Home General ଦୁଇ ଜିଲ୍ଲାବାସୀଙ୍କ ଦୁଃଖ ପାଲିଟିଛି ରେଳ ଫାଟକ

ଦୁଇ ଜିଲ୍ଲାବାସୀଙ୍କ ଦୁଃଖ ପାଲିଟିଛି ରେଳ ଫାଟକ

ଭୁବନେଶ୍ୱର : ଜଗତ୍‍ସିଂହପୁର ଜିଲ୍ଲାରେ ଗୋରଖନାଥ ଷ୍ଟେସନ ଓ କଟକ ଜିଲ୍ଲାର କନ୍ଦରପୁର ଷ୍ଟେସନ ନିକଟରେ ଥିବା ଦୁଇଟି ରେଳଫାଟକ ଏବେ ଦୁଇ ଜିଲ୍ଳାବାସୀଙ୍କ ଦୁଃଖ ପାଲଟିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫାଟକ ଯୋଗୁଁ ପ୍ରତିଦିନ ହଇରାଣ ହରକତ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ରେଳ ଓଭରବ୍ରିଜ ହୋଇପାରିଲା ନାହିଁ ।

କଟକ କିମ୍ବା ରାଜଧାନୀକୁ ଯା’ ଆସ ପାଇଁ ଜଗତ୍‍ସିଂହପୁର ଜିଲ୍ଲାବାସୀଙ୍କୁ ଏହି ଦୁଇଟି ମଧ୍ୟରୁ ଗୋଟିଏ ସ୍ଥାନରେ ରେଳଫାଟକ ପାରିହୋଇ କଟକ-ପାରାଦୀପ ରାସ୍ତା ଧରିବାକୁ ହେବାକୁ ପଡିଥାଏ । ଦୁଇଟି ଯାକ ଫାଟକ ଷ୍ଟେସନର ଅତି ନିକଟରେ ହୋଇଥିବା ଏବଂ ପାରାଦୀପ୍‍କୁ ଲଗାତାର ମାଲ ପରିବହନ ଯୋଗୁଁ ଏଠାରେ ଅଧିକାଂଶ ସମୟରେ ଫାଟକ ବନ୍ଦ ହୋଇଥାଏ । ତେବେ ଜଗତ୍‍ସିଂହପୁର ଜିଲ୍ଲା ମୁଖ୍ୟାଳୟରୁ କଟକ ମଡମେଡିକାଲ କିମ୍ବା ଅନ୍ୟ କୌଣସି ମେଡିକାଲକୁ ଯାଉଥିବା ଗୁରୁତର ରୋଗୀ ଏହି ଦୁଇ ସ୍ଥାନରେ ବହୁ ସମୟ ଧରି ଅପେକ୍ଷା କରିଥାନ୍ତି ।

ସାଧାରଣ ଲୋକଙ୍କ ଅବସ୍ଥା ଆହୁରି ଶୋଚନୀୟ । ତର ତର ହୋଇ ବିଭିନ୍ନ କାର୍ଯ୍ୟରେ ବାହାରିଥିବା ଲୋକେ ଫାଟକ ନିକଟରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥାନ୍ତି । ବିଶେଷକରି ଷ୍ଟେସନ ଅତି ନିକଟରେ ଥିବାରୁ ମାଲଗାଡିଗୁଡିକ ଅତି ମନ୍ଥର ଗତିରେ ଆସିଥାନ୍ତି । ଷ୍ଟେସନ ଛାଡିବାକୁ ଥିବା ମାଲଗାଡି ବାହାରିବାର ବହୁ ସମୟ ପୂର୍ବରୁ ଏଠାରେ ଫାଟକ ବନ୍ଦକରି ଦିଆଯାଏ । ଆଉ ଯଦି କିଛି ସମୟ ବ୍ୟବଧାନରେ ଦୁଇପଟୁ ରେଳଗାଡି ଆସିବାର ଥାଏ ତେବେ ରାସ୍ତାର ଦୁଇ ପଟକୁ ଲମ୍ବା ଲାଇନ୍‍ ଲାଗିଯାଏ ।

ଗୁରୁତର ରୋଗୀଙ୍କ ଠାରୁ ଆରମ୍ଭ କରି ଜଗତ୍‍ସିଂହପୁର କଟକ ଦୁଇ ଜିଲ୍ଲାବାସୀଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ଦୁଇ ସ୍ଥାନରେ ରେଳ ଓଭରବ୍ରିଜ ପାଇଁ ବହୁ ଦିନରୁ ଦାବିହୋଇ ଆସୁଛି । ହେଲେ କେଉଁ ଅକୁହା କାରଣ ଯୋଗୁଁ ରେଳଲାଇନ୍‍ ପ୍ରତିଷ୍ଠା ହେବାର ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ପରେ ବି ଓଭରବ୍ରିଜ ଟିଏ ନିର୍ମାଣ ହୋଇପାରୁ ନାହିଁ ।

ତେବେ କନ୍ଦରପୁର ଷ୍ଟେସନ ନିକଟରେ ଥିବା ରେଳଫାଟକରେ ଦୈନିକ ଲକ୍ଷ ଲକ୍ଷ ଲୋକ ଓ ଯାନବାହାନ ଯା ଆସ କରୁଥିବାବେଳେ ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ଯେଭଳି ଦାବି ହେବାକଥା ତାହା ହୋଇପାରୁ ନାହିଁ । ଏହି ଅଞ୍ଚଳଟି କଟକ ଜିଲ୍ଲା ସୀମା ଭିତରେ ଆସୁଥିବାବେଳେ ହଇରାଣ ହେଉଛନ୍ତି ମୁଖ୍ୟତଃ ଜଗତ୍‍ସିଂହପୁର ଜିଲ୍ଲାବାସୀ । ଏହି ରେଳଫାଟକ ଦେଇ ଦୁଇ ଜିଲ୍ଲାକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ, ମନ୍ତ୍ରୀ, ବିଧାୟକମାନେ ଯିବା ଆସିବା କରୁଥିଲେ ବି ଏହି ଦାବି ଯେଭଳି ଉଠାଯିବା କଥା ତାହା ହୋଇପାରୁ ନାହିଁ ।

ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଦୁଇ ଜିଲ୍ଲାବାସୀ ବିଶେଷକରି ଜଗତ୍‍ସିଂହପୁର ଜିଲ୍ଲାର ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ଆଲୋଚନା ହେଉଛି । ଏଥି ଯୋଗୁଁ ସମୟ ଅପଚୟ ସାଙ୍ଗକୁ ବେଳେ ବେଳେ ଗୁରୁତର ରୋଗୀଙ୍କ ଜୀବନ ଚାଲଯିବା ଅବସ୍ଥା ବି ସୃଷ୍ଟି ହେଉଛି । କେନ୍ଦ୍ର ରେଳମନ୍ତ୍ରୀ ଓଡିଶାରୁ ଥିବାବେଳେ ଉଭୟ ଜିଲ୍ଲାର ଜନପ୍ରତିନିଧିମାନେ ଏ ଦିଗ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ସାଧାରଣରେ ଦାବି ହେଉଛି । (ତଥ୍ୟ)