Home Health ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ

ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ

ଭୁବନେଶ୍ୱର : ଓଡ଼ିଶାର ତିନୋଟି ସ୍ଥାନରେ ଯୋଗ ଦିବସ ସମାରୋହ ପାଳନ କରାଯିବ । କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେବେ ।

ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ପରିସରରେ ଯୋଗ ଦିବସ କାର୍ଯକ୍ରମରେ ଭାରୀ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ ଯୋଗ ଦେବେ ।

କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ମୟୁରଭଞ୍ଜର ଖିଚିଂ ଠାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଭୋର୍ ୫ଟା ୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରଥମେ ସଭା ଆୟୋଜନ କରାଯିବ । ସକାଳ ୬ଟାରୁ ୬ଟା ୪୦ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ଅତିଥିମାନେ ସ୍ବାଗତ ଭାଷଣ ଦେବେ । ୬ଟା ୪୦ରୁ ୭ଟା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପ୍ରସାରିତ ହେବ ।

୭ଟାରୁ ୭ଟା ୪୫ ପର୍ଯ୍ୟନ୍ତ ସାଧାରଣ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ୭ଟା ୪୬ରେ ଜାତୀୟ ସଙ୍ଗୀତ ପରିବେଷଣ କରାଯିବ । ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଜନସାଧାରଣ ଯୋଗାଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଯୋଗକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଭୂମିକା ରହିଛି । ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ମିଳିତ ଜାତିସଂଘର ଅନୁମୋଦନ କ୍ରମେ ଜୁନ ୨୧ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି ।

ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ୭୫ଟି ଐତିହ୍ୟ ସ୍ଥଳୀରେ ଯୋଗ ଦିବସ ସମାରୋହ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କର୍ଣ୍ଣାଟକର ମହୀଶୂର ଠାରେ ଆୟୋଜନ ହେବାକୁ ଥିବା ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଅନ୍ୟ ସବୁ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ।