Home Finance ତିନି ମାସରେ ଖର୍ଚ୍ଚ ହେବ ୫୦ହଜାର କୋଟି

ତିନି ମାସରେ ଖର୍ଚ୍ଚ ହେବ ୫୦ହଜାର କୋଟି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷର ଶେଷ ତିନିମାସରେ ଅତି କମ୍‍ରେ ୫୦ହାଜର କୋଟି ଟଙ୍କା ବ୍ୟୟ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । କରୋନାରେ ବିଗିଡିଥିବା ଅର୍ଥନୀତିରେ ସୁଧାର ପାଇଁ ଏହି ଯୋଜନା ଥିବା ସୂଚନା ମିଳୁଛି ।

ଡିସେମ୍ବର ଶେଷ ସୁଦ୍ଧା ଆର୍ଥିକ ପ୍ରଦର୍ଶନରୁ ଜଣାଯାଇଛି ଯେ ଅନେକ ପ୍ରଶାସନିକ ବିଭାଗ ଅର୍ଥ ବ୍ୟୟ କ୍ଷେତ୍ରରେ ପଛରେ ପଡିଛନ୍ତି । ତେଣୁ ଯୋଜନା ବ୍ୟୟ ଏବଂ ଭିତ୍ତିଭୂମିକ ବିକାଶ କ୍ଷେତ୍ରରେ ତ୍ୱରିତ ବ୍ୟୟ ଉପରେ ଗୁରୁତ୍ୱ ଦିଆଯାଉଛି । ବାର୍ଷିକ ବଜେଟ୍‍ରେ ୧,୫୬,୪୯୮କୋଟି ଖର୍ଚ୍ଚର ଆକଳନ ହୋଇଥିବାବେଳେ ଡିସେମ୍ବର ଶେଷସୁଦ୍ଧା ମାତ୍ର ୭୫,୩୨୧କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତଦନୁଯାୟୀ ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସରେ ୪୯,୬୭୯କୋଟି ଟଙ୍କା ଖର୍ଚ୍ଚ ହେବ ।

ଗତବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ କରୋନା ମହାମାରୀ ଜନିତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଯୋଗୁଁ ଅର୍ଥ ଖର୍ଚ୍ଚ ଅତ୍ୟନ୍ତ ଧିମା ରହିଥିଲା ଯାହାକି ରାଜ୍ୟ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ତେବେ ସ୍ଥିତିରେ ସୁଧାର ଆସୁଥିବାରୁ ବିଭିନ୍ନ ଯୋଜନାରେ ଅଧିକ ଅର୍ଥ ବ୍ୟୟର ଲକ୍ଷ୍ୟ ରହିଛି । ଯୋଜନା ବ୍ୟୟ ବାବଦରେ ୮୦,୭୨୯କୋଟି ଟଙ୍କାର ବରାଦ ଥିବାବେଳେ ଏଥି ମଧ୍ୟରୁ ଡିସେମ୍ବର ଶେଷସୁଦ୍ଧା ମାତ୍ର ୩୯ ପ୍ରତିଶତ ଅର୍ଥାତ୍‍ ୩୧,୨୫୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେଣୁ ଆର୍ଥିକ ବର୍ଷର ଶେଷ ତିନିମାସରେ ଯୋଜନା ବ୍ୟୟ ବାବଦରେ ୨୮,୭୪୬କୋଟି ଟଙ୍କା ଖର୍ଚ୍ଚର ଲକ୍ଷ୍ୟ ରହିଛି । ଯୋଜନା ବ୍ୟୟ ବାବଦରେ ବିଭାଗ ଗୁଡିକ ମାର୍ଚ୍ଚ ୩୧ ସୁଦ୍ଧା ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଥିବାବେଳେ ବିଗତ ୯ମାସରେ କିନ୍ତୁ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ହୋଇନାହିଁ ।

ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧,୨୫,୦୦୦ କୋଟି ଟଙ୍କା ପାଇବାର ଆକଳନ କରିଥିଲେ । ତେବେ ଡିସେମ୍ବର ଶେଷ ସୁଦ୍ଧା ୬୭,୯୨୩କୋଟି ଟଙ୍କାର ରାଜସ୍ୱ ମିଳିଥିବାବେଳେ ମାର୍ଚ୍ଚ ୩୧ ସୁଦ୍ଧା ଆଉ ୩୨,୧୦୫କୋଟି ଟଙ୍କା ରାଜସ୍ୱ ମିଳିବାର ଆଶା ରହିଛି । ରାଜ୍ୟ ସରକାର କେନ୍ଦ୍ରରୁ କମ୍‍ ପରିମାଣର ଅର୍ଥ ପାଇଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟ ସରକାର ୬୮,୩୦୦ କୋଟି ଟଙ୍କା ପାଇବାର ଲକ୍ଷ୍ୟ ରଖିଥିବାବେଳେ ପାଇଛନ୍ତି ମାତ୍ର ୩୩,୮୭୨କୋଟି ଟଙ୍କା । ଯାହାକି ଲକ୍ଷ୍ୟର ୧୯.୫ ପ୍ରତିଶତ କମ୍‍ ।

ଅନୁରୂପ ଭାବେ ଚଳିତ ଆର୍ଥକ ବର୍ଷରେ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୨ହଜାର କୋଟି ଟଙ୍କା ପାଇବାର ଲକ୍ଷ୍ୟ ଥିବାବେଳେ ଡିସେମ୍ବର ଶେଷସୁଦ୍ଧା ମିଳିଛି ମାତ୍ର ୧୬,୬୬୯କୋଟି ଟଙ୍କା । ଯାହାକି ଆକଳନ ଠାରୁ ୧୬ ପ୍ରତିଶତ କମ୍‍ । କେନ୍ଦ୍ରରୁ ଯେଉଁ ହାରରେ ଅର୍ଥ ମିଳୁଛି ତଦନୁଯାୟୀ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କେନ୍ଦ୍ରୀୟ ଅନୁଦାନ ଆକାରରେ ଆଉ ୬୭୦୦ କୋଟି ଟଙ୍କା ମିଳିବ ଯାହାକି ବଜେଟ୍‍ରେ ହୋଇଥିବା ଆକଳନ ଠାରୁ ଢେର କମ୍‍ ।

ସେହିଭଳି ନିଜସ୍ୱ ରାଜସ୍ୱ ବାବଦରେ ୫୬ହଜାର କୋଟି ଟଙ୍କା ଆଦାୟର ଲକ୍ଷ୍ୟ ଥିବାବେଳେ ସରକାରଙ୍କ ସକ୍ରିୟତା ଯୋଗୁଁ ଏହି ଲକ୍ଷ୍ୟ ପୂରଣର ସମ୍ଭାବନା ରହିଛି । ଟିକସ ଆଦାୟ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକରୀମାନେ ଏଥିପାଇଁ ସମସ୍ତ ଶକ୍ତି ଖଟାଇଛନ୍ତି । ଏ କ୍ଷେତ୍ରରେ ଅର୍ଥ ବିଭାଗ ସମନ୍ୱୟ ରକ୍ଷା କରୁଥିବାବେଳେ ଅଧିକରୁ ଅଧିକ ପାଣ୍ଠି ସଂଗ୍ରହ ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଥିବା ଜଣାଯାଇଛି ।