Home Energy ତଣ୍ଡ ଗଣିବେ ବିଜୁଳି ଗ୍ରାହକ

ତଣ୍ଡ ଗଣିବେ ବିଜୁଳି ଗ୍ରାହକ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ ଗତ ଅକ୍ଟୋବର ମାସ ୧୩ ତାରିଖ ବିଭିନ୍ନ ସମ୍ବାଦପତ୍ରରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ଉପରେ ବିଭିନ୍ନ ଦଳ, ଗଣସଂଗଠନ, ଶିଳ୍ପାନୁଷ୍ଠାନ ଓ ସାଧାରଣ ଲୋକଙ୍କଠାରୁ ଆଗାମୀ ନଭେମ୍ବର ୧୪ ତାରିଖ ସୁଦ୍ଧା ପ୍ରସ୍ତାବ ମଗାଯାଇଛି । ଏହି ପ୍ରସ୍ତାବ ପାଇଲା ପରେ ଆଗାମୀ ୫ ବର୍ଷ ପାଇଁ ଓଇଆରସି ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଉପରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

ଏହି ପ୍ରସ୍ତାବ ଉପରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଓଇଆରସି ପକ୍ଷରୁ ଆଜି ଏକ ୬ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇ ଏହି ୫ ବର୍ଷିଆ ବିଦ୍ୟୁତ୍ ଶୁଳ୍କ ପ୍ରସ୍ତାବକୁ ବିରୋଧ କରାଯାଇଛି । ମାନ୍ୟବର କମିଶନ ଏହି ପ୍ରସ୍ତାବ ଉପରେ ତୁରନ୍ତ ବିଚାର କରିବା ପୂର୍ବରୁ ୧ କୋଟି ବିଜୁଳି ଗ୍ରାହକଙ୍କର ସ୍ୱାର୍ଥକୁ ଆଖିଆଗରେ ରଖି ପଦକ୍ଷେପ ନେବାକୁ ଦାବି କରାଯାଇଛି ।

ଏହି ପ୍ରସ୍ତାବରେ କୁହାଯାଇଛି ଯେ, ଓଡ଼ିଶା ହେଉଛି ଶକ୍ତି ଉତ୍ପାଦନରେ ଏକ ଆଗୁଆ ସ ବଳକା ରାଜ୍ୟ । କିନ୍ତୁ ଦୁଃଖର କଥା ରାଜ୍ୟର ଗ୍ରାହକମାନଙ୍କର ସ୍ୱାର୍ଥକୁ ଅଣଦେଖା କରାଯାଇ ଓଇଆରସି ପ୍ରତିବର୍ଷ ବିଦ୍ୟୁତ୍ ସରବରାହରେ ହେଉଥିବା କ୍ଷତିକୁ ଭରଣା କରିବା ପାଇଁ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କର ବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି ।

କମ୍ପାନୀମାନଙ୍କୁ ବିଦ୍ୟୁତ୍ ଭିତ୍ତିଭୂମି ସଜାଡ଼ି ପରିବହନ ଜନିତ କ୍ଷତି କମାଇବା ପାଇଁ ଆଖିଦୃଶିଆ ପଦକ୍ଷେପ ନେବାକୁ କମିଶନ ଲଗାମ ଲଗାଇପାରୁନାହାନ୍ତି । ନିଜର ଅପାରଗତା, ଦୁର୍ନୀତି ଓ ପରିଚାଳନାଗତ ଦୂରଦୃଷ୍ଟିର ଅଭାବକୁ ଘୋଡ଼େଇବା ପାଇଁ ଗ୍ରାହକଙ୍କ ଉପରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝ ପ୍ରତିବର୍ଷ ଲଦିଆଯାଉଅଛି, ଯାହାକି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମ୍ପୂର୍ଣ୍ଣ ଜନବିରୋଧି । ବିଜୁଳି ହେଉଛି ଆଧୁନିକ ସଭ୍ୟତା ପାଇଁ ଏକ ଅପରିହାର୍ଯ୍ୟ ବସ୍ତୁ । ବିନା ବିଜୁଳିରେ ଡିଜିଟାଲ୍ ଇଣ୍ଡିଆ ବା ଡିଜିଟାଲ୍ ଓଡ଼ିଶାର ସ୍ୱପ୍ନ କେବେହେଲେ ବାସ୍ତବରୂପ ନେଇପାରିବ ନାହିଁ ।

ତେଣୁ ରାଜ୍ୟବାସୀଙ୍କର ସ୍ୱାର୍ଥକୁ ଆଖିଆଗରେ ରଖି ଓଇଆରସି ବିଜୁଳି ଭିତ୍ତିଭୂମି ସୁଦୃଢ କରିବା ପାଇଁ କମ୍ପାନୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଏହି ପ୍ରସ୍ତାବରେ ଦାବି କରାଯାଇଛଅଛି । ଦ୍ୱିତୀୟତଃ ଗ୍ରାହକମାନଙ୍କର ବୁଝିବା ଭଳି ମାସିକିଆ ବିଜୁଳି ବିଲ୍ ଓଡ଼ିଆ ଭାଷାରେ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି । ଶୁଳ୍କ ବୃଦ୍ଧି ଉପରେ କୌଣସି ପଦକ୍ଷେପ ନେବା ପୂର୍ବରୁ ଓଇଆରସି କର୍ତ୍ତୃପକ୍ଷ ବିଜୁଳି କମ୍ପାନୀମାନଙ୍କର ବାର୍ଷିକ ଲାଭ କ୍ଷତିର ହିସାବ ନିକାଶ ଏକ ନିରପେକ୍ଷ ଅଡିଟ୍ ସଂସ୍ଥା ଦ୍ୱାରା ବିଶ୍ୱାସଯୋଗ୍ୟ ଅଡିଟ୍ କରାଇବାକୁ ପାର୍ଟି ଦାବି କରିଛି ।

ରାଜ୍ୟର ବାର୍ଷିକ ୬ଲକ୍ଷ ଆୟକାରୀ ଗୋଷ୍ଠୀଙ୍କୁ ମାଗଣାରେ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟ ମୁକ୍ତ ବିଜୁଳି ଓ ଚାଷୀମାନଙ୍କୁ ଜଳସେଚନ ପାଇଁ ଦେୟମୁକ୍ତ ବିଜୁଳି ଦେବାକୁ ଏହି ପ୍ରସ୍ତାବରେ କୁହାଯାଇଛି । ଓଡ଼ିଶାର ୧ କୋଟି ବିଜୁଳି ଗ୍ରାହକଙ୍କର ସ୍ୱାର୍ଥକୁ ଆଖିଆଗରେ ରଖି ଦୀର୍ଘ ଏକ ବର୍ଷ କାଳ ଖାଲି ପଡ଼ିଥିବା ଓଇଆରସିର ଅଧ୍ୟକ୍ଷ ପଦବୀକୁ ଅବିଳମ୍ବେ ପୂରଣ କରିବାକୁ ପାର୍ଟି ପକ୍ଷରୁ ଦାବି କରାଯାଇଛି ।

ଏହାବ୍ୟତୀତ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଋତୁ ଆରମ୍ଭ ହେବାକୁ ଯାଉଥିବା ଯୋଗୁଁ ଏବଂ ବିଭିନ୍ନ ଗଣପର୍ବ ସମୟରେ ବିଜୁଳିକାଟ ବନ୍ଦ କରିବା ଓ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ଓଡ଼ିଶାବାସୀଙ୍କୁ ଯୋଗାଇ ଦେବାକୁ ପାର୍ଟିର ରାଜ୍ୟସଭାପତି ଶ୍ରୀ ବେହେରା ଏହି ପ୍ରସ୍ତାବରେ ଦାବି କରିଛନ୍ତି ।