Home Finance ତତ୍କାଳ ଆର୍ଥିକ ସହାୟତା ମାଗିଲାନି ଓଡିଶା

ତତ୍କାଳ ଆର୍ଥିକ ସହାୟତା ମାଗିଲାନି ଓଡିଶା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସି ବାତ୍ୟା ସମୀକ୍ଷା କରିଥିବାବେଳେ ରାଜ୍ୟ ସରକାର କୌଣସି ତତ୍କାଳ ଆର୍ଥିକ ସହାୟତା ମାଗି ନାହାନ୍ତି । କରୋନା ଜନିତ ପରିସ୍ଥିତିରେ କେନ୍ଦ୍ର ଉପରେ ବୋଝ ନହୋଇ ନିଜସ୍ୱ ଅର୍ଥରେ ପରିସ୍ଥିତିର ମୁକାବିଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ ଓଡିଶାକୁ ବାତ୍ୟା ଦାଉରୁ ରକ୍ଷା କରିବାପାଇଁ ଦୀର୍ଘସୂତ୍ରୀ ସହାୟତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ପ୍ରସ୍ତାବ ରଖିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭୁବନେଶ୍ୱର ଠାରେ ପହଞ୍ଚିବାପରେ ବାତ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ରାଜ୍ୟପାଳ ଡକ୍ଟର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଓଡିଶାର ବାତ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ଛୋଟ ଭିଡିଓ ପ୍ରଦଦର୍ଶନ ସହିତ ପାୱାର ପେଜେଣ୍ଟେସନ ଦ୍ୱାରା ଅବଗତ କରାଯାଇଥିଲା । ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତତ୍କାଳ ଆର୍ଥିକ ସହାୟତା ବଦଳରେ ବାରମ୍ବାର ଓଡିଶା ଉପକୂଳକୁ ଆସୁଥିବା ବାତ୍ୟାର କିଭଳି ମୁକାବିଲା କରାଯିବ ସେ କ୍ଷେତ୍ରରେ କେନ୍ଦ୍ର ସହାୟତା କରିବା ଜରୁରୀ । ବିଶେଷରେ ବାତ୍ୟାରେ କ୍ଷତିଗ୍ରସ୍ତ ହେଉଥିବା ବିଜୁଳି ବ୍ୟବସ୍ଥା ଓ ଉପକୁଳକୁ ମାଡି ଆସୁଥିବା ସାମୁଦ୍ରିକ ଜଳର ସ୍ଥାୟୀ ନିରାକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ବୈଠକ ପରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଭଦ୍ରକ ଓ ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ସେଠାରୁ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଗତବର୍ଷ ଅମ୍ଫାନ ବାତ୍ୟା ସମୟରେ ପ୍ରଧାନମନ୍ତ୍ରୀ ଓଡିଶାଆସି ତତ୍କାଳ ୫୦୦କୋଟି ଟଙ୍କାର ସହାୟତା ଘୋଷଣା କରିଥିବାବେଳେ ବାତ୍ୟାର ଦୀର୍ଘସ୍ଥାୟୀ ମୁକାବିଲା ପାଇଁ ବିଭିନ୍ନ ପ୍ରକଳ୍ପ ବାବଦରେ ୧୬,୦୩୨କୋଟି ଟଙ୍କା ଯୋଗାଇ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ।