Home Agriculture ଦକ୍ଷିଣ ଭାରତ ବର୍ଷାରେ ଓଡିଶା ଖାଉଟି ବେହାଲ

ଦକ୍ଷିଣ ଭାରତ ବର୍ଷାରେ ଓଡିଶା ଖାଉଟି ବେହାଲ

ଭୁବନେଶ୍ୱର : ଦକ୍ଷିଣ ଭାରତରେ ବର୍ଷାର ତାଣ୍ଡବର ପ୍ରଭାବ ଏବେ ଓଡିଶାର ପରିବା ବଜାର ଉପରେ ପଡିଛି । ସେଠାରୁ ଆସୁଥିବା ଟମାଟୋ ଭଳି ପରିବା ୧୦୦ ଟଙ୍କା ଛୁଇଁଥିବାବେଳେ ବିନ୍‍ ଓ ବନ୍ଧାକୋବି ଦର ବି ବଢିବାରେ ଲାଗିଛି । ତେବେ ଓଡିଶା ଖାଉଟିଙ୍କ ଏଭଳି ଅବସ୍ଥା ପାଇଁ ରାଜ୍ୟରେ ଶୀତଳଭଣ୍ଡାର ଅଭାବକୁ ଚାଷୀମାନେ ଦାୟୀ କରୁଛନ୍ତି ।

ଚାଷୀଙ୍କ ମତରେ ରାଜ୍ୟରେ ଶୀତଳଭଣ୍ଡାରର ଅଭାବ ଯୋଗୁଁ ଟମାଟୋ, ବନ୍ଧାକୋବି, ବିନ୍‍ ଭଳି ପନିପରିବା ଅମଳ ସମୟରେ ସଂରକ୍ଷଣ ହୋଇପାରୁ ନାହିଁ । ଓଡିଶାରୁ ଉତ୍ପାଦିତ ଏହି ପନିପରିବାର କିଛି ଅଂଶ ଅନ୍ୟ ରାଜ୍ୟର ଶୀତଳଭଣ୍ଡାରରେ ରହୁଥିବାବେଳେ କିଛି ନଷ୍ଟ ହୋଇଯାଉଛି ଓ ବହୁ ପରିମାଣର ପନିପରିବାକୁ ଚାଷୀ ଶାଗମାଛ ଦରରେ ବିକ୍ରି କରୁଛନ୍ତି । ଅନେକ ସମୟରେ ଓଡିଶାରୁ ଯାଇ ଅନ୍ୟ ରାଜ୍ୟର ଶୀତଳଭଣ୍ଡାରରେ ରହୁଥିବା ପନିପରିବା ପରିବର୍ତ୍ତୀ ସମୟରେ ଓଡିଶାରେ ଆସି ଚଢା ଦରରେ ବିକ୍ରି ହେଉଛି । ଯଦି ଚାହିଦା ମୁତାବକ ଶୀତଳଭଣ୍ଡାର ସୁବିଧା ଥାଆନ୍ତା ତେବେ ଓଡିଶା ଖାଉଟିଙ୍କ ଉପରେ ଦକ୍ଷିଣୀ ବର୍ଷାର ଏଭଳି ଚଡକ ପଡନ୍ତା ନାହିଁ ।

ଉଲ୍ଲେଖନୀୟ ଯେ ଆମ ରାଜ୍ୟରେ ମାତ୍ର ୧୩୧ଟି ଶୀତଳଭଣ୍ଡାର ଥିବାବେଳେ ସେଥିରୁ ୪୯ଟି କାର୍ଯ୍ୟକ୍ଷମ । ସ୍ୱାଧିନତାର ୭୫ବର୍ଷ ପରେ ବି ପନିପରିବା ଉତ୍ପାଦନ କ୍ଷେତ୍ରରେ ଆଗୁଆ ଥିବା ମାଲକାନଗିରି ଜିଲ୍ଲାରେ ଶୀତଳଭଣ୍ଡାରଟିଏ ହୋଇପାରି ନାହିଁ । ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯେତେ ପ୍ରକାର ପ୍ରୋତ୍ସାହନ ଘୋଷଣା କଲେ ବି ଚାଷୀ କିମ୍ବା ଉଦ୍ୟୋଗୀ କେହି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ରାଜ୍ୟ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ବେସରକାରୀ ଶୀତଳଭଣ୍ଡାର ପ୍ରତିଷ୍ଠା ନିମନ୍ତେ ସର୍ବାଧିକ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଉଛି । ଏଥି ସହିତ ବିଜୁଳି ଓ ଅନ୍ୟାନ୍ୟ ରିହାତି ବ୍ୟବସ୍ଥା ବି ଅଛି । ହେଲେ ରିହାତି ଅବଧି ସରିଲା ପରେ ବିଜୁଳି ବିଲ୍‍ କୁ ଡରି ଅନେକ ଉଦ୍ୟୋଗୀ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆଗଭର ହେଉନାହାନ୍ତି ।

ଅନ୍ୟ ପକ୍ଷରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ସଂଖ୍ୟାରେ ଆଳୁ ଓ ପନିପରିବା ଉତ୍ପାଦନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସରକାରୀ ଅନୁଦାନ ଓ ପ୍ରୋତ୍ସାହନ ପାଇଁ ଚାଷୀମାନେ ଫସଲ ଅମଳ ବୃଦ୍ଧି କରୁଥିବାବେଳେ ସଂରକ୍ଷଣ ବ୍ୟବସ୍ଥା ଅଭାବରୁ ତାହାକୁ ଶାଗମାଛ ଦରରେ ରାଜ୍ୟ ଭିତର ଓ ବାହାର ବେପାରୀଙ୍କ ହାତରେ ଟେକି ଦେଉଛନ୍ତି । ରାଜ୍ୟ ବାହାରର ବ୍ୟବସାୟୀମାନେ ତାକୁ ନେଇ ଶୀତଳଭଣ୍ଡାରରେ ରଖୁଥିବାବେଳେ ରାଜ୍ୟ ଭିତରର ବ୍ୟବସାୟୀମାନେ ଚାଷୀଙ୍କ ଠାରୁ କମ୍‍ ମୂଲ୍ୟରେ କିଣି ଲୋକଙ୍କୁ ଅଧିକ ଦରରେ ବିକିବାକୁ ପଛାଉ ନାହାନ୍ତି ।

ଚାଷୀଙ୍କ ମତରେ ଯେପର୍ଯ୍ୟନ୍ତ ରାଜ୍ୟରେ ଚାହିଦା ମୁତାବକ ଶୀତଳଭଣ୍ଡାର ନିର୍ମାଣ ନହୋଇଛି ସେ ପର୍ଯ୍ୟନ୍ତ ଦକ୍ଷିଣ ହେଉ କିମ୍ବା ପୂର୍ବ କୌଣସି ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଦେଖାଦେଲେ ଖାଉଟି ରାଜ୍ୟ ଓଡିଶା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି । ପନିପରିବା ଠାରୁ ଆରମ୍ଭକରି ଅନ୍ୟାନ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢୁଛି ଯାହାକୁ ନିୟନ୍ତ୍ରଣ କରିବା ସରକାରଙ୍କ ପକ୍ଷେ ସମ୍ଭବପର ହେଉନାହିଁ । (ତଥ୍ୟ)