Home Education ତେଲୁଗୁ ବହି ଯୋଗାଇବାକୁ ଦାବି

ତେଲୁଗୁ ବହି ଯୋଗାଇବାକୁ ଦାବି

ଭୁବନେଶ୍ୱର  :  ଆନ୍ଧ୍ର ଓଡ଼ିଶା ସୀମାରେ ୮୦ ଲକ୍ଷ ତେଲୁଗୁ ଭାଷାଭାଷୀ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବସବାସ କରୁଥିବା ସ୍ଥଳେ ସେମାନଙ୍କର ପିଲାମାନେ ପର୍ଯ୍ୟାପ୍ତ ପରିମାଣରେ ତେଲୁଗୁ ପାଠ୍ୟପୁସ୍ତକ ପାଉନଥିବା କମିଟି ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଓଡ଼ିଶାରେ ବସବାସ କରୁଥିବା ତେଲୁଗୁଭାଷୀ ଅଧିବାସୀମାନଙ୍କର ଭାଷା ଓ ସଂସ୍କୃତିର ବିକାଶ ପାଇଁ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ଗୃହ କମିଟି ଓଡ଼ିଶା, ଗସ୍ତରେ ଆସିଛନ୍ତି । ବିଧାନ ପରିଷଦ ଅଧ୍ୟକ୍ଷ ମହମ୍ମଦ ଅହମ୍ମଦ ସରିଫଙ୍କ ନେତୃତ୍ୱରେ ଆସିଥିବା ୭ଜଣିଆ ପ୍ରତିନିଧିଦଳ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାଶ ଓ ବିଭାଗୀୟ ପଦାଧିକାରୀଙ୍କ ସହ ଏ ପ୍ରସଙ୍ଗରେ ବିଶଦ ଆଲୋଚନା କରିଥିଲେ ।

୨୦୧୯-୨୦ ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୪୧୫୦ ତେଲଗୁ ପାଠ୍ୟପୁସ୍ତକ ଆବଶ୍ୟକ ଥିବା ସ୍ଥଳେ ୧୩୧୦୫ଟି, ୨୦୨୦-୨୧ ରେ ୧୧୮୪୧ଟିରୁ କୌଣସି ପାଠ୍ୟପୁସ୍ତକ ଯୋଗାଣ ହୋଇନଥିବା ସ୍ଥଳେ ୨୦୨୧-୨୨ ଶିକ୍ଷାବର୍ଷରେ ୧୨୪୫୦ଟି ପାଠ୍ୟପୁସ୍ତକ ବିତରଣର ଆବଶ୍ୟକତା ଥିବା ଆଲୋଚନାରୁ ପ୍ରକାଶ । ତେଲୁଗୁ ଅଧ୍ୟୟନ କରୁଥିବା ଛାତ୍ର, ଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା, ସଠିକ୍ ସମୟରେ ପାଠ୍ୟ ପୁସ୍ତକ ଯୋଗାଣ ଓ ତେଲୁଗୁ ଶିକ୍ଷକ ନିଯୁକ୍ତି ଉପରେ ଦୃଷ୍ଟି ଦିଆଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଥିଲେ ।

୧୩୯ ଜଣ ତେଲୁଗୁ ଶିକ୍ଷା ସହାୟକ କାର୍ଯ୍ୟରତ ଥିବା ସ୍ଥଳେ ୧୭୮ଜଣ ତେଲୁଗୁ ଜାଣିଥିବା ଶିକ୍ଷକ ୪୧ଟି ତେଲୁଗୁ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି, ବି.ଇଡି. ସ୍ତରରେ ୨୦ଟି ଏବଂ ଶିକ୍ଷକ ସାର୍ଟିଫିକେଟ୍ କୋର୍ସ ସ୍ତରରେ ୫୦ଟି ଆସନ ତେଲୁଗୁ ଭାଷାଭାଷୀଙ୍କପାଇଁ ସଂରକ୍ଷିତ ଥିବା ମଧ୍ୟ ବୈଠକରେ ସୂଚନା ଦିଆଯାଇଥିଲା । ଠିକ୍ ସେହିପରି ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଶ୍ରୀକାକୁଲମ ଏବଂ ବିଶାଖାପାଟଣାଜିଲ୍ଲାରେ ଥିବା ଓଡ଼ିଆ ଭାଷାଭାଷୀଙ୍କ ଶିକ୍ଷାଗତ ଓ ସାଂସ୍କୃତିକ ବିକାଶ ନେଇ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କମିଟିର ଦୃଷ୍ଟି ଆକର୍ଷଣ କରିଥିଲେ ।

ଉପରୋକ୍ତ ଜିଲ୍ଲାମାନଙ୍କର ୧୨୦ଟି ବିଦ୍ୟାଳୟରେ ୪୦୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସ୍ଥଳେ “ଉତ୍କଳ ସମ୍ମିଳନୀ” ମାଧ୍ୟମରେ ଓଡ଼ିଶା ସରକାର ୧୩୦ ଜଣ ଶିକ୍ଷକଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦେବା ପାଇଁ ନିଯୁକ୍ତି କରିଛନ୍ତି । ଉପରୋକ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ  ୧୦୦ ମାର୍କର ତେଲୁଗୁ ଇଚ୍ଛାଧୀନ ବିଷୟ ଥିବା ସ୍ଥଳେ ସେମାନଙ୍କର ଉଚ୍ଚତର ଶିକ୍ଷାଲାଭର ସୁଯୋଗ ପାଇଁ ହିନ୍ଦିରେ ୫୦ ମାର୍କ ଏବଂ ତେଲୁଗୁରେ ୫୦ ମାର୍କ ରଖିବା ପାଇଁ କମିଟିର ଦୃଷ୍ଟି ଆକର୍ଷଣ କରାଯାଇଛି ।

ସେହିପରି ବିଜୟନଗରମ୍, ବିଶାଖାପାଟଣା ଏବଂ ଶ୍ରୀକାକୁଲମ୍ ଜିଲ୍ଲାରେ ଓଡ଼ିଆ ଭାଷା ମାଧ୍ୟମ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଓଡ଼ିଆ ବସବାସ କରୁଥିବା ଜିଲ୍ଲା ଗୁଡିକର ଅଙ୍ଗନୱାଡି କେନ୍ଦ୍ରରେ ଓଡ଼ିଆଭାଷା ପ୍ରଚଳନ କରିବା ଏବଂ ୧୪୦ଟି ଓଡ଼ିଆ ଶିକ୍ଷକ ପଦବୀ ଅବିଲମ୍ୱେ ପୂରଣ କରିବା ଇତ୍ୟାଦି ପ୍ରସ୍ତାବ ମଧ୍ୟ ବୈଠକରେ ଉପସ୍ଥାପିତ ହୋଇଥିଲା ।

ପରେ ବିଧାନ ପରିଷଦର କମିଟି ସଦସ୍ୟମାନେ ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ବାଚସ୍ପତି ଡ଼ଃ. ପାତ୍ର ଉତ୍ତରୀୟ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଉପହାର ପ୍ରଦାନ କରି ବିଧାନ ପରିଷଦ ଅଧ୍ୟକ୍ଷ ଓ ସଭ୍ୟମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ଆନ୍ଧ୍ରପ୍ରଦେଶ ସହ ତାଙ୍କର ଥିବା ଆବେଗିକ ସମ୍ପର୍କର ସ୍ମୃତିଚାରଣ କରି ଦୁଇ ପ୍ରଦେଶ ମଧ୍ୟରେ ଥିବା ଶିକ୍ଷାଗତ ଓ ସାଂସ୍କୃତିକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ ।