Home Education ଦିଗହରା ଅନ୍‍ଲାଇନ୍‍ ପାଠପଢା

ଦିଗହରା ଅନ୍‍ଲାଇନ୍‍ ପାଠପଢା

ଭୁବନେଶ୍ୱର : ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏବେ ଅନ୍‍ଲାଇନ୍‍ରେ ଚାଲିଛି ପାଠପଢା । ତେବେ ଶିକ୍ଷକମାନଙ୍କର ଆବଶ୍ୟକ ଭିତ୍ତିଭୂମି ଓ ତାଲିମ ଅଭାବରୁ ଏହା ଏକପ୍ରକାର ଦିଗହରା ହୋଇଥିବା ଦେଖିବାକୁ ମିଳିଛି ।

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଅନ୍‍ଲାଇନ୍‍ରେ ପାଠ ପଢାଉଥିବା ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଏ ସଂକ୍ରାନ୍ତରେ ଠିକଣା ତାଲିମ ପାଇନାହାନ୍ତି । ଏପରିକି କେତେକ ଶିକ୍ଷକ ହ୍ୱାଟସ୍‍ଆପ୍‍ରେ ଛାତ୍ରଛାତ୍ରୀଙ୍କର ଗ୍ରୁପ୍‍ଟିଏ ତିଆରି କରିବାକୁ ବି ଅକ୍ଷମ । ଏ ଦାୟିତ୍ୱରେ ଛାତ୍ରଛାତ୍ରୀଙ୍କ ଉପରେ ଛାଡିଦେଉଛନ୍ତି । ଫଳରେ ଗୋଟିଏ ଗୋଟିଏ ଗ୍ରୁପ୍‍ରେ ୪/୫ଜଣ ଛାତ୍ରଛାତ୍ରୀ ଆଡ୍‍ମିନ୍‍ ରହୁଛନ୍ତି ଓ ମନଇଚ୍ଛା ଗ୍ରୁପ୍‍ରେ ଲେଖାଲେଖି କରୁଛନ୍ତି । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ୁଉପସ୍ଥାନ ଦାୟିତ୍ୱ ବି କିଛି ପିଲାଙ୍କ ମାର୍ଫତରେ ଛାଡି ଦେଉଛନ୍ତି । ଫଳରେ ସେମାନେ ଆଉ ଦୁଇ ତିନିଟି ଗ୍ରୁପ୍‍ କରି ପିଲାଙ୍କୁ ରୋଲ ନମ୍ବର ସେହି ଗ୍ରୁପ୍‍ରେ ଦେବାପାଇଁ ମେସେଜ ପଠାଉଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ କିଛି ଅଧ୍ୟାପକ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ରେ ନିଜେ ଆଡମିନ୍‍ ରହୁନାହାନ୍ତି କି ନିଜର ନାଁ ସହିତ ଫଟୋଟିଏ ଦେଉନାହାନ୍ତି । ଫଳରେ ଅନେକ ନୂଆ ଛାତ୍ରଛାତ୍ରୀ ଗ୍ରୁପ୍‍ରେ କିଏ ଅଧ୍ୟାପକ ତାହା ଜାଣିପାରୁ ନାହାନ୍ତି । କାରଣ ଅନେକ ଛାତ୍ରଛାତ୍ରୀ ସେମାନଙ୍କ ହ୍ୱାଟସ୍‍ଆପ୍‍ ନମ୍ବରରେ ନିଜ ନିଜ ପିତା ମାତାଙ୍କ ଫଟୋ ରଖିଛନ୍ତି ।

ସେହିଭଳି ଠିକଣା ତାଲିମ ଅଭାବରୁ ଶିକ୍ଷକମାନେ ଠିକ୍‍ ସମୟରେ ଲିଙ୍କ୍‍ ଦେଇପାରୁ ନାହାନ୍ତି କି ଲିଙ୍କ୍‍ ଦେଲେ ମଧ୍ୟ ନିଜେ ଉପସ୍ଥିତ ହୋଇପାରୁ ନାହାନ୍ତି । କେତେକ ଶିକ୍ଷକ ତ ପାଠପଢା ମଝିରୁ ପିଲାଙ୍କୁ ଅଟକାଇ ନିଜ ନିଜ ଫୋନ୍‍ରେ କଥା ହେଉଛନ୍ତି । ୪୫ ମିନିଟ୍‍ର ପାଠପଢା ମଝିରେ ଏପରି ଦୁଇ ତିନିଥର ଅଟକୁଛନ୍ତି । ସେହିଭଳି କେତେକ ଶିକ୍ଷକ ବାଉଳାରେ ପାଠପଢାଉଥିବାବେଳେ ଗ୍ରୁପ୍‍ରୁ ଲେପ୍ଟ ହୋଇଯାଉଛନ୍ତି ।

ସରକାରୀ କଲେଜର ଅଧ୍ୟାପକମାନେ ପାଠପଢା ପାଇଁ ମାଗଣା ସଫ୍ଟୱେର ବ୍ୟବହାର କରୁଥିବାରୁ ସେଥିରେ ଅଧିକ ସଂଖ୍ୟାରେ ପିଲା ଯୋଗଦେଇ ପାରୁନାହାନ୍ତି । ଫଳରେ ଅନେକ ସମୟରେ ପିଲାଙ୍କୁ ଦୁଇ ଦଳରେ ଭାଗ କରିବାକୁ ପଡୁଛି । ରାଜ୍ୟ ସରକାର ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗକୁ ‘ଜୁମ୍‍’ ସଫ୍ଟୱେର ଯୋଗାଇ ଦେଇଥିବାବେଳେ ଅନୁରୂପ ଭାବେ ଶିକ୍ଷା ବିଭାଗକୁ ପାଠପଢା ପାଇଁ ଦିଆଯିବାକୁ ମତପ୍ରକାଶ ପାଉଛି ।

ପାଠପଢାରେ ଅବସ୍ଥା ଏଭଳି ହେଉଛି ଯେ ସମନ୍ୱୟ ଅଭାବରୁ ଜଣେ ଜଣେ ପିଲାଙ୍କର ଗୋଟିଏ ସମୟରେ ଏକାଧିକ ବିଷୟ ଅନ୍‍ଲାଇନ୍‍ରେ ପଢାଯାଉଛି । ତେଣୁ ବାଧ୍ୟହୋଇ ପିଲାମାନେ ଅନେକ ବିଷୟ ପଢିପାରୁ ନାହାନ୍ତି । କେଉଁ ଶିକ୍ଷକ କେତେବେଳେ ପଢାଇବେ ତାହା କିଛି ଠିକଣା ନାହିଁ । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ ପିଲାଏ ମୋବାଇଲକୁ ଅନାଇ ବସୁଛନ୍ତି । ତେବେ ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷକମାନେ ତାଲିମ ପାଇଥିବା ଓ ସଫ୍ଟୱେର ସଂକ୍ରାନ୍ତରେ ଅବଗତ ଥିବାରୁ ନିଜେ ଗ୍ରୁପ୍‍ ତିଆରି କରିବା ସହିତ ପାଠ ପଢାଉଛନ୍ତି । ତେଣୁ ସରକାରୀ କଲେଜର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ପାଇଁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)