Home News in Odia ତୈଳ ଦର କମାନ୍ତୁ ରାଜ୍ୟ ସରକାର

ତୈଳ ଦର କମାନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବର୍ତମାନ ଜନସାଧାରଣଙ୍କୁ ଖୁବ୍ ବାଧିଛି । ତେଣୁ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମାଇବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦାବି କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଦର କମାଇଲେ ରାଜସ୍ୱ ହାନୀ ହେବାର ବିଜେଡି ସରକାର ଯଦି ଭାବୁଥାନ୍ତି, ତେବେ ଜିଏସ୍‌ଟି ବାବଦରୁ ପାଉଥିବା ଅର୍ଥ ସେହି ରାଜସ୍ୱ ନିଅଂଟ ଭରଣା ହୋଇପାରିବ । ଅନ୍ୟପକ୍ଷରେ ଆମ ରାଜ୍ୟ ଦେଇ ପ୍ରତିଦିନ ପଡୋଶୀ ରାଜ୍ୟର ବହୁ ଯାନ, ଭାରୀଯାନ ଯା’ ଆସ କରୁଛନ୍ତି । ତୈଳ ଦର କମ୍ ରହିଲେ ସେହି ଯାନଗୁଡିକ ଆମ ରାଜ୍ୟରୁ ତୈଳ ସଂଗ୍ରହ କରିବେ । ଫଳରେ ସରକାର ଦେଉଥିବା ରିହାତି ଏହି ତୈଳ ବିକ୍ରୀରୁ ଭରଣା କରିପାରିବେ ଏଣୁ ଅଧିକ ଜିଏସ୍‌ଟି ଆସିବା ଫଳରେ ରାଜସ୍ୱ ହାନୀର ଆଶଙ୍କା ରହିବ ନାହିଁ ।

ଏତଦ୍‌ବ୍ୟତୀତ କେନ୍ଦ୍ର ସରକାର ତୈଳ ଉପରେ ନେଉଥିବା ୩୪-୩୫ ଟଙ୍କା ଟିକସକୁ କମାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାନ୍ତୁ । ଜିଏସ୍‌ଟି ବାବଦରେ ରାଜ୍ୟ ସରକାର ପାଉଥିବା ୧୭ ଟଙ୍କାରୁ ମଧ୍ୟ ୧୦ ଟଙ୍କା କମାନ୍ତୁ । ତେବେ ସାଧାରଣ ଲୋକମାନେ ଆଶ୍ୱସ୍ତି ଲାଭ କରିବେ ଓ ଦରଦାମ୍ ନିୟନ୍ତ୍ରଣ ହୋଇପାରିବ । ଯଦି ସରକାର ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ କଂଗ୍ରେସ ଦଳ ୧୫ ତାରିଖ ଦିନ ‘ଓଡିଶା ବନ୍ଦ୍‌’ର ଡାକରା ଦେବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

ତୈଳ ଦର ବୃଦ୍ଧି ଯୋଗୁଁ ଦର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ଫଳରେ ଜନସାଧାରଣ ଓ ଚାଷୀ ବହୁ ହନ୍ତସନ୍ତ ହେଉଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୟୁପିଏ -୧ ଓ ୨ ସମୟରେ ଆର୍ନ୍ତଜାତିକ ସ୍ତରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ରୁ ୧୩୦ ଡଲାର ଥିଲାବେଳେ ପେଟ୍ରୋଲ ଓ ଡିଜେଲ ଦର ସବୁବେଳେ ଲିଟର ପିଛା ୮୦ ଟଙ୍କା ତଳକୁ ରହୁଥିଲା । ବର୍ତମାନ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୦ ଡଲାରକୁ ଖସି ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ଦର ୯୦ ଟଙ୍କାକୁ ଛୁଇଁଲାଣି ।

ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେ ସମୟରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ କହୁଥିଲେ, ଯେଉଁମାନେ ତେଲ ଦର ବଢାଉଛନ୍ତି ସେମାନେ ଦେଶଦ୍ରୋହୀ । ଏବେ କେଉଁମାନେ ଦେଶଦ୍ରୋହୀ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସେ ସମୟରେ ମଧ୍ୟ ବିଜୁ ଜନତା ଦଳ ତୈଳ ବୃଦ୍ଧିକୁ ନେଇ ନାନାଦି ପ୍ରକାର ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ବର୍ତମାନ ସେମାନେ କାହିଁକି ଚୁପ୍ ହୋଇ ବସିଛନ୍ତି?