Home Education ଦିଲ୍ଲୀ ଗଲେ ଏନସିସି କ୍ୟାଡେଟ୍

ଦିଲ୍ଲୀ ଗଲେ ଏନସିସି କ୍ୟାଡେଟ୍

ଭୁବନେଶ୍ବର : ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଯୋଗଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଓଡ଼ିଶାର କୃତୀ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀ(ଏନସିସି)  କ୍ୟାଡ଼େଟ ର ଛାତ୍ରଛାତ୍ରୀ l  ଏ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ୍ରଛାତ୍ରୀମାନଙ୍କୁ ଭେଟିବା ସହ ବିମାନ ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ l

ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ  ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷଠାରୁ ଓଡ଼ିଶାର କୃତୀ ଏନସିସି କ୍ୟାଡେଟମାନଙ୍କ ସୁଗମ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବିମାନ ଯାତ୍ରାର  ସୁବିଧା ଯୋଗାଇଦିଆଯାଇଛି l

ଓଡ଼ିଶାର ୭୦ ହଜାର କ୍ୟାଡେଟ ମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରକାର ପରୀକ୍ଷା ଓ ପ୍ରତିଯୋଗିତା କରାଯାଇ ସର୍ବଶେଷରେ ୧୨୨ ଜଣ କୃତୀ କ୍ୟାଡ଼େଟ ମାନଙ୍କୁ ଚୟନ କରାଯାଇଥିଲା l ସେଥିରୁ ୨୯ ଜଣ କୃତୀ କ୍ୟାଡ଼େଟ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଏୟାର ଭିସ୍ତାରା  ବିମାନ ଯୋଗେ ଯାତ୍ରା କରିଛନ୍ତି l

ତନ୍ମଧ୍ୟରୁ ୨୩ ଜଣ କ୍ୟାଡ଼େଟଙ୍କ ପାଇଁ ବିମାନ ଯାତ୍ରା ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଥିଲା l ଯାତ୍ରା ସମୟରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏୟାରପୋର୍ଟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ନିର୍ଦ୍ଦେଶକ ଉଚ୍ଚଶିକ୍ଷା ଶ୍ରୀ ଭବାନୀ ଶଙ୍କର ଚୟନୀ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ l ମନ୍ତ୍ରୀ ଶ୍ରୀ ନାୟକ ସମସ୍ତ କ୍ୟାଡେଟଙ୍କୁ କ୍ୟାପ ପିନ୍ଧାଇ, ପୁଷ୍ପଗୁଚ୍ଛ ଦେଇ ଉତ୍ସାହିତ କରିଛନ୍ତି  l ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି l

ପ୍ରତିବର୍ଷ ଜାନୁଆରୀ ୨୬ରେ ଅନୁଷ୍ଠିତ ହେଉଥିବା ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ଯୋଗଦାନ କରିବା ପାଇଁ ଆମ ରାଜ୍ୟରୁ ଛାତ୍ରଛାତ୍ରୀଙ୍କୁ ଚୟନ କରି ଦିଲ୍ଲୀ ପଠାଯାଇଥାଏ l ଚଳିତ  ବର୍ଷ ଓଡ଼ିଶାର କଟକ ଗ୍ରୁପ ଏନସିସି ଗ୍ରୁପକମାଣ୍ଡର ତଥା ଚୟନକାରୀ ସାମରିକ ସେନାର ଅଧିକାରୀ କର୍ଣ୍ଣେଲ ସତ୍ୟବ୍ରତ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ୭୫ ତମ  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀର ପ୍ରସ୍ତୁତି ଶିବିର ଭୁବନେଶ୍ବରଠାରେ ଅବସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀ ପରିସରରେ ଅନୁଷ୍ଠିତ ହୋଇଥିଲା l

ଦୀର୍ଘ ୫୦ ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ଶିବିରରେ କ୍ୟାଡ଼େଟ ମାନଙ୍କୁ ଡ୍ରିଲ, ଘୋଡା ଚଢା କୌଶଳ, ଜାତୀୟ ସଂହତି ଶିକ୍ଷା, ପତାକା ସ୍ଥାନ ପ୍ରସ୍ତୁତି, ବ୍ୟକ୍ତିତ୍ଵ ବିକାଶ ଅଭିବୃଦ୍ଧି ଶିକ୍ଷା, ସାମରିକ ଶିକ୍ଷା ଭାଷା ବିନିମୟ ଶିକ୍ଷା ଭଳି ବିଭିନ୍ନ ଶାରୀରିକ ତଥା ବୌଦ୍ଧିକ ଶିକ୍ଷାର ତାଲିମ ପ୍ରଦାନ କରାଯାଇଥିଲା l