Home News in Odia ଦରବୃଦ୍ଧିରୁ ନଜର ହଟାଇବାକୁ ନାଟକ କରୁଛି ବିଜେପି

ଦରବୃଦ୍ଧିରୁ ନଜର ହଟାଇବାକୁ ନାଟକ କରୁଛି ବିଜେପି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ସମେତ ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧିରୁ ନଜର ହଟାଇବା ଲାଗି ବିଜେପି ହଙ୍ଗାମା କରି ଯେଭଳି ବିଧାନସଭାକୁ ଅଚଳ କଲେ, ତାହା ରାଜ୍ୟବାସୀ ଦେଖିଲେ । ବିଧାନସଭା ଭିତରେ ଲୋକଙ୍କ ଏହି ମୌଳିକ ସମସ୍ୟା ଉଠାଇବା ବଦଳରେ ହଙ୍ଗାମା କରିବା ପରେ ବିଜେପି ବିଧାୟକଦଳ ରାଜ୍ୟପାଳଙ୍କୁ ଭେଟି ଏଥିପାଇଁ ବିଜେଡିକୁ ଦାୟୀ କରି ଯେଉଁଭଳି ପାଲଟା ଅଭିଯୋଗ କଲେ, ତାହା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଲଜ୍ଜାଜନକ । ବିଜେପିର ଏହି ଦୋମୁହାଁ ନୀତିକୁ ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଓଡିଶାର ସାଧାରଣ ଲୋକେ ରନ୍ଧନ ଗ୍ୟାସ ଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲର ଆକାଶଛୁଆ ଦରବୃଦ୍ଧିରେ ନୟାନ୍ତ ହୋଇ ପଡିଲେଣି । କେନ୍ଦ୍ର ସରକାର ଏହିସବୁ ସାମଗ୍ରୀର ଦର ନିୟନ୍ତ୍ରଣ କରିପାରୁ ନାହାନ୍ତି । ଏଥିରୁ ନଜର ହଟାଇବାପାଇଁ ବିଜେପି ବିଧାୟକମାନେ ଓଡିଶା ବିଧାନସଭାକୁ ଅଚଳ କରି ରଖିଲେ । ବାଚସ୍ପତି ବାରମ୍ବାର ସର୍ବଦଳୀୟ ବୈଠକ ଡାକି ବିଧାନସଭାରେ ବହୁ ଗୁରୁôବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁରୋଧ କଲେ ।

ମାତ୍ର ବିଧାନସଭା ଚଳାଇ ନଦେବା ଲାଗି ବିଜେପି ବିଧାୟକମାନେ କେତେବେଳେ ଘଣ୍ଟ ବଜାଇଲେ ତ ଆଉ କେତେବେଳେ ହୋହଲ୍ଲା କଲେ ଏବଂ ବିଧାନସଭାକୁ ର୍ନିଦ୍ଧାରିତ ଅବଧି ପୂର୍ବରୁ ବନ୍ଦ କରିବାକୁ ବାଚସ୍ପତିଙ୍କୁ ବାଧ୍ୟ କଲେ । ବିଜେପିର ଏହି ନାଟକବାଜିକୁ ରାଜ୍ୟବାସୀ ଟିଭି ମାଧ୍ୟମରେ ଦେଖିବା ପରେ ବି ବିଜେପି କେଉଁ ମୁହଁରେ ରାଜ୍ୟପାଳଙ୍କୁ ବାଚସ୍ପତି ଓ ଶାସକ ଦଳ ବିରୋଧରେ ଫେରାଦ ଦେବାକୁ ଗଲା, ତାହା ବିସ୍ମୟ ସୃଷ୍ଟି କରିଛି । ରାଜ୍ୟବାସୀଙ୍କ ମୌଳିକ ସ୍ୱାର୍ଥକୁ ଉପେକ୍ଷା କରିବା ବିଜେପି ପାଇଁ ମହଙ୍ଗା ପଡ଼ିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ବିଜେପିର ଏଭଳି ଆଚରଣ ଯୋଗୁଁ ଲୋକେ ଏହି ଦଳକୁ ଓଡିଶାରେ ବାରମ୍ବାର ପ୍ରତ୍ୟାଖାନ କରୁଛନ୍ତି । ଯେଉଁଥିପାଇଁ ବିଜେପିର ଆଗଧାଡିର ନେତାମାନେ ଜଣଙ୍କ ପରେ ଜଣେ ଦଳ ଛାଡୁଛନ୍ତି । ଆଗାମୀ ଦିନରେ ଏହା ଆହୁରି ବଢିବ । ରାଜ୍ୟ ବିଜେପିର ୮ଜଣ ଯାକ ସାଂସଦ ଦିଲ୍ଲୀରେ ଓଡିଶାବାସୀଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଲଢେଇ କରିବା ଲାଗି ଜଗନ୍ନାଥ ସେମାନଙ୍କୁ ସଦ୍‍ବୁଦ୍ଧି ଦେବାକୁ ବିଜେଡି ପ୍ରାର୍ଥନା କରୁଛି । କିନ୍ତୁ ବଜେପି ତାହା ନକରି ଦଳ ପକ୍ଷରୁ ଯେଭଳି ଲୋକଙ୍କ ମୌଳିକ ସମସ୍ୟାକୁ ଅଣଦେଖା କରି ରାଜ୍ୟ ବିଧାନସଭାକୁ ଅଚଳ କରାଗଲା ତାହାକୁ ଓଡିଶାବାସୀ ଦେଖିଛନ୍ତି ଓ ଆଗାମୀ ଦିନରେ ରାଜ୍ୟର ସଚେତନ ଲୋକେ ଏଭଳି ଦଳକୁ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here