Home General ଦିନକରେ ରେକର୍ଡ ସଂଖ୍ୟକ ବିମାନ ଯାତ୍ରୀ

ଦିନକରେ ରେକର୍ଡ ସଂଖ୍ୟକ ବିମାନ ଯାତ୍ରୀ

ନୂଆଦିଲ୍ଲୀ : ଫେବୃୟାରୀ ୧୨ ତାରିଖରେ ଗୋଟିଏ ଦିନରେ ଦେଶରେ ପାଖାପାଖି ୩ଲକ୍ଷ ଯାତ୍ରୀ ଘରୋଇ ବିମାନରେ ଯାତ୍ରା କରିଛନ୍ତି । କରୋନା ମହାମାରୀ ପରବର୍ତ୍ତୀ ସମୟରେ ବିମାନ ପରିବହନ କ୍ଷେତ୍ରରେ ଏହା ଏକ ରେକର୍ଡ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ।

କେନ୍ଦ୍ରମନ୍ତ୍ରୀ ସୂଚାଇଛନ୍ତି ଯେ ଫେବୃୟାରୀ ୧୨ ତାରିଖରେ ଦେଶରେ ୨୩୪୯ଟି ଘରୋଇ ବିମାନରେ ୨,୯୭,୧୦୨ ଜଣ ଯାତ୍ରୀ ଯା ଆସ କରିଛନ୍ତି । କରେନା ଯୋଗୁଁ ଗତବର୍ଷ ମଇ ୨୫ ତାରିଖରେ ବିମାନ ଚଳାଚଳ ଆରମ୍ଭ ପରଠାରୁ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ଘରୋଇ ବିମାନ ଯାତ୍ରୀ ପରିବହନ ।

ତେବେ ଫେବୃୟାରୀ ୧୨ ତାରିଖରେ ମୋଟ୍‍ ୪୯୬୭ଟି ବିମାନ ଉଡାଣ ହୋଇଥିବାବେଳେ ବିମାନବନ୍ଦରଗୁଡିକରେ ରେକର୍ଡ ସଂଖ୍ୟକ ୫,୯୩,୮୧୯ଜଣ ଯାତ୍ରୀ ଯାତାୟତ କରିଛନ୍ତି ।

କରୋନା ପରବର୍ତ୍ତୀ ସମୟରେ ବିମାନ ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷା ଆଦି ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଫଳରେ ବିମାନ ଯାତ୍ରୀଙ୍କ ସଂଖ୍ୟା କରୋନା ପୂର୍ବସ୍ଥିତିକୁ ଫେରିବା ଆରମ୍ଭ କରିଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନା ପାଇଁ ୨୦୨୦ ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ବିମାନ ଚଳାଚଳ ଉପରେ କଟକଣା ଜାରି ହୋଇଥିବାବେଳେ ଦୁଇମାସ ପରେ ଅର୍ଥାତ ୨୫ ମଇରୁ ଏହା ପୁନଃ ଆରମ୍ଭ କରିଥିଲା ।