Home General ତଟ ସୁରକ୍ଷା ଦୃଢ଼ିଭୁତ ପାଇଁ  ନିର୍ଦେଶ

ତଟ ସୁରକ୍ଷା ଦୃଢ଼ିଭୁତ ପାଇଁ  ନିର୍ଦେଶ

ଭୁବନେଶ୍ୱର : ବିଭିନ୍ନ ତଟ-ନିରାପତ୍ତା  ସଂସ୍ଥାମାନଙ୍କ ମଧ୍ୟରେ  ପୂର୍ଣ୍ଣ କ୍ଷେତ୍ରସ୍ତରୀୟ ସମନ୍ୱୟରଖି  ତଟ ସୁରକ୍ଷାକୁ  ଦୃଢ଼ିଭୁତ  କରିବା ନିମନ୍ତେ  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।  ଆଜି  ଚିଲିକାସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନ୍ଠାରେ ଅନୁଷ୍ଠିତ ତଟସୁରକ୍ଷା  ନିମନ୍ତେ  ଗଠିତ ଆପେକ୍ସ କମିଟି ବୈଠକରେ  ଅଧ୍ୟକ୍ଷତାକରି  ଶ୍ରୀ ମହାପାତ୍ର  ଏହି ନିର୍ଦ୍ଦେଶ ଦେଇଥିଲେ । 

ଓଡ଼ିଶାର ପୂର୍ବତଟ ସୁରକ୍ଷା   ନିମନ୍ତେ ପ୍ରତିଷ୍ଠା  କରାଯାଇଥିବା  ତଟ୍ଟସୁରକ୍ଷା ପୋଲିସ୍ ଷ୍ଟେସନ୍, କୋଷ୍ଟଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତ୍ତୁପକ୍ଷ, ମତ୍ସ ଓ ପଶୁସଂପଦ ବିଭାଗ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି  ପରସ୍ପର ମଧ୍ୟରେ ଇଣ୍ଟେଲିଜେନସ୍ର ନିୟମିତ  ଆଦାନ ପ୍ରଦାନ କରିବା ପାଇଁ  ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଏହାଛଡା ଏହିସବୁ ସଂସ୍ଥା  ଓ ବିଭାଗମାନଙ୍କ ମାଧ୍ୟମରେ  ସୃଷ୍ଟି କରାଯାଇଥିବା  ସୁରକ୍ଷା ଭିତ୍ତିଭୂମି, ସୂଚନା ସରବରାହ ବ୍ୟବସ୍ଥା, କମାଣ୍ଡ୍ ଏବଂ କଟ୍ରୋଲ୍ ବ୍ୟବସ୍ଥା, ସମୁଦ୍ର ମଧ୍ୟରେ  ଦୃତ ଗତିକରି  ପାରୁଥିବା ବୋଟ୍, ଜେଟ୍ଟି, ଆଦିକୁ ପରସ୍ପର ମଧ୍ୟରେ  ମିଳିତଭାବେ  ବ୍ୟବହାର କରିବାସହ  ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ  ତୃଟିମୁକ୍ତ କରିବା ପାଇଁ  ଉଭୟ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ଏବଂ ନୌବାହିନୀ ଭାଇସ୍ ଆଡ୍ମିରାଲ ଶ୍ରୀ ବିଶ୍ୱବିତ୍ ଦାସଗୁପ୍ତା ନିର୍ଦ୍ଦେଶ ଦେଇଥିଲେ । 

ଉପକୂଳରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ, ଚୋରାଚାଲାଣ, ବେଆଇନ୍ କାର୍ଯ୍ୟକଳାପ, ବେଆଇନ୍ ଅନୁପ୍ରବେଶ,  ଆଦିର ନିରାକରଣ ପାଇଁ  ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସମସ୍ତ ସଂସ୍ଥା  ଓ ବିଭାଗମାନେ  ମିଳିତଭାବେ  କାର୍ଯ୍ୟ କରିବା ପାଇଁ  ବୈଠକରେ ସ୍ଥିର ହୋଇଥିଲା ।  ନିରୀକ୍ଷଣ, ଗୁପ୍ତତଥ୍ୟ ସଂଗ୍ରହ, ଅନୁଧ୍ୟାନ ଜଏଣ୍ଟ-ପେଟ୍ରୋଲିଂ ଓ ସମୟୋଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହିସବୁ ଅସାମାଜିକ ଓ ଦେଶ ବିରୋଧି କାର୍ଯ୍ୟକଳାପକୁ ପୂର୍ଣ୍ଣ ଲୋପ କରିବା ପାଇଁ  ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ଆଲୋଚନାରୁ  ଜଣାପଡିଥିଲା ଯେ ତଟ୍ଟ ଅଞ୍ଚଳ ସୁରକ୍ଷା ଦୃଢ଼ିଭୁତ  କରିବା ପାଇଁ  ଇତିମଧ୍ୟରେ  ରାଜ୍ୟ ସରକାର ୧୮ ଟି ସାମୁଦ୍ରିକ  ଥାନା ପ୍ରତିଷ୍ଠା କରିଛନ୍ତି ।  ଏହିସବୁ ଥାନା ପାଇଁ ୭୩୮ ପୋଲିସ୍ ଅଧିକାରୀ ଓ କର୍ମଚାରୀ ପଦବୀ ମଞ୍ଜୁର ହୋଇଛି ।  ସାମୁଦ୍ରିକ ଥାନାମାନଙ୍କ ପାଇଁ ୨୭୦ ଜଣ ହୋମ ଗାର୍ଡ, ୧୧୦ ଟେକ୍ନିକାଲ୍ ଅଧିକାରୀ, ୧୫ ଦୃତ ଇନ୍ସେଫ୍ଟର ବୋଟ୍, ଆଦିର ବ୍ୟବସ୍ଥା କରାଯାଇଛି ।  ସାମୁଦ୍ରିକ ଥାନା ପାଇଁ  ମଧ୍ୟ ଆବଶ୍ୟକୀୟ ଗାଡି ପେଟ୍ରୋଲିଂ ନିମନ୍ତେ ଯୋଗାଇ  ଦିଆଯାଇଛି । 

ଇତି ମଧ୍ୟରେ  ସମୁଦ୍ରରେ ମାଛ ଧରୁଥିବା  ଆମ ରାଜ୍ୟର ମତ୍ସ୍ୟଜିବୀମାନଙ୍କୁ  ପରିଚୟପତ୍ର ଦିଆଯାଇଛି ।  ତଟ୍ଟ ଅଞ୍ଚଳ ଗ୍ରାମରେ  ରହୁଥିବା ଲୋକମାନଙ୍କର  ପରିଚୟ ପତ୍ର  ଯାଞ୍ଚ୍ କରିବା ପାଇଁ  ସାମୁଦ୍ରିକ ଥାନାମାନଙ୍କୁ  ଏନ୍.ପି.ଆର୍. କାର ରିଡର ଯୋଗାଇ ଦିଆଯାଇଛି ।  ତଟ୍ଟସୁରକ୍ଷା ଭିତ୍ତିଭୂମି କାର୍ଯ୍ୟକ୍ରମ ୩ୟ ପର୍ଯ୍ୟାୟରେ ଅଧିକ ଥାନା ପ୍ରତିଷ୍ଠା, ଜେଟ୍ଟି ନିର୍ମାଣ, ଦୃତ ଇନ୍ସେପ୍ଟର ବୋଟ୍ ନିୟୋଜିତ  ଆଦି ବିଷୟରେ  ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତଟ୍ଟ ଅଂଚଳ ଗ୍ରାମରେ  ବସବାସ କରୁଥିବା ଗ୍ରାମବାସୀ ଏବଂ ମତ୍ସ୍ୟଜିବୀମାନଙ୍କ  ମଧ୍ୟରେ ବେଆଇନ୍ ଅନୁପ୍ରବେଶ ଏବଂ  ଚୋରାଚାଲାଣ ଆଦି ବିଷୟରେ  ଲଗାତର ସଚେତନତା କାର୍ଯ୍ୟକ୍ରମ  ଚାଲୁ ରଖିବା ପାଇଁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ନୌବାହିନୀର  ଭାଇସ୍ ଆଡ଼ମିରାଲ୍ ଶ୍ରୀ ବିଶ୍ୱଜିତ୍  ଦାସଗୁପ୍ତା, କୋଷ୍ଟ ଗାର୍ଡର  ଆଇ.ଜି. ଶ୍ରୀ ଏମ୍.ଭି. ପାଠକ ,  ପୋଲିସ ଡି.ଜି. ତଥା  ତଟ୍ଟ-ନିରାପତ୍ତା  ନୋଡାଲ୍ ଅଫିସର  ଡ଼ଃ ସୁଧାଂଶୁ ଷଢ଼ଙ୍ଗୀ, ଆଇ.ଟି.ଆର. ଚାନ୍ଦିପୁରର ଲେଫ୍ଟ୍ନାଣ୍ଟ୍ କର୍ଣ୍ଣେଲ୍ ଅନୁରାଗ  ସେନଙ୍କ ସମେତ  ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର କର୍ତ୍ତୁପକ୍ଷ  ଏବଂ ସଂପୃକ୍ତ ବିଭାଗର  ବରିଷ୍ଠ ଅଧିକାରୀମାନେ  ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।