Home General ଡ୍ରେନରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର

ଡ୍ରେନରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର

ଭୁବନେଶ୍ୱର : ଆଜି ରାଜଧାନୀରେ ଜଣେ ଦଶମ ଶ୍ରେଣୀର ଛାତ୍ର ବର୍ଷାପାଣି ସୁଅରେ ଭାସି ଯାଇଛନ୍ତି । ବରମୁଣ୍ଡା ଗାଁର ଜ୍ୟୋତିପ୍ରକାଶ ବେହେରା ନାମକ ବାଳକ ଜଣଙ୍କ ଟିଉସନ ସାରଙ୍କ ନିକଟକୁ ସାଇକେଲରେ ଯାଉଥିବାବେଳେ ଦୁର୍ଭାଗ୍ୟ ବଶତଃ ଡ୍ରେନରେ ଖସି ପଡିଥିଲେ । ନିଖୋଜ ହେବାର ସାତ ଘଣ୍ଟାପରେ ବି ତାଙ୍କୁ ଖୋଜା ଚାଲିଛି ।

ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୨ଟା ୧୫ ସମୟରେ ସ୍ଥାନୀୟ ଶତାବ୍ଦୀ ନଗର ଠାରେ ବାଳକ ଜଣଙ୍କ ସାଇକେଲରେ ଯାଉଥିବାବେଳେ ଅସାବଧାନବଶତଃ ଡ୍ରେନରେ ଖସି ପଡିଥିଲେ । ସେତେବେଳେ ଏହି ଡ୍ରେନରେ ବର୍ଷାପାଣିରୁ ସୁଅ ଛୁଟିଥିଲା । ସୁଅର ବେଗ ପ୍ରଖର ଥିବାରୁ ପିଲାଟି ଭାସି ଯାଇଥିବା ପ୍ରଚାର ହୋଇଥିଲା ।

ଏହାପରେ ପୁଲିସ୍‍, ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ଏହାପରେ ସମ୍ପୃକ୍ତ ବାଳକର ସାଇକେଲ ଓ ଚପଲ ଆଦି ଡ୍ରେନରୁ ମିଳିଥିବାବେଳେ ବାଳକର କିନ୍ତୁ ପତ୍ତା ମିଳନଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଆଖପାଖରେ ଥିବା ବିଭିନ୍ନ ଡ୍ରେନ ଓ ନାଳରେ ତଲାସି ଜାରି ରହିଛି ।

ତେବେ ବାଳକ ଡ୍ରେନରେ ଭାସିଯିବା ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଲୋକେ ଆସି ରାସ୍ତାରୋକ କରିଥିଲେ । ଏମାନଙ୍କ ସହିତ ବିଧାୟକ ସୁରେଶ କୁମାର ରାଉତରାୟ ଓ ବିଜେପିର ଜିଲ୍ଲା ସଭାପତି ବାବୁ ସିଂହ ଯୋଗ ଦେଇଥିଲେ । ବିଜେପି ପକ୍ଷରୁ ଏହି ଘଟଣାରେ ବିଏମ୍‍ସି କମିଶନରଙ୍କ ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।

ଚଳିତବର୍ଷ ଏହି ଅଘଟଣ ଘଟିଥିବାବେଳେ ଏହା ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତି ରାଜଧାନୀର ଡ୍ରେନରେ ପଡି ପ୍ରାଣ ହରାଇଛନ୍ତି । ୨୦୧୫ ମସିହାରେ ନୟାପଲ୍ଲୀ ଠାରେ ଜଣେ ବ୍ୟକ୍ତି ଭାସି ଯାଇଥିବାବେଳେ ୨୦୧୭ରେ ଛଅ ନମ୍ବର ଅଞ୍ଚଳରେ ଜଣେ ଟିଉସନ ସାର ବର୍ଷା ପାଣିରେ ଭାସି ପ୍ରାଣ ହରାଇଥିଲେ । ସେହିଭଳି ୨୦୧୮ ରେ ଜଣେ ଶିଶୁ ଓ ଆଉ ଜଣେ ବୃଦ୍ଧି ମଧ୍ୟ ଡ୍ରେନ ପାଣିରେ ଭାସିଯାଇ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here