Home Agriculture ଦୁଇ ଦିନରେ ମିଳିବ ବିହନ ପ୍ରୋତ୍ସାହନ ରାଶି

ଦୁଇ ଦିନରେ ମିଳିବ ବିହନ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ବିହନ ପ୍ରୋତ୍ସାହନ ରାଶି ବାବଦରେ ପଡି ରହିଥିବା ଅର୍ଥ ଦୁଇ ଦିନ ମଧ୍ୟରେ ଚାଷୀଙ୍କୁ ମିଳିବ । କୃଷି ଭବନ ଠାରେ ଖୋଦ୍‍ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଚାଷୀମାନଙ୍କୁ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରାୟ ୯କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଫେରି ଯାଉଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଚାଷୀ ପ୍ରତିନିଧିମାନେ ଆଜି ବିଭାଗୀୟ ମନ୍ତ୍ରୀଙ୍କୁ ଦେଖା କରିବାପାଇଁ କୃଷି ଭବନରେ ପହଞ୍ଚିଥିଲେ । ଚାଷୀଙ୍କ ଆଗମନ ଖବର ପାଇବାପରେ କୃଷିମନ୍ତ୍ରୀ ନିଜେ ତଳକୁ ଆସିବା ସହିତ ଚାଷୀଙ୍କ ସହ ସେହିଠାରେ ସିଧାସଳଖ ଆଲୋଚନା କରିଥିଲେ । ଆଲୋଚନା କାଳରେ କୃଷି ନିର୍ଦ୍ଦେଶକ ମୁଥୁକୁମାର ଉପସ୍ଥିତ ଥିଲେ । ଚାଷୀମାନେ କିଭଳି ୨୦୨୦-୨୧ ବର୍ଷର ପ୍ରୋତ୍ସାହନ ରାଶି ପାଇପାରି ନାହାନ୍ତି ତାହା ଜଣାଇଥିଲେ ।

ଚାଷୀଙ୍କ ମୁହଁରୁ ବାସ୍ତବତା ଶୁଣିବାପରେ ମନ୍ତ୍ରୀ ଶ୍ରୀ ସାହୁ ଅସନ୍ତୋଷ ପ୍ରକଟ କରିଥିଲେ । ବିଶେଷକରି ଏହି ଯୋଜନାରେ ଦାୟିତ୍ୱରେ ଥିବା ଅଧିକାରୀମାନେ କାହିଁକି ଚାଷୀଙ୍କ ପ୍ରୋତ୍ସାହନ ରାଶି ଦେଇନାହାନ୍ତି ସେ ସଂକ୍ରାନ୍ତରେ ଅବଗତ ପାଇଁ ନିର୍ଦ୍ଦେଶକଙ୍କୁ କହିଥିଲେ । ଏଥି ସହିତ ଦୁଇ ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ଆରଟିଜିଏସ୍‍ ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ୍‍ ଖାତାକୁ ପଠାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀମାନେ ସନ୍ତୋଷବ୍ୟକ୍ତ କରିବା ସହିତ ଖୁସି ମନରେ ଫେରିଛନ୍ତି ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ବ୍ରିଙ୍ଗିଙ୍ଗ ଗ୍ରିନ୍‍ ରିଭୋଲ୍ୟୁସନ ଟୁ ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ) ଯୋଜନା ଜରିଆରେ ନୂତନ କିସମର ଧାନ ବିହନ ଉତ୍ପାଦନ ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ । ଓଡିଶା ସମେତ ପୂର୍ବ ଭାରତର ୭ଟି ରାଜ୍ୟରେ ଏହା କାର୍ଯ୍ୟକାରୀ ହେଉଥିଲା । ୨୦୨୦-୨୧ ଖରିଫ ଋତୁରେ ଓଡିଶାକୁ ଏ ବାବଦରେ ପ୍ରାୟ ୯କୋଟି ଟଙ୍କା ମିଳିଥିଲେ ମଧ୍ୟ ଏବେ ସୁଦ୍ଧା ତାହା ଚାଷୀଙ୍କୁ ମିଳିପାରି ନଥିଲା ।

ଏହି ଯୋଜନାରେ କେନ୍ଦ୍ର ସରକାର ନୂତନ ଅମଳକ୍ଷମ ଧାନ ବିହନ ଚାଷ ପାଇଁ କୁଇଣ୍ଟାଲ ପିଛା ୨୦୦୦ ଟଙ୍କା ଯୋଗାଇ ଦେଇଥିଲେ । ଏଥିରୁ ରାଜ୍ୟ ବିହନ ନିଗମ ୫୦୦ ଟଙ୍କା ଓ ଚାଷୀମାନେ ୧୫୦୦ ଟଙ୍କା କରି ପାଉଥିଲେ । ବିହନ ନିଗମ ଏହି ଅର୍ଥରୁ ମୋଟା ରକମର ପ୍ରାପ୍ୟ ପାଇବାକୁ ଥିଲେ ମଧ୍ୟ ନିଗମ କର୍ତ୍ତୃପକ୍ଷ ବି ଏ ଦିଗରେ ପଦକ୍ଷେପ ଗ୍ରହଣ କରିନଥିଲେ । ଫଳରେ ଚାଷୀଙ୍କ ଅର୍ଥ ଫେରିଯିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବାପରେ ଚାଷୀମାନେ ଏ ନେଇ ଆଜି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟିବାପାଇଁ ରାଜଧାନୀକୁ ଆସିଥିଲେ । (ତଥ୍ୟ)

LEAVE A REPLY

Please enter your comment!
Please enter your name here