Home Education ତାଳଚେର ମେଡିକାଲ କଲେଜ ଏବେ ଭୂତକୋଠି

ତାଳଚେର ମେଡିକାଲ କଲେଜ ଏବେ ଭୂତକୋଠି

ଭୁବନେଶ୍ୱର : ପ୍ରାୟ ୫ଶହ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ତାଳଚେର ମେଡିକାଲ କଲେଜରେ ୩ ବର୍ଷ ଧରି ପାଠପଢ଼ା ହୋଇପାରୁ ନାହିଁ କି ଚିକିତ୍ସା କାର୍ଯ୍ୟ ଚାଲୁ ନାହିଁ । ଜନ୍ମରୁ ଏକ ପ୍ରକାର ଏହି ମେଡିକାଲ କଲେଜ ପଙ୍ଗୁ ଅବସ୍ଥାରେ ରହିଛି ।

ତାଳଚେର ମେଡିକାଲ କଲେଜ ପାଇଁ ପ୍ରାୟ ୮ ବର୍ଷ ତଳେ ଭାରତ ସରକାରଙ୍କ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ଓଡ଼ିଶା ସରକାରଙ୍କ ସହ ଏମଓୟୁ କରି ଏଥିଲାଗି ବି ପର୍ଯ୍ୟାପ୍ତ ପରିମାଣର ଜମି ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯାଇଥିଲା । ଭାରତ ସରକାରଙ୍କ କୋଲ୍‍ ଇଣ୍ଡିଆ ମଧ୍ୟ ଏହି ପ୍ରକଳ୍ପ ଲାଗି ବିଶେଷ ଆଗ୍ରହ ପ୍ରକାଶ କରିବା ସଂଗେ ସଂଗେ ଆର୍ଥିକ ସହାୟତା ଦେଇଥିଲା ।

ତାଳଚେର ସମେତ ଓଡ଼ିଶାରେ ଥିବା ବିଭିନ୍ନ କୋଇଲା ଖଣିରୁ କେନ୍ଦ୍ର ସରକାର ବିପୁଳ ମୁନାଫା ଉଠାଉଛନ୍ତି । ଅନ୍ୟପକ୍ଷରେ କୋଇଲା ଗୁଣ୍ଡ ଏବଂ କୋଇଲା ସଫେଇ ପାଇଁ ବ୍ୟବହୃତ ହେଉଥିବା ପାଣି ଯୋଗୁଁ ଉଭୟ ବାୟୁ ଓ ଜଳ ପ୍ରଦୂଷଣ ହେଉଛି । ଏଥିରେ ବି ଅନେକ ଲୋକ କ୍ଷତିଗ୍ରସ୍ତ ହେଉଛନ୍ତି । କେବଳ କୋଲିଆରି ଅଞ୍ଚଳ ନୁହେଁ, ବ୍ରାହ୍ମଣୀ ନଦୀର ପାଣି କୋଇଲା ପ୍ରକଳ୍ପ ଯୋଗୁଁ ବ୍ୟାପକ ପ୍ରଦୂଷିତ ହେଉଥିବାରୁ ତଳ ଅଞ୍ଚଳରେ ବି ଏହା ଲୋକଙ୍କ ପାଇଁ ଅଭିଶାପରେ ପରିଣତ ହୋଇଛି ।

ଏହାଛଡା ଓଡ଼ିଶାରେ ମିଳୁଥିବା କୋଇଲାକୁ ପୁଞ୍ଜିକରି ଅନେକଗୁଡିଏ ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁଥିବାରୁ ସେଗୁଡିକର ପ୍ରଦୂଷଣ ପ୍ରଭାବ ମଧ୍ୟ ଜନଜୀବନ ଉପରେ ପଡୁଛି । କୋଇଲା ଖଣି ଅଞ୍ଚଳରେ ଭୂତଳ ଫମ୍ପା ରହୁଥିବାରୁ ଲୋକେ ବି ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏମିତିକି କୃଷିଠାରୁ ଆରମ୍ଭ କରି ଗୃହ ପାଳିତ ପଶୁମାନେ ମଧ୍ୟ କୋଇଲା ଖଣିର ପ୍ରଦୂଷଣର ନକରାତ୍ମକ ପ୍ରଭାବ ଭୋଗୁଛନ୍ତି । ଓଡ଼ିଶା ବାହାରେ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶାର କୋଇଲାରୁ ବେଶ୍‍ ମୁନାଫା ଉଠାଉଥିବା ବେଳେ ସରକାର ମଧ୍ୟ ଏ ବାବଦରେ ପର୍ଯ୍ୟାପ୍ତ ରାଜସ୍ୱ ପାଉଛନ୍ତି ।

ଏ ପରିପ୍ରେକ୍ଷୀରେ ଓଡ଼ିଶାର ଦୀର୍ଘ ଦିନର ଦାବିକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ତାଳଚେର ନିକଟରେ ଏକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା କରିବାକୁ ନୀତିଗତ ଭାବେ ରାଜି ହୋଇଥିଲେ ଏବଂ ଏହି ମେଡିକାଲ କଲେଜ ହସପିଟାଲର ନାମ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍‍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ରହିବ ବୋଲି ସ୍ଥିର ହୋଇଥିଲା । ଏହି ମେଡିକାଲ କଲେଜରେ ଏମବିବିଏସ ପାଠ୍ୟକ୍ରମରେ ୧୦୦ଟି ସ୍ଥାନ ରଖିବା ଏବଂ ହସପିଟାଲରେ ୫ ଶହ ଶଯ୍ୟା ବ୍ୟବସ୍ଥା ଲାଗି ବି ପ୍ରସ୍ତାବ ଥିଲା ।

ପୂର୍ବ ଯୋଜନା ମୁତାବକ ୨୦୧୯-୨୦ ଶିକ୍ଷା ବର୍ଷରେ ଏହି ମେଡିକାଲ କଲେଜରେ ପ୍ରଥମ ବ୍ୟାଚ୍‍ ଛାତ୍ରଛାତ୍ରୀ ନାମାଙ୍କନ କରିବା କଥା । ଇତିମଧ୍ୟରେ ମେଡିକାଲ କଲେଜ ଓ ହସପିଟାଲ ସୌଧ ନିର୍ମାଣ ସରିଥିଲେ ମଧ୍ୟ ମେଡିକାଲ କଲେଜ ଓ ହସପିଟାଲ ଏଠି କେନ୍ଦ୍ର ସରକାର କିମ୍ବା ତାଙ୍କ ଅଧୀନସ୍ଥ ଏମସିଏଲ ଚଳାଇବା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ସୌଧ ନିର୍ମାଣ ସରି ଭୂତକୋଠି ଭଳି ପଡିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ।

ଏମସିଏଲର ମେଡିକାଲ କଲେଜ ଓ ହସପିଟାଲ ଚଳାଇବାର ଅଭିଜ୍ଞତା ନଥିବାରୁ ଏହି ନିର୍ମିତ ସୌଧକୁ ଓଡ଼ିଶା ସରକାର ହାତକୁ ନେଇ ଏଠାରେ ମେଡିକାଲ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଓ ଚିକିତ୍ସା କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଥିବା ବେଳେ ଓଡ଼ିଶା ସରକାର କିନ୍ତୁ ଏମସିଏଲ କିମ୍ବା ଅନ୍ୟ କୌଣସି କେନ୍ଦ୍ରୀୟ ସଂସ୍ଥା ଏହି ମେଡିକାଲ କଲେଜ ଓ ହସପିଟାଲ ଚଳାଇବାକୁ ମତ ଦେଉଛନ୍ତି ।

ଏହି ଟଣାଓଟରା ଭିତରେ ମେଡିକାଲ କଲେଜ ଓ ହସପିଟାଲ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ ଏବଂ ଏମସିଏଲ କର୍ତ୍ତୃପକ୍ଷ ଏଥିଲାଗି ବାରମ୍ବାର ବିଜ୍ଞାପନ ଦେଇ ଘରୋଇ ସହଯୋଗୀ ଖୋଜିବାରେ ଲାଗିଛନ୍ତି । ତେବେ ଏହି କାର୍ଯ୍ୟ କରିବାକୁ ଏପର୍ଯ୍ୟନ୍ତ ସଂସ୍ଥା ଚୟନ କରାଯାଇ ପାରୁନଥିବାରୁ ତାଳଚେର ମେଡିକାଲ କଲେଜ ତ୍ରିଶଙ୍କୁ ଅବସ୍ଥାରେ ରହିଛି ।