କମିଶନରେଟ ପୁଲିସ୍‍ ଅଧିକ କଟକଣା ଲଗାଇ ପାରିବେ ।

LEAVE A REPLY

Please enter your comment!
Please enter your name here