Home News in Odia ଦଳୀୟ କାର୍ଯ୍ୟ ପାଇଁ ସରକାରୀ ହେଲିକାପ୍ଟର

ଦଳୀୟ କାର୍ଯ୍ୟ ପାଇଁ ସରକାରୀ ହେଲିକାପ୍ଟର

ଭୁବନେଶ୍ୱର : ଫେବୃଆରୀ ୨ ତାରିଖରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ସରକାରୀ ଖର୍ଚ୍ଚରେ ହେଲିକପ୍ଟର ଯୋଗେ ରାଇଘର ଆସିଥିଲେ । ଗସ୍ତକୁ ସରକାରୀ ରୂପ ଦେବା ପାଇଁ ରାଇଘରଠାରେ ଏକ ପ୍ରସୂତୀ ଗୃହର ଭିତିପ୍ରସ୍ଥର ସ୍ଥାପନର ଭୂମିପୂଜା ରଖା ଯାଇଥିଲା । ଯଦିଓ ଏହି ଗୃହଟି କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିସନ ଟଙ୍କାରେ ହେବାକୁ ଯାଉଥିବାବେଳେ ସ୍ଥାନୀୟ ବିଧାୟକ, ବ୍ଲକ ଅଧକ୍ଷ କିମ୍ବା ସରପଂଚ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରୀତ ନଥିଲେ ବୋଲି ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝି ଅଭିଯୋଗ କରିଛନ୍ତି ।

ଶ୍ରୀ ମାଝି କହିଛନ୍ତି ଯେ ସେହିଦିନ ସ୍ଥାନୀୟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଭୂବନେଶ୍ୱରରେ ଥିଲେ ମଧ୍ୟ ତାଙ୍କୁ ହେଲିକପ୍ଟରରେ ନ ନେଇ ଯାଜପୁରର ବିଧାୟକଙ୍କୁ ନିଆଗଲା । ୨୩ ଲକ୍ଷ ଟଙ୍କାରେ ନିର୍ମିତ ହେବାକୁ ଥିବା ଏହି ଗୃହ ପାଇଁ ରାଜକୋଷରୁ ହେଲିକପ୍ଟର ବାବଦରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା କେତେଦୂର ପ୍ରଜୁଜ୍ୟ? ପ୍ରକୃତରେ ତାଙ୍କର ଦଳୀୟ କାମ ପାଇଁ ବିଜେଡିର ଏହି ଦୁଇ ନେତା ଯାଇଥିଲେ ।

ଉକ୍ତ ଦିନ ରାଇଘରରେ କିଛି କଂଗ୍ରେସ ନେତା ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଚାଷୀ କାନ୍ଦୁ ଥିବା ବେଳେ, ବିଜେଡି ନେତା ସାଧାରଣ ଜନତାଙ୍କ ଟଙ୍କାରେ ହେଲିକପ୍ଟର ଚଢି, ସାଧାରଣ ଜନତାଙ୍କ ଟଙ୍କାରେ ନିଜ ଦଳର ସାଙ୍ଗଠନିକ କାମ କରୁଛନ୍ତି ।

ଫେବୃଆରୀ ୨ ତାରିଖରେ ଦିନ ଶ୍ରୀ ଦାସବର୍ମା ନବରଙ୍ଗପୁରର ଆରଏମସି ପ୍ରାଙ୍ଗଣରେ ଏକ ନବ ନିର୍ମିତ “କୃଷକ ସୂଚନା କେନ୍ଦ୍ର”ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆସିଥିଲେ । ଚାଷୀଙ୍କ ସମସ୍ୟା, ଟୋକନ ଅବ୍ୟବସ୍ଥା, ବିଶେଷ କରି ଧାନ କିଣାବିକା ବିଷୟରେ ଅବଗତ କରିବା ପାଇଁ ଚାଷୀ ସେଠାରେ ଉପସ୍ଥିତ ଥିବା ସମୟରେ ଜିଲ୍ଲାପାଳ ଏହା ସରକାରୀ କାର୍ଯ୍ୟକ୍ରମ କହି ଚାଷୀମାନଙ୍କୁ ତାଗିଦ କରିଥିଲେ ।

କିନ୍ତୁ ସେ ସମୟରେ ବିଜେଡି କର୍ମୀମାନେ ଦଳୀୟ ପତାକା ଧରି ଜିନ୍ଦାବାଦ ନାରା ଲଗାଇ ଯୋଜନା ବୋର୍ଡ ଉପାଧକ୍ଷଙ୍କୁ ସ୍ୱାଗତ କରିଥିଲେ । ଦୁର୍ଭାଗ୍ୟର କଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଚାଷୀଙ୍କ ଅଭିଯୋଗ ନଶୁଣି କେବଳ ୨୪ ଘଂଟାରେ ଧାନ ଉଠିଯିବ କହି ଚାଲିଗଲେ । ଚାଷୀଙ୍କୁ ଏପରି ଦମନ କରୁଥିବା ବେଳେ “କୃଷକ ସୂଚନା ଭବନ” କାହା ହିତରେ? ଚାଷୀଙ୍କୁ ଏତାଦୃଶ୍ୟ ଅତ୍ୟାଚାର ହେଉଥିବା ବେଳେ ପ୍ରଶାସନ ନୀରବ ରହିବା ଦୁଃଖ ଦାୟକ ଓ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ ଅଭିଯୋଗ କରିଛନ୍ତି ।

ଏହି ଘଟଣାକୁ ନେଇ ଗୌରୀଶଙ୍କର ମାଝୀ ନବରଙ୍ଗପୁର ଥାନାରେ ଅନୁସୂଚୀତ ଜନଜାତି ଉତପୀଡନ ନିରୋଧକ ଅଧିନିୟମ, ମହିଳାଙ୍କ ପ୍ରତି ଅସଦାଚରଣ, ଠେଲା ପେଲା, ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ଓ ସରକାରୀ ଅର୍ଥ ଓ କଳକୁ ବିଜେଡିର ପ୍ରଚାର ପ୍ରସାର ପାଇଁ ଅପବ୍ୟବହାର କରିବା ଆଦି ଧାରାରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏକ ମାମଲା ରୁଜୁୁ କରିବା ପାଇଁ ସ୍ଥାନୀୟ ପୋଲିସ ଥାନାରେ ଆବେଦନ କରିଥିଲେ ସୁଦ୍ଧା କେସ ଦାୟର ହୋଇ ନାହଁ । ଅନ୍ୟପଟେ ଚାଷୀମାନଙ୍କ ନାଁରେ ଏକ କେସ ଆରଏମସି ଦ୍ୱାରା ଦାୟର ହୋଇଥିବା ଓ ପଂଜିକୃତ ହୋଇଥିବା ଗଣମାଧ୍ୟମରୁ ଶୁଣିବାକୁ ପାଉଛୁ ବୋଲି ଶ୍ରୀ ମାଝୀ କହିଛନ୍ତି ।