Home Covid ଦିନକରେ ୧୦ହଜାର ପାର୍‍

ଦିନକରେ ୧୦ହଜାର ପାର୍‍

ଭୁବନେଶ୍ୱର : ରାଜ୍ୟରେ ହୁ ହୁ ହୋଇ ବଢୁଥିବା କରୋନା ଦୈନିକ ସଂକ୍ରମଣ କ୍ଷେତ୍ରରେ ୧୦ହଜାର ସଂଖ୍ୟା ପାର୍‍ କରିଛି । ଗତ ଚବିଶ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୧୦,୦୫୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୩୧୮୮ଜଣ ବାହାରିଛନ୍ତି ।

ଚଳିତ ମାସ ପହିଲାରେ ରାଜ୍ୟରେ ମାତ୍ର ୪୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୨ତାରିଖରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ହଜାରକୁ ଟପିଯାଇଛି । ଚିହ୍ନଟ ହୋଇଥିବା ୧୦୦୫୯ ଜଣଙ୍କ ମଧ୍ୟରେ ୮୭୨ ଜଣଙ୍କ ବୟସ ୧୮ବର୍ଷ ମଧ୍ୟରେ ଥିବାବେଳେ ୪୨୨୬ଟି ଲୋକାଲ କେଶ୍‍ ରହିଛି ।

ସେହିଭଳି ସୁନ୍ଦରଗଡ ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୧୩୪୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କଟକରୁ ୮୭୦, ସମ୍ବଲପୁରରୁ ୫୭୦, ମୟୁରଭଞ୍ଜରୁ ୪୨୩, ପୁରୀରୁ ୨୭୨, ଝାରସୁଗୁଡାରୁ ୨୧୯, ବଲାଙ୍ଗିରରୁ ୨୧୬ ଜଣ ଚିହ୍ନଟ ହୋଇଛନ୍ତି ।

ସବୁଠାରୁ କମ୍‍ ମାତ୍ର ୧୫ଜଣ ବୌଦ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରେ ୧୭ ଓ ଦେବଗଡରେ ଏହି ସଂଖ୍ୟା ୧୮ ରହିଛି । ଷ୍ଟେଟ ପୁଲ୍‍ରୁ ୭୨୪ଣ ଚିହ୍ନଟ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି ।

ଦଶ ହଜାରରୁ ଅଧିକ ନୂଆ ସଂକ୍ରମିତ ଗୋଟିଏ ଦିନରେ ବାହାରିବାପରେ ରାଜ୍ୟରେ ମୋଟ୍‍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ଲକ୍ଷ ଅତିକ୍ରମ କରିଛି । ମୋଟ୍‍ ପଜିଟିଭ ସଂଖ୍ୟା ୧୧,୦୧, ୬୦୬ ହୋଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୪,୩୪୯ରେ ପହଞ୍ଚିଛି ।

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ଆଉ ୩ଜଣଙ୍କ ପାଣହାନି ଘଟିଛି । ଏମାନଙ୍କ ମଧ୍ୟରେ ଅନୁଗୁଳ, କେନ୍ଦ୍ରାପଡା ଓ ନୟାଗଡରେ ଜଣେ କରି ଥିବାବେଳେ ମୋଟ୍‍ ମୃତ୍ୟୁସଂଖ୍ୟା ୮୪୭୨ ହୋଇଛି ।

ଗୋଟିଏ ଦିନରେ କରୋନା ୧୦ହଜାର ସୀମା ଅତିକ୍ରମ କରିବାପରେ ରାଜ୍ୟରେ ରେଡ୍‍ ଜୋନ୍‍ ଓ ୟୋଲୋ ଜେନ୍‍ ଜିଲ୍ଲା ସଂଖ୍ୟା ୮ରେ ପହଞ୍ଚିଛି । ଏଗୁଡିକ ମଧ୍ୟରେ ଖୋରଧା, କଟକ, ସୁନ୍ଦରଗଡ ଓ ସମ୍ବଲପୁର ଥିବାବେଳେ ପୁରୀ, ବାଲେଶ୍ୱର, ମୟୁରଭଞ୍ଜ ଓ ଝାରସୁଗୁଡା ଜିଲ୍ଲା ୟୋଲୋ ଜୋନ୍‍ରେ ରହିଛି ।