Home General ତିନି ବର୍ଷରେ ଲକ୍ଷେ ଏସଏଚଜି

ତିନି ବର୍ଷରେ ଲକ୍ଷେ ଏସଏଚଜି

ଭୁବନେଶ୍ୱର : ରାଜ୍ୟର ଗ୍ରାମାଞ୍ଚଳରେ ଦୀନ ଦୟାଲ ଅନ୍ତ୍ୟୋଦୟ – ଜାତୀୟ ଗ୍ରାମୀଣ ଜୀବିକା ମିଶନ ଯୋଜନା ଜରିଆରେ ଗତ ତିନି ବର୍ଷରେ ଲକ୍ଷେରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠି ଗଠନ କରାଯାଇଛି । ଏଥିରେ ୧୦ଲକ୍ଷରୁ ଅଧିକ ପରିବାର ସାମିଲ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀ ନିରଞ୍ଜନା ଜ୍ୟୋତି ।

ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନିରଞ୍ଜନା ଜ୍ୟୋତି କହିଛନ୍ତି ଯେ ସମଗ୍ର ଦେଶରେ ଏହି ଯୋଜନାରେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠି ଗଠନ ପାଇଁ ପ୍ରୋତ୍ସାହିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୮୯.୮୨ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠିରେ ୯.୮୯ କୋଟି ମହିଳା ସାମିଲ ହୋଇଛନ୍ତି ।

ଏହି କେନ୍ଦ୍ରୀୟ ଯୋଜନାରେ ୨୦୨୦-୨୧ ବର୍ଷରେ ରାଜ୍ୟରେ ୪୯,୪୬୭ ସ୍ୱୟଂ ସହାୟକ ଗୋଷ୍ଠି ଗଠନ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ୩୮,୭୮୫ ଏବଂ ୨୦୨୨-୨୩ ବର୍ଷରେ ଏହି ପରିମାଣ ୨୯,୬୧୧ ରହିଥିଲା । ଏହି ବର୍ଷ ଗୁଡିକରେ ୧୦ଲକ୍ଷରୁ ଅଧିକ ପରିବାର ଏଥିରେ ସାମିଲ ହୋଇଥିଲେ । ତେବେ ବର୍ଷକୁ ବର୍ଷ ଏହି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

୨୦୨୦-୨୧ ବର୍ଷରେ ଓଡିଶାର ପ୍ରାୟ ୫ଲକ୍ଷ ପରିବାର ଯୋଡି ହୋଇଥିବାବେଳେ ଏହା ପରବର୍ଷ ଅର୍ଥାତ୍‍ ୨୦୨୧-୨୨ ରେ ୩.୩୬ଲକ୍ଷ ସାମିଲ ହୋଇଥିଲେ । ୨୦୨୨-୨୩ ରେ ଏହି ଯୋଜନାରେ ପରିବାର ସଂଖ୍ୟା ୨ଲକ୍ଷରୁ ଅଧିକ ରହିଥିଲା । ତେବେ ଏହି ସମୟରେ ସମଗ୍ର ଦେଶରେ କିନ୍ତୁ ଏସ୍‍ଏଚ୍‍ଜିରେ ସାମିଲ ପରିବାର ସଂଖ୍ୟା ବୃଦ୍ଧି ପାଇଥିଲା । ଏପରିକି ୨୦୨୨-୨୩ ବର୍ଷରେ ଦେଶରେ ଏହି ଧରଣର ପରିବାର ସଂଖ୍ୟା ୮୧ଲକ୍ଷକୁ ଟପିଯାଇଥିଲା ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମନ୍ତ୍ରାଳୟ ପକ୍ଷରୁ ଯୋଜନା ସଂକ୍ରାନ୍ତରେ ଗତବର୍ଷ ସେପ୍ଟେମ୍ବର ୭ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସାମାଜିକ ଅଭିଯାନ ଚଳାଯାଇଥିଲା । ଚଳିତବର୍ଷ ଏପ୍ରିଲ୍‍ରୁ ଅଗଷ୍ଟମାସ ପର୍ଯ୍ୟନ୍ତ ‘ସଂଗଠନ ସେ ସମୃଦ୍ଧି ଅଭିଯାନ’ ବି ହୋଇଥିଲା । ଏହି ଦୁଇଟି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ଗାଁ ଗହଳର ଗରିବଶ୍ରେଣୀର ମହିଳାମାନଙ୍କୁ ନେଇ ସ୍ୱୟଂ ସହାୟିକା ଗୋଷ୍ଠି ଗଠନ ସହିତ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା । ସଂଗଠନ ସେ ସମୃଦ୍ଧି ଅଭିଯାନ ସମୟରେ ୫୨ଲକ୍ଷରୁ ଅଧିକ ପରିବାର ୩,୭୫,୭୧୦ ସ୍ୱୟଂ ସହାୟିକା ଗୋଷ୍ଠି ଗଠନ ହୋଇଥିଲା । କେନ୍ଦ୍ର ସରକାରଙ୍କର ଏହି ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠି ଗଠନ ଏକ ନିୟମିତ ପ୍ରକ୍ରିୟା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । (ତଥ୍ୟ)