Home General ଦୁଇ ଆଡୁ ପେନସନ ନେଉଛନ୍ତି ରାଜନେତା

ଦୁଇ ଆଡୁ ପେନସନ ନେଉଛନ୍ତି ରାଜନେତା

ଭୁବନେଶ୍ୱର : ଅନେକ ରାଜନେତା ଏକାଧିକ ପେନ୍‍ସନ ପାଉଥିବା ଘେନି ଏବେ ଚର୍ଚ୍ଚା ଜୋର ଧରିଛି । ସରକାରୀ ଚାକିରିରୁ ଅବସର ନେଇ ଯେଉଁମାନେ ବିଧାନସଭା ଓ ସଂସଦକୁ ନିର୍ବାଚିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସଂସଦ ଓ ବିଧାନସଭାର ବେତନ, ଭତ୍ତା, ପେନ୍‍ସନ ଆଦିର ସୁଯୋଗ ନେବା ସହିତ ସରକାରୀ ଚାକିରିକାଳ ପାଇଁ ମଧ୍ୟ ପେନ୍‍ସନ ପାଉଛନ୍ତି ।

କେବଳ ସେତିକି ନୁହେଁ, ସରକାରୀ ରେକର୍ଡ ମୁତାବକ କେତେକ ପୂର୍ବତନ ସାଂସଦ ସଂସଦରୁ ପେନସନ ପାଇଥିବାବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାଧୀନତା ସଂଗ୍ରାମୀ ଭତ୍ତା ମଧ୍ୟ ନେଇଛନ୍ତି । ତେବେ ଜଣେ ବ୍ୟକ୍ତି ଏକାଧିକ ପେନ୍‍ସନ ପାଇପାରିବେ କି ନାହିଁ ସେଥିଘେନି ପ୍ରଶ୍ନବାଚୀ ଉଠୁଛି ।

ବରିଷ୍ଠ ରାଜନେତାମାନେ କହୁଛନ୍ତି ଯେ ଯେଉଁମାନେ ସରକାରୀ ଚାକିରିରୁ ରାଜନୈତିକ କ୍ଷେତ୍ରକୁ ଆସୁଛନ୍ତି ସେମାନେ ଦୁଇଟି ପେନ୍‍ସନ ମଧ୍ୟରୁ ଗୋଟିକୁ ବାଛିବା ଆବଶ୍ୟକ । ସେହିଭଳି ଜଣେ ଜଣେ ବିଭିନ୍ନ ସମୟରେ ବିଧାୟକ ଓ ସାଂସଦ ରହିଥିବାରୁ ପରବର୍ତ୍ତୀ ସମୟରେ ଉଭୟ ପଦବୀ ପାଇଁ ଦୁଇଟି ପେନ୍‍ସନ ପାଉଛନ୍ତି । କେବଳ ସେତିକି ନୁହେଁ ଗୋଟିଏ ପଦବୀରେ କାର୍ଯ୍ୟରତ ଥିବାବେଳେ ଏମାନେ ସେହି ପଦବୀର ଦରମା, ଭତ୍ତା ଆଦି ନେଉଥିବା ସହ ପୂର୍ବ ପଦବୀ ପାଇଁ ମଧ୍ୟ ପେନ୍‍ସନ ନେଉଛନ୍ତି ।

ଏଭଳି ଅନେକ ରାଜନେତା ଅଛନ୍ତି ଯେଉଁମାନେ ଉଭୟ ପେନ୍‍ସନରେ ମହଙ୍ଗା ଭତ୍ତା ମଧ୍ୟ ନେଉଛନ୍ତି । ଏକାଧିକ ପେନ୍‍ସନ ହାତଉଥିବା ନେତାମାନଙ୍କ ଯୁକ୍ତି ହେଉଛି ଯେ ସେମାନେ ଯେତେବର୍ଷ ପାଇଁ ସରକାରୀ ଚାକିରିରେ ଥିଲେ ସେତେବର୍ଷ ଲାଗି ପେନ୍‍ସନ ପାଇବାକୁ ହକଦାର । ତା’ ପରେ ସେମାନେ ବିଧାୟକ କିମ୍ବା ସାଂସଦ ହୋଇଥିବାରୁ ଏହି ପଦବୀ ଲାଗି ଥିବା ପେନ୍‍ସନ ପାଇବାରେ କିଛି ଆଇନ୍‍ଗତ ବାଧା ନାହିଁ ।

ଜଣେ ବ୍ୟକ୍ତି ଦୁଇଟି ପେନ୍‍ସନ ପାଇବା କିଛି ନୂଆକଥା ନୁହେଁ । ସ୍ୱାମୀ, ସ୍ତ୍ରୀ ଯଦି ସରକାରୀ ଚାକିରିରୁ ଅବସର ନେଇଥାନ୍ତି ତେବେ ଉଭୟଙ୍କୁ ପେନସନ ମିଳେ ଏବଂ ସେମାନଙ୍କ ଭିତରୁ ଜଣେ ମରିଗଲେ ଅନ୍ୟ ଜଣଙ୍କ ବି ଦୁଇଟି ପେନସନ ପାଇଥାଏ । କିନ୍ତୁ ଏ କ୍ଷେତ୍ରରେ ସମ୍ପୃକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଗୋଟିଏ ପେନ୍‍ସନ ଉପରେ ମହଙ୍ଗାଭତ୍ତା ସ ଅତିରିକ୍ତ ଭତ୍ତା ଆଦି ମିଳିଥାଏ । କିନ୍ତୁ ପେନସନଧାରୀ ସଂଖ୍ୟାଧିକ ରାଜନେତାଙ୍କ କ୍ଷେତ୍ରରେ ଦୁଇ ବା ତଦୁର୍ଦ୍ଧ ପେନସନ ଉପରେ ସେମାନଙ୍କୁ ପୂରା ମହଙ୍ଗାଭତ୍ତା ଓ ଅତିରିକ୍ତ ଭତ୍ତା ମିଳୁଛି । ଯଦି ରାଜନେତାମାନଙ୍କୁ ଏଭଳି ଭତ୍ତା ଦୁଇଟି ପେନସନ ଉପରେ ମିଳିପାରୁଛି ତେବେ ସରକାରୀ ଚାକିରିଆଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ ପାଇଁ ଦାବି ଉଠୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଆମ ରାଜ୍ୟର ବହୁ ବର୍ତ୍ତମାନ ଓ ପୂର୍ବତନ ସାଂସଦ ଏବଂ ବିଧାୟକ ରାଜନୀତି କ୍ଷେତ୍ରକୁ ଆସିବା ପୂର୍ବରୁ ସରକାରୀ ଚାକିରିରେ ଥିଲେ । ସେମାନଙ୍କ ଭିତରୁ ଯେଉଁମାନେ ଇସ୍ତଫା ଦେଇ ଆସୁଛନ୍ତି ସେମାନଙ୍କୁ ପେନ୍‍ସନ ମିଳୁନାହିଁ । ତେବେ ଯେଉଁମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି ସେମାନେ ସରକାରୀ ଚାକିରି ଦିନଗୁଡିକ ଲାଗି ପେନ୍‍ସନ ପାଇବା ସହ ସାଂସଦ ଓ ବିଧାୟକ ହିସାବରେ ଭତ୍ତା ଓ ବେତନ ନେଉଛନ୍ତି ଏବଂ ଏହି ପଦବୀରୁ ଯିବାପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବି ପେନ୍‍ସନ ପାଉଛନ୍ତି ।(ତଥ୍ୟ)