Home General ତୈଳ ଦରବୃଦ୍ଧି ପ୍ରତିବାଦରେ ସାଇକେଲ୍ ଶୋଭାଯାତ୍ରା

ତୈଳ ଦରବୃଦ୍ଧି ପ୍ରତିବାଦରେ ସାଇକେଲ୍ ଶୋଭାଯାତ୍ରା

ଭୁବନେଶ୍ୱର : ତୈଳ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୭ ରୁ ଜୁଲାଇ ୧୭ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିଛି । ଆଜି ଏହି ଆନ୍ଦୋଳନର ଅଂଶବିଶେଷ ସ୍ୱରୂପ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଧାନୀରେ ଏକ ସାଇକେଲ୍ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରର ବ୍ୟାରେଲ୍ ପିଛା ଦର କମୁଥିବା ବେଳେ ଭାରତରେ ପେଟ୍ରୋଲ୍‌, ଡିଜେଲ୍ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ମୋଦି ସରକାରର ଆଚ୍ଛେଦିନର ନଗ୍ନ ନମୂନା ବୋଲି ସେ କହିଥିଲେ । କେବଳ ସେତିକି ନୁହେଁ, ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ ମହିଳାମାନଙ୍କ ଆଖିରୁ ଲୁହ ବୋହୁଛି ଏବଂ ଏହି ଲୁହ ସରକାରଙ୍କ ଉପରେ ପଡ଼ିବ । ସେହିପରି ଖାଇବା ତେଲର ଦର ମଧ୍ୟ ଲଗାମଛଡ଼ା ବୃଦ୍ଧି ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ପାଉଥିବାରୁ ଏହା ଖାଉଟିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ।

କରୋନା ମହାମାରୀ କାରଣରୁ ଲୋକଙ୍କ ଅର୍ଥନୀତି ଭୁଷୁଡି ପଡ଼ିଥିବା ବେଳେ ମୋଦି ସରକାର ନିଜର ଅହମିକା ଓ ଅହଂକାର ବଳରେ ସାଧାରଣ ଖାଉଟିଙ୍କ ଉପରେ ଟିକସ ପଇସା ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଆସନ୍ତାକାଲି ୧୫ ତାରିଖ (ଗୁରୁବାର) ପ୍ରମୁଖ ଚାରିଟି ବାମଦଳ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ କହିବା ସହ ଉକ୍ତ ଗୋଟିଏ ଦିନ ପାଇଁ ପେଟ୍ରୋଲ୍‌, ଡିଜେଲ୍ ଓ ରନ୍ଧନଗ୍ୟାସ ନ କିଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ସେହିପରି ଆଗାମୀ ୧୭ ତାରିଖ ଦିନ ସମସ୍ତ ପେଟ୍ରୋଲ୍ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଦସ୍ତଖତ ଅଭିଯାନରେ ସାମିଲ୍ ହୋଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଖାଉଟିମାନେ ନିଜର ମୂଲ୍ୟବାନ ମତାମତ ଦେବା ସହ ଦସ୍ତଖତ ଦେବାକୁ ସେ ଅନୁରୋଧ କରିଛନ୍ତି । ସାଇକେଲ୍ ଶୋଭାଯାତ୍ରାରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ ଓ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କ ନେତୃତ୍ୱରେ ୫୦୦ ରୁ ଊର୍ଦ୍ଧ୍ୱ ସାଇକେଲ୍ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ୍ ଛକ, ଶ୍ରୀୟାଟକିଜ୍ ଛକ, ରାମମନ୍ଦିର ଛକ ଦେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା ।

ଏହି ସାଇକେଲ୍ ଶୋଭାଯାତ୍ରାରେ ପି.ସି.ସି. କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ,ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଜି. ରୁଦ୍ର ରାଜୁ, ଅନ୍ୟତମ ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା, ପୁର୍ବତନ ପି.ସି.ସି. ସଭାପତି ଶରତ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ ପ୍ରମୁଖ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here