Home Health ତିନିଶହରୁ ଅଧିକ ଆୟୁଷ ଡାକ୍ତର ପଦବୀ ଖାଲି

ତିନିଶହରୁ ଅଧିକ ଆୟୁଷ ଡାକ୍ତର ପଦବୀ ଖାଲି

ଭୁବନେଶ୍ୱର : ରାଜ୍ୟର ବହୁ ସ୍ଥାନରେ ଆୟୁଷ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଏକ ପ୍ରକାର ସମ୍ଭାଳିଥିବାବେଳେ ଏଥିପାଇଁ ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ବି ୩୦୦ରୁ ଅଧିକ ଖାଲି ପଡିଛି । ସବୁଠାରୁ ଅଧିକ ହୋମିଓପାଥିକ ଡାକ୍ତର ପଦବୀ ଖାଲି ପଡିଥିବା ଜଣାଯାଇଛି ।

ସରକାରୀ ହିସାବରୁ ଜଣାଯାଇଛି ଯେ ରାଜ୍ୟରେ ମୋଟ୍‍ ୧୪୮୫ ଟି ଆୟୁଷ ଡାକ୍ତର ପଦବୀ ରହିଛି । ଏଥିରେ କାର୍ଯ୍ୟରତ ଅଛନ୍ତି ୧୧୫୦ ଜଣ । ଏଥି ମଧ୍ୟରେ ସର୍ବାଧିକ ୭୯୬ ଟି ଆର‌୍ୟୁବେଦିକ ପଦବୀ ଥିବାବେଳେ ୬୮୦ଟି ହୋମିଓପାଥିକ ପଦବୀ ଥିବାବେଳେ ୯ଟି ୟୁନାନୀ ଡାକ୍ତର ପଦବୀ ରହିଛି । ଏହି ୯ଟି ପଦବୀ ମଧ୍ୟରେ କଟକ, ଜଗତ୍‍ସିଂହପୁର, ଖୋରଧା, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡରେ ଗୋଟିଏ କରି ପଦବୀ ଥିବାବେଳେ ଯାଜପୁରରେ ସର୍ବାଧିକ ୨ଟି ପଦବୀ ରହିଛି ।

ତେବେ ମୋଟ୍‍ ୭୯୬ଟି ଆର‌୍ୟୁବେଦିକ ପଦବୀରେ ୫୯୦ ଜଣ ଡାକ୍ତର ଥିବାବେଳେ ୬୮୦ ହୋମିଓପାଥିକ ପଦବୀରେ ୫୦୦ ଡାକ୍ତର କାର୍ଯ୍ୟ କରୁଛନ୍ତି । ସର୍ବାଧିକ ୫୬ଜଣ ଆର‌୍ୟୁବେଦିକ ଡାକ୍ତର ଗଞ୍ଜାମ ଜିଲ୍ଲାରେ ଥିବାବେଳେ ମୟୁରଭଞ୍ଜରେ ଏହି ପଦବୀ ସଂଖ୍ୟା ୫୫ ରହିଛି । ସେହିଭଳି ହୋମିଓପାଥିକ ଡାକ୍ତର ପଦବୀ ମଧ୍ୟରୁ ବି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୮ଟି ଥିବାବେଳେ ମୟୁରଭଞ୍ଜରେ ଦ୍ୱିତୀୟ ସର୍ବାଧିକ ୪୫ଟି ପଦବୀ ରହିଛି । ତେବେ ଦେବଗଡରେ ୪ଟି ବୌଦରେ ୬ ଓ ନୂଆପଡାରେ ୮ଟି ଆୟୁଷ ହୋମିଓପାଥିକ ଡାକ୍ତର ପଦବୀ ରହିଛି ।

ଗୋଟିଏ ପଟେ ରାଜ୍ୟରେ ଏଲୋପାଥିକ ଡାକ୍ତରଙ୍କ ଘୋର ଅଭାବ ଥିବାବେଳେ ଗାଁ ଗହଳର ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଆୟୁଷ ଡାକ୍ତରମାନେ ହିଁ ସ୍ୱାସ୍ଥ୍ୟସେବାର ମଙ୍ଗ ଧରୁଛନ୍ତି । ଏମାନଙ୍କୁ ଇତି ମଧ୍ୟରେ କେତେକ ସ୍ୱତନ୍ତ୍ର ଚିକିତ୍ସା ଲାଗି ସରକାର ଅନୁମତି ପ୍ରଦାନ କରୁଛନ୍ତି । ସରକାରୀ ଡାକ୍ତରଖାନାଗୁଡିକରେ ଏମାନେ ଯଦିଓ ଆର‌୍ୟୁବେଦିକ ଓ ଅନ୍ୟ ଡାକ୍ତର ଭାବେ ନିଯୁକ୍ତ ହୋଇଛନ୍ତି କିନ୍ତୁ ଏଲୋପାଥିକ ଡାକ୍ତରଙ୍କ ଅନୁପସ୍ଥିତରେ ଏମାନେ ହିଁ ଅଧିକାଂଶ ରୋଗୀଙ୍କୁ ଦେଖି ଔଷଧ ଦେଉଛନ୍ତି । ଏଥି ସହିତ ଜରୁରୀ ସ୍ଥିତିରେ ଏମାନେ ଏଲୋପାଥିକ ଡାକ୍ତରଙ୍କୁ ସହାୟତା କରୁଛନ୍ତି ।

ସ୍ୱାସ୍ଥ୍ୟ ମିଶନ ଅଧିନରେ ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତରଙ୍କ ନିଯୁକ୍ତି ଚୁକ୍ତିଭିତ୍ତିକ ହୋଇଥିବାବେଳେ ସେମାନଙ୍କୁ ମାସିକ ୩୬,୨୫୬ ଟଙ୍କାର ପାରିଶ୍ରମିକ ମିଳୁଛି । ତେବେ ଚାକିରିରେ ନିୟମିତ ହେବା ସହିତ ପାଉଣା ବଢାଇବାପାଇଁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଉଥିବା ଆୟୁଷ ଡାକ୍ତରଙ୍କ ନିଯୁକ୍ତି ସ୍ଥାୟୀ ହୋଇପାରିବ ନାହିଁ ବୋଲି ସରକାର ରୋକଠୋକ ଭାବେ ଶୁଣାଇ ଦେଇଛନ୍ତି । ତେବେ ଗୋଟିଏ ପଟେ ସ୍ୱାସ୍ଥ୍ୟ ସେବାକୁ ସମ୍ଭାଳିଥିବା ଆୟୁଷ ଡାକ୍ତରଙ୍କ ପାଉଣା ବଢୁନଥିବାବେଳେ ଏଥିପାଇଁ ଥିବା ପଦବୀଗୁଡିକ ବି ପୂରଣ ହୋଇପାରୁ ନାହିଁ । ଫଳରେ ଆର‌୍ୟୁବେଦିକ ଓ ହୋମିଓପାଥି ଉପରେ ନିର୍ଭର କରୁଥିବା ଗାଁ ଗହଳର ବହୁ ଚିକିତ୍ସା ପାଇବାରେ ସମସ୍ୟା ଭୋଗୁଛନ୍ତି । (ତଥ୍ୟ)