Home Health ତିନି ଦିନରେ କୋମାରୁ ଉଠିଲେ ରୋଗୀ

ତିନି ଦିନରେ କୋମାରୁ ଉଠିଲେ ରୋଗୀ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ଗୁରୁତର ଆଘାତପ୍ରାପ୍ତ ହୋଇଥିବା ଜଣେ ୨୫ ବର୍ଷୀୟ ଯୁବକ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ନାୟୁରୋଗ ବିଭାଗରେ ଚିକିତ୍ସିତ ହୋଇ ନୂତନ ଜୀବନ ଲାଭ କରିଛନ୍ତି ।

କେତନ ସେଠ ଗତ ସେପ୍ଟେମ୍ବର ୨୨ ତାରିଖରେ ଝାରସୁଗୁଡା-ସୁନ୍ଦରଗଡ ରାଜ୍ୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ମସ୍ତିଷ୍କରେ ଗୁରୁତର ଆଘାତ ହୋଇଥିଲା । ପରିବାରର ସଦସ୍ୟମାନେ ତାଙ୍କୁ ବହୁ ସରକାରୀ ଓ ଘରୋଇ ଡାକ୍ତରଖାନାକୁ ନେଇ ଦୀର୍ଘ ୧୦ ଦିନ ଧରି ତାଙ୍କର ଚିକିତ୍ସା କରାଇଥିଲେ । ମାତ୍ର ଯୁବକଙ୍କର ଚେତା ଫେରି ନଥିଲା କି ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା ।

ସମସ୍ତେ କେତନଙ୍କର ବଂଚିବା ଆଶା କ୍ଷୀଣ ବୋଲି ଭାବି ନେଇଥିଲେ ମାତ୍ର ଶେଷରେ ମନରେ ଆଶା ସଂଚାର କରି ତାଙ୍କୁ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌କୁ ଅଣାଯାଇଥିଲା । ଏଥିରେ ସ୍ଥାନୀୟ ଲୋକଙ୍କର ଓ ସୋସିଆଲ୍ ମେଡିଆର ଅନେକ ଅବଦାନ ଥିଲା । ହସ୍ପିଟାଲ୍‌ର ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡଃ ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ତତ୍ୱାବଧାନରେ କେତନଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ତେବେ ଚିକିତ୍ସା କରିବା ସମୟରେ ଡାକ୍ତର କହିଥିଲେ ଯେ କେତନଙ୍କର ମସ୍ତିଷ୍କ ଓ ମୁଖମଣ୍ଡଳ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିବାରୁ ସେ ସମ୍ପୂର୍ଣ୍ଣ କୋମାକୁ ଚାଲିଯାଇଛନ୍ତି । ମସ୍ତିଷ୍କ ଭିତରେ ପ୍ରଚୁର ରକ୍ତସ୍ରାବ ହେବା ସହିତ ମୁହଁର ଅନେକ ହାଡ ଭାଙ୍ଗିଯାଇଥିଲା ଓ ବାମ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

ତାଙ୍କୁ ଭେନ୍‌ଟିଲେଟରରେ ରଖି ଅତ୍ୟାଧୁନିକ ଓ ଜଟିଳ ପଦ୍ଧତିରେ ଉତମ ଚିକିତ୍ସା କରାଯିବାରୁ ମାତ୍ର ୩ ଦିନ ମଧ୍ୟରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯାଇଥିଲା । ନୂତନ ଜୀବନ ମିଳିଥିବାରୁ କେତନଙ୍କ ଭାଇ ପିଙ୍କୁ ସେଠ ଓ ତାଙ୍କ ପରିବାର ପକ୍ଷରୁ ହସ୍ପିଟାଲ୍ କର୍ତୃପକ୍ଷ ଓ ଡଃ ଚୌଧୁରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଡଃ ଚୌଧୁରୀ କହିଛନ୍ତି ଯେ “ଯଦିଓ କେତନଙ୍କର ଜୀବନ ପ୍ରତି ବିପଦ ଥିଲା ଓ ତାଙ୍କୁ ଚିକିତ୍ସା କରିବା ଜଟିଳ ଥିଲା ତେବେ ଏହା ଅସମ୍ଭବ ନଥିଲା ।” କେତନଙ୍କ ଚିିକିତ୍ସା ପାଇଁ ସେ ଡଃ ଈଶ୍ୱର ବେହେରା, ଅନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି । ପରିବାରର ଅର୍ଥାଭାବ ଥିବାରୁ ହସ୍ପିଟାଲ୍ କର୍ତୃପକ୍ଷଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଯାୟୀ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇଛି ।

LEAVE A REPLY

Please enter your comment!
Please enter your name here