Home News in Odia ତିନି ଖଣି ପାଇଁ ଦ୍ୱିତୀୟ ବାର ଟେଣ୍ଡର ଜାରି

ତିନି ଖଣି ପାଇଁ ଦ୍ୱିତୀୟ ବାର ଟେଣ୍ଡର ଜାରି

ଭୁବନେଶ୍ୱର : ତିନିଟି ଖଣିର ଇ-ନିଲାମ ପାଇଁ ରାଜ୍ୟ ସରକାର ଦ୍ୱିତୀୟ ଥର ଲାଗି ଟେଣ୍ଡର ଜାରି କରିଛନ୍ତି । ପ୍ରଥମ ଥର ଜାରି ହୋଇଥିବା ଟେଣ୍ଡରରେ ଆବଶ୍ୟକ ସଂଖ୍ୟକ ସଂସ୍ଥା ଭାଗ ନନେବାରୁ ଦ୍ୱିତୀୟଥର ଏହି ଟେଣ୍ଡର ଜାରି ହୋଇଛି ।

ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧିନରେ ଥିବା ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଯେଉଁ ତିନିଟି ଖଣି ପାଇଁ ଟେଣ୍ଡର ଜାରି ହୋଇଛି ସେଗୁଡିକ ହେଲା ତେହରାଇ ଲୁହାପଥର ଓ ମାଙ୍ଗାନିଜ ଖଣି, ବେହେରା-ବାଞ୍ଜିପାଲି ଚୂନପଥର ଖଣି ଏବଂ ନରିଙ୍ଗାପାଙ୍ଗା ଗ୍ରାଫାଇଟ୍‍ ଖଣି । ଏହି ତିନି ଖଣି ମଧ୍ୟରୁ ବେହେରା-ବାଞ୍ଜିପାଲି ଏବଂ ନରିଙ୍ଗାପଙ୍ଗାର ଲିଜ ଅବଧି ଥିବାବେଳେ ତେହେରାଇର ଲିଜ୍‍ ଅବଧି ସମାପ୍ତ ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆବେଦନକାରୀମାନେ ନିଜକୁ ଏମଏସ୍‍ଟିସିର ୱେବସାଇଟ୍‍ https://www.mstcecommerce.com/auctionhome/mlcl/index.jsp ରେ ପଞ୍ଜିକୃତ କରିପାରିବେ ।

ଏହିସବୁ ଖଣି ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ୱେବସାଇଟ୍‍ରେ ଉପଲବ୍ଧ ଅଛି । ସଫଳ ଭାବେ ପଞ୍ଜିକୃତ ହୋଇଥିବା ସଂସ୍ଥାକୁ ଲଗିନ୍‍ ଆଇଡି ଓ ପାସ୍‍ୱାର୍ଡ ପ୍ରଦାନ କରାଯିବ ଯାହାକି ଇ-ନିଲାମ ପ୍ରକ୍ରିୟା ପାଇଁ ଅତି ଜରୁରୀ । ଜାରି ହୋଇଥିବା ଟେଣ୍ଡର ମୁତାବକ ଏଥିରେ ଅଂଶଗ୍ରହଣ କରୁଥିବା ଆଗ୍ରହୀ ବିଡ୍‍ରମାନେ ଫେବୃୟାରୀ ୨ ତାରିଖ ସୁଦ୍ଧା ଇ-ନିଲାମ ପ୍ଲାଟଫର୍ମକୁ ଯାଇ ଧାର୍ଯ୍ୟ ଫି ପଇଠ କରି ଟେଣ୍ଡର କାଗଜପତ୍ର ଖଣିଦ କରିବେ । ଟେଣ୍ଡର ଦାଖଲ କରିବାର ଶେଷ ତାରିଖ ଫେବୃୟାରୀ ୭, ୨୦୨୨ ରହିଛି ।

ତେହରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ପାଇଁ ଟେଣ୍ଡର ଫି ୫ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟ ଦୁଇ ଖଣି ପାଇଁ ଏହା ୨ଲକ୍ଷ ଟଙ୍କା ରହିଛି । ଯେଉଁ ବିଡ୍‍ରମାନେ ତେହରାଇ ଖଣି ପାଇଁ ଗତବର୍ଷ ଜୁଲାଇ ୭ତାରିଖରେ ଜାରି ଟେଣ୍ଡର ପେପର କିଣିଥିଲେ ଓ ଗତବର୍ଷ ଅକ୍ଟୋବର ୨୨ ତାରିଖରେ ବେହେରା-ବାଞ୍ଜିପାଲି ଏବଂ ନରିଙ୍ଗାପଙ୍ଗା ଖଣି ପାଇଁ ଟେଣ୍ଡର କାଗଜ କିଣିଥିଲେ ସେମାନଙ୍କୁ ଦ୍ୱିତୀୟଥର ପାଇଁ ଆଉ ଟେଣ୍ଡର ଫି ଦେବାକୁ ପଡିବନାହିଁ ।

ପୂର୍ବରୁ ଜାରି ହୋଇଥିବା ଟେଣ୍ଡରରେ ରାଜ୍ୟ ସରକାରଙ୍କୁ ଆକଶ୍ୟକ ସଂଖ୍ୟକ ବିଡ୍‍ର ନମିଳିବାରୁ ଏହି ତିନି ଖଣି ପାଇଁ ଦ୍ୱିତୀୟ ବାର ପାଇଁ ଟେଣ୍ଡର ଜାରି ହୋଇଛି । ଖଣିଜ (ନିଲାମ) ଧାରା ୨୦୧୫ ର ଉପଧାରା (୯) ଏବଂ (୧୧) ଅନୁଯାୟୀ ଦ୍ୱିତୀୟଥର ପାଇଁ ଟେଣ୍ଡର ଜାରି ପାଇଁ ପଦକ୍ଷେପ ନିଆଯାଇଛି । ତେବେ ତେହେରାଇ ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ ପ୍ରକ୍ରିୟାରୁ ତାରମା ଆପାର୍ଟମଣ୍ଟେ ପ୍ରାଇଭେଟ ଲିମିଟେଡକୁ ରାଜ୍ୟ ସରାକର ବାରଣ କରିଛନ୍ତି । କାରଣ ଏହି କମ୍ପାନୀ ପୂର୍ବରୁ ସଫଳତାର ସହ ଟେଣ୍ଡର ହାସଲ କରିଥିଲେ ମଧ୍ୟ ଖଣି ନେବାକୁ ସମର୍ଥ ହୋଇନଥିଲା । (ତଥ୍ୟ)