Home News in Odia ଦାୟିତ୍ୱ ଗ୍ରହଣ କଲେ ବଂସଲ

ଦାୟିତ୍ୱ ଗ୍ରହଣ କଲେ ବଂସଲ

କଟକ : ଓଡିଶା ପୋଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ସୁନୀଲ କୁମାର ବଂସଲ ଆଜି ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ପୂର୍ବତନ ଡି.ଜି.ପି ଶ୍ରୀ ଅଭୟଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି  ।

ଶ୍ରୀ ବଂସଲ ପୋଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ “ଗାର୍ଡ ଅଫ୍ ଅନର” ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ ଅଧିକାରୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ଶହୀଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ଗଣ ମାଧ୍ୟମର ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବଂସଲ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି, ତାକୁ ସେ ନିଷ୍ଠାର ସହ ସଂପାଦନ କରିବେ ।

 ଓଡିଶା ପୋଲିସର ସାରାଭାରତରେ ସୁନାମ ରହିଛି । ଏହାକୁ ବଜାୟ ରଖିବ ପାଇଁ ଚେଷ୍ଟା କରିବି । ପୋଲିସକୁ ଲୋକାଭିମୁଖୀ, ଦାୟିତ୍ୱବାନ, ସଂବେଦନଶୀଳ ଓ ମାନବୀୟ କରିବାକୁ ଚେଷ୍ଟା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ମୋ ସରକାର” କାର୍ଯ୍ୟକ୍ରମ ଓ  “5-T” ମନ୍ତ୍ରକୁ ପୋଲିସ ବିଭାଗରେ ସଫଳ ପ୍ରୟୋଗ କରି କାର୍ଯ୍ୟ କରିବେ । ନକ୍ସଲ ଦମନ କ୍ଷେତ୍ରରେ ଓଡିଶା ପୋଲିସ ଅତୀତରେ ଅନେକ ସଫଳତା ପାଇଛି ।

ଭବିଷ୍ୟତରେ ମଧ୍ୟ ଆମେ ସେହି କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରି ଓଡିଶାରେ ନକ୍ସଲର ପ୍ରଭାବ ଓ ଗତିବିଧିକୁ ସୀମିତ କରିବୁ । ପଡୋଶୀ ରାଜ୍ୟମାନଙ୍କ ସହ ମିଶି ମାଓ ମୁକାବିଲା କରିବୁ । ସମାଜର ଦୁର୍ବଳ ଶ୍ରେଣୀ ଲୋକ ଏବଂ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧର ତ୍ୱରୀତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟରେ ଘଟୁଥିବା ସଂଗଠିତ ଅପରାଧ ଓ ମାଫିଆ ରାଜକୁ ଦୃଢ ହସ୍ତରେ ଦମନ କରାଯିବ । ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଚେଷ୍ଟା କରିବି ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ ।

ସୂଚନାଯୋଗ୍ୟଯେ ୧୯୮୭ ବ୍ୟାଚର ଆଇ.ପି.ଏସ୍ ଅଧିକାରୀ ଶ୍ରୀ ବଂସଲ  ରାକସ୍ଥାନ ରାଜ୍ୟର  ଜୟପୁର ଅଞ୍ଚଳର ମୂଳବାସିନ୍ଦା ଅଟନ୍ତି । ତାଙ୍କ ଚାକିରି କାଳ ମଧ୍ୟରେ ସେ ମୟୁରଭଞ୍ଜ ଜିଲ୍ଲା ଏବଂ ସମ୍ବଲପୁର ଭିଜିଲାନ୍‌ସ ଡିଭିଜନ୍‌ର  ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି । ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ଗୁଇନ୍ଦା ବିଭାଗ, ଭାରତ ସରକାରଙ୍କ ଯୁଗ୍ମ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ।

ପରେ ସେ ଉପନିର୍ଦ୍ଦେଶକ, ଗୁଇନ୍ଦା ବିଭାଗ, ଭାରତ ସରକାର, ଅଟାୱାସ୍ଥିତ ଭାରତ ସରକାରଙ୍କ ହାଇକମିଶନ କାର୍ଯ୍ୟାଳୟରେ କାଉନ୍‌ସିଲର ଭାବେ କାର୍ଯ୍ୟ କରିଥିଲେ । ସେ ନୂଆଦିଲ୍ଲୀ ସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ନିର୍ଦ୍ଦେଶକ, ଗୁଇନ୍ଦା ବିଭାଗର ଯୁଗ୍ମ ନିର୍ଦ୍ଦେଶକ, ମୁମ୍ୱାଇସ୍ଥିତ ଏସ୍.ଆଇ.ବି ଠାରେ ଅତିରିକ୍ତ ନିର୍ଦ୍ଦେଶକ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି ।