Home News in Odia ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସଂପୃକ୍ତିର ଅଭିଯୋଗ ଆଣିବା ସହିତ ତାଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ତଦନ୍ତ ପରିସର ଭୁକ୍ତ କରିବାପାଇଁ ଦାବି କରିଛନ୍ତି ।

ପାରିପାଶ୍ୱର୍ିକ ପରିସ୍ଥିତିରୁ ଯାହା ଜଣାପଡ଼ୁଛି ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରି ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି । ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ସିଧାସଳଖ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଉଥିବା ବେଳେ ଷ୍ଟାଡିୟମ ପରିସରରୁ ୭ଫୁଟ ଗଭୀରତାରେ ଅଧାପୋଡ଼ା ଶବ ମିଳିବା ଏବଂ ଶବପାଖରୁ ବ୍ୟବହାର ସାମଗ୍ରୀ ଆଦି ମିଳିବା ମନ୍ତ୍ରୀଙ୍କ ସଂପୃକ୍ତିକୁ ପ୍ରମାଣିିିତ କରୁଛି ।

ଗତ ୮ ଅକ୍ଟୋବର ଶୁକ୍ରବାର ଦିନ ମମିତା ମେହେର ସକାଳ ୫ଘଂଟା ୪୫ ମି. ରେ ଜୟବଜରଙ୍ଗ ବାଲି ବସରେ ତାଙ୍କ କାର୍ଯ୍ୟସ୍ଥଳୀ ମହାଲିଙ୍ଗ୍ ଯାଉଥିଲେ । କିନ୍ତୁ ମହାଲିଙ୍ଗ ପୂର୍ବରୁ ଚାନ୍ଦତାରା ଛକରେ, ସେ ଶିକ୍ଷକ ଭାବେ କାର୍ଯ୍ୟକରୁଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ତଥା ମାଲିକ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜସହିତ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ନେଇଯାଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଯାଗାରେ ତାଙ୍କୁ ସାଙ୍ଗରେ ନେଇ ସୌଖିନ ଜିନିଷ କିଣାକିଣି କରିବାର ସିସି ଟିଭି ଭିଡିଓ ଫୁଟେଜ ଅଛି । ତା ପରଠାରୁ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଖୋଜ ଖବର ମିଳୁନାହିଁ । ତାଙ୍କ ଘର ପରିବାର ଲୋକଙ୍କ ତରଫରୁ ତା ୧୩ ଅକ୍ଟୋବରରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାମରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିଥିଲେ ।

ସିଂଧେକେଲା ପୋଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତା ମେହେରଙ୍କର ଘରକୁ ଯାଇ ତାଙ୍କର ଲାପଟପ, ପେନ ଡ୍ରାଇଭ ଆଦି ନିଜ ସହିିତ ନେଇଯାଇଛନ୍ତି ଯାହା ଫଳରେ ମନ୍ତ୍ରୀଙ୍କର ମମିତା ମେହରଙ୍କ ସହିତ ଥିବା ବ୍ୟକ୍ତିଗତ ଅନୈତିକ ସମ୍ପକର ଅନେକ ପ୍ରମାଣ ମିଳିପାରୁ ନାହିଁ । ଏଠାରେ ସ୍ଥାନୀୟ ପୋଲିସ୍ ମନ୍ତ୍ରୀଙ୍କର ହାତବାରିସ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଫଳରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ ଅକ୍ଟୋବର ଦିନ ଛାଡ଼ି ଦେଇଥିଲା ।

ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଥାନାକୁ ଧରିଆଣିବାର ୨୪ ଘଂଟା ଭିତରେ ମାନ୍ୟବର ଅଦାଲତଙ୍କ ପାଖରେ ଉପସ୍ଥିତ କରାଇବା ପରିବର୍ତେ, ଛାଡ଼ି ଦେବା ପଛରେ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ସିଧାସଳଖ ସଂପୃକ୍ତି ରହିଛି ଏବଂ ଚାପରେ ପଡ଼ି ପୋଲିସ ଅଭିଯୁକ୍ତକୁ ଥାନାରୁ ଛାଡ଼ିଦେଇଛି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି । ଅପହୃତା ଶିକ୍ଷୟତ୍ରୀ ମମିତା ମେହେରଙ୍କର କାକା କୌଷିକ ମେହେର ତାଙ୍କ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ସ୍ପଷ୍ଟ ଜଣାପଡୁଛି ଯେ ଏଭଳି ସଙ୍ଗୀନ ଘଟଣାରେ ଗୃହରାଜ୍ୟ ମନ୍ତ୍ରୀଙ୍କର ସିଧାସଳଖ ସଂପୃକ୍ତି ରହିଛି ।

ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁ ମମିତା ମେହେରଙ୍କର ଷ୍ଟେଟବ୍ୟାଙ୍କରେ ଥିବା ଆକାଉଂଟ ନମ୍ବର -୩୫୩୩୫୪୩୩୯୮ କୁ ୮ ହଜାର ଟଙ୍କା ନିଖୋଜ ହୋଇଥିବା ଦିନ ପଠାଇଥିବା କଥା ସାମନାକୁ ଆସୁଛି । ମମିତା ମେହେରଙ୍କ ବାପା ତାଙ୍କ ଝିଅ ନିଖୋଜ ହେବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ସନସାଇନ୍ ସ୍କୁଲରେ ଦେହବ୍ୟବସାୟ ଭଳି ଅନେକ ଅନୈତିକ କାର୍ଯ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତିରେ କରାଯାଉଥିଲା । ଏହାର କିଛି ଖବର ଝିଅ ପାଖରେ ଥିଲା ତେଣୁ ତାକୁ ସୁଚିନ୍ତିତ ଉପାୟରେ ଅପହରଣ ଓ ପରେ ହତ୍ୟା କରାଯାଇଛି ଏବଂ ଏଥିରେ ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ତଥା ମନ୍ତ୍ରୀଙ୍କ ନିକଟତମ ଲୋକ ଗୋବିନ୍ଦ ସାହୁ ସିଧାସଳଖ ଦାୟୀ ।

ସନସାଇନ ସ୍କୁଲରେ ଅନେକ ଗୁପ୍ତ କଠୋରୀ ରହିଛି ଯାହାକି ମନ୍ତ୍ରୀଙ୍କ ନଷ୍ଟ ଚରିତ୍ରର ମୁକ ସାଖୀ ଅଟନ୍ତି । ଅନେକ ସମୟରେ ସନସାଇନ ସ୍କୁଲର ଛାତ୍ରୀମାନେ ୮-୧୦ ଦିନ ଧରି ସ୍କୁଲ ପରିସରରୁ ନିଖୋଜ ହୁଅନ୍ତି ଏବଂ ଛତିଶଗଡ଼, ରାୟପୁରରୁ ପୁଣି ସ୍କୁଲକୁ ଫେରନ୍ତି- ଏକଥା ଖୋଦ ଗୋବିନ୍ଦ ସାହୁ ନିଜେ ପ୍ରକାଶ କରିଛନ୍ତି । ପ୍ରସଙ୍ଗରେ ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି କିଛି ନବୁଝି ଏବଂ ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ନକରି ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେବା ଏବଂ ଶସ୍ତା ମନ୍ତବ୍ୟ ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ ।

ଏଭଳି ସ୍ପର୍ଶକାତର ପ୍ରସଙ୍ଗକୁ ନିରପେକ୍ଷ ଓ ଚାପମୁକ୍ତ ତଦନ୍ତ କରାଗଲେ ଅନେକ ଘଟଣା ଲୋକଲୋଚନକୁ ଆସିବ ଏବଂ ମମିତା ମେହେର ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବ । ଶ୍ରୀ ସାଲୁଜା, ନିରପେକ୍ଷ ତଦନ୍ତ ନିମନ୍ତେ ଗୃହରାଜ୍ୟ ମନ୍ତ୍ରୀଙ୍କର ତୁରନ୍ତ ଇସ୍ତଫା ଦାବି କରିବା ସହିତ ଏଭଳି ସ୍ପର୍ଷକାତର ଘଟଣାର ସିବିଆଇ କିମ୍ବା ବିଚାରବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବାପାଇଁ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।